ଗରଦପୁର,୦୭/୦୨/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ର ରଣ ଦୁନ୍ଦୁଭି ଦିନକୁ ଦିନ ଗର୍ଜି ଉଠୁଛି । ନିଜ ନିଜର ରଣ କୌଶଳ ଆପଣେଇ ପ୍ରାର୍ଥିମାନେ ବିଜୟ ମୁକୁଟ ପିନ୍ଧିବା ପାଇଁ ଲାଗି ପଡ଼ିଛନ୍ତି । ଏହି ପରିପ୍ରେକ୍ଷିରେ ଗରଦପୁର ବ୍ଲକ୍ ର ତିନୋଟି ଜିଲା ପରିଷଦ ଜୋନ୍ ହାତେଇବା ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ସମସ୍ତ ଚେଷ୍ଟା ପ୍ରଚେଷ୍ଟା ଜାରି ରଖିଛନ୍ତି । ତେବେ ନିର୍ବାଚନ ପରିପ୍ରେକ୍ଷିରେ ଗତକାଲି ଠାରୁ ଏହି ବ୍ଲକ୍ ଅନ୍ତର୍ଗତ ତଳକୁସୁମା ଠାରେ ଥିବା ନିଜ ବାସଭବନରେ ବରିଷ୍ଠ ନେତା ବିଜୟ ମହାପାତ୍ର ଡ଼େରା ପକାଇଛନ୍ତି । ବିଜୟ ଙ୍କ ଦୁଇ ଦିନିଆ ରହଣି ତାଙ୍କ ସହଶ୍ରାଧିକ ଅନୁଗତଙ୍କ ମଧ୍ୟରେ ଉତ୍ସାହ ଭରି ଦେଇଛି । ଜିଲା ପରିଷଦ ପାଇଁ ଦଳିୟ ଟିକଟ ଆବଂଟନ ସମୟରେ ବିଜୟ ପଂଚାୟତ ନିର୍ବାଚନ ରେ ଦଳିୟ ପ୍ରଚାରରୁ ଦୂରେଇ ରହିବେ ବୋଲି ଘୋଷଣା କରି ଯଥେଷ୍ଟ ନୀରବତା ଅବଲମ୍ବନ କରିଥିଲେ । ତେବେ ବିଜୟ ଙ୍କ ରହଣି ସମୟରେ ଗରଦପୁର ବ୍ଲକ୍ ର ବିଭିନ୍ନ ପଂଚାୟତରୁ ତାଙ୍କ ଅନୁଗତ, କର୍ମୀ ଓ ଶୁଭେଛୁ ମାନେ ତାଙ୍କୁ ଭେଟି ସାକ୍ଷାତ ଆଲୋଚନା କରିଛନ୍ତି । ସାମ୍ବାଦିକମାନେ ମଧ୍ୟ ତାଙ୍କୁ ସାକ୍ଷାତ କରିଛନ୍ତି । ଜିଲା ପରିଷଦ ନିର୍ବାଚନରେ କୌଣସି ଦଳିୟ ପ୍ରାର୍ଥିଙ୍କ ପାଇଁ ସେ ପ୍ରଚାର ରେ ଯିବେ ନାହିଁ ବୋଲି ଆଜି ମଧ୍ୟ ସ୍ପଷ୍ଟ କରିଥିଲେ । କେବଳ ଯେଉଁ ଯେଉଁ ସ୍ଥାନରେ ତାଙ୍କ ଅନୁଗତ କର୍ମୀ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି , ସେମାନଙ୍କ ସପକ୍ଷରେ କହିବେ ବୋଲି ସୂଚନା ଦେଇଥିଲେ । ଗରଦପୁର ବ୍ଲକ୍ ରେ ୯, ୧୦ ଓ ୧୧ ନମ୍ବର ଜିଲା ପରିଷଦ ଜୋନ୍ ରହିଛି । ଜିଲାପରିଷଦ ନିର୍ବାଚନରେ ବିଜୟ ଙ୍କ ନୀରବତା ବିଜେଡ଼ି ଓ କଂଗ୍ରେସ ମଧ୍ୟରେ ଆଶା ସଂଚାର କରିଥିବାବେଳେ ବିଜେପି ମଧ୍ୟରେ ଆଶଙ୍କା ସୃଷ୍ଟି କରିଛି । ଅଧିକନ୍ତୁ ୯ ନମ୍ବର ଜୋନ୍ ରେ ବିଜେପି ପ୍ରାର୍ଥି ସୁଦିପ୍ତା ପ୍ରଧାନ , ୧୦ ନମ୍ବର ଜୋନ୍ ରେ ବିଜେପି ପ୍ରାର୍ଥି ରଂଜିତ ଆଚାର୍ଯ୍ୟ ଓ ୧୧ ନମ୍ବର ଜୋନ୍ ରେ ବିଜେପି ପ୍ରାର୍ଥି ଡ଼ଲି ଶତପଥି ନିଜ ନିଜର ବ୍ୟାନରରେ ବିଜୟ ଙ୍କ ଫଟୋ ଛାପି ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ମଧ୍ୟ ବିଜୟ ଙ୍କ ନୀରବତା ସେମାନଙ୍କୁ ଆଶଙ୍କା ଓ ହତାଶ ମଧ୍ୟକୁ ଠେଲି ଦେଇଛି । ଅପର ପକ୍ଷରେ ବିଜୟ ଅନୁଗତଙ୍କ ମାନଙ୍କୁ ନିଜ ସପକ୍ଷରେ ନେବାକୁ ବିଜେଡ଼ି , କଂଗ୍ରେସ ସମେତ ବିଜେପି ମଧ୍ୟ କସରତ ଚଳାଇଛି । ୯ ନମ୍ବର ଜୋନ୍ ରେ ବିଜେଡ଼ି ର ଏଲିଜା ସ୍ୱାଇଁ ପ୍ରାର୍ଥି ହୋଇଛନ୍ତି । ସେହିପରି ୧୦ ନମ୍ବର ଜୋନ୍ ରେ ବିଜେଡ଼ି ର ସତ୍ୟାନନ୍ଦ ରାଉତ ଓ ୧୧ ନମ୍ବର ଜୋନ୍ ରେ ବିଜେଡ଼ି ର ଶ୍ରୀମତୀ ମଂଜୁବାଳା ଜେନା ପ୍ରାର୍ଥି ହୋଇ ନିର୍ବାଚନ ରଣାଙ୍ଗନରେ ସମର ଯୁଝୁଛନ୍ତି । ସେହିପରି ୯ ନମ୍ବର ଜୋନ୍ ରେ କଂଗ୍ରେସର ପୁଷ୍ୱାଂଜଳି ନାୟକ , ୧୦ ନମ୍ବର ଜୋନ୍ ରେ ସୁବାସ ଚନ୍ଦ୍ର ସାମଲ ଓ ୧୧ ନମ୍ବର ଜୋନ୍ ରେ ଅନପୂର୍ଣ୍ଣ ପୃଷ୍ଟି ପ୍ରାର୍ଥି ହୋଇ ନିର୍ବାଚନ ଲଢ଼ୁଛନ୍ତି । ବିଜେଡ଼ି ଦଳ ର ସେନାପତି ଭାବରେ ବିଧାୟିକା ସାବିତ୍ରୀ ଅଗ୍ରୱାଲା, ତାଙ୍କ ପୁତ୍ର ସଂଜୟ ଅଗ୍ରୱାଲା ଙ୍କ ସମେତ ଜିଲା ଯୁବ ବିଜେଡ଼ି ସଭାପତି ରାଜେସ ଦାସ ନେତୃତ୍ୱ ନେଇ ଦଳରେ ଥିବା ଅସନ୍ତାଷକୁ ପ୍ରଶମିତ କରିବା ସହିତ ବିଜେଡ଼ି ଭୋଟ ଏକତ୍ରୀକରଣ ରେ ଦିନ ରାତି ଏକ୍ କରିଦେଇଛନ୍ତି । ସେହିପରି କଂଗ୍ରେସ ଦଳ ପ୍ରାର୍ଥି ଙ୍କ ବିଜୟ ହାସଲ ପାଇଁ ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଦଳିୟ କର୍ମୀ ମାନଙ୍କୁ ଏକଜୁଟ୍ କରି ତୃଣମୂଳ ସ୍ତରରୁ କଂଗ୍ରେସର ପାରମ୍ପାରିକ ଭୋଟ୍ ସଜାଡ଼ିବା ସହିତ ନିର୍ବାଚନ ରଣ କୌଶଳକୁ ଆଗେଇ ନେବାରେ ଲାଗି ପଡ଼ିଛନ୍ତି । ସେହି ପରିପ୍ରେକ୍ଷିରେ ଦେଖିଲେ । ଗରଦପୁର ବ୍ଲକ୍ ରେ ବିଜେପି ବିଜୟ ଙ୍କ ବିହୁନରେ ନେତୃତ୍ୱ ଶୂନ୍ୟ ହୋଇ ପଡ଼ିଛି । ନିର୍ବାଚନ ପ୍ରଚାର ଅଭିଯାନ ସମୟ ଅଧା ଅତିକ୍ରାନ୍ତ ହୋଇଥିଲେ ମଧ୍ୟ ବିଜେପି ନେତୃତ୍ୱ ଦଳକୁ ସଂଗଠିତ କରିବା ପାଇଁ କେହି ଉପସ୍ଥିତ ହେବା ବା ଆଖି ଦୃଷ୍ଟିଆ ବୈଠକ କରିବା ଦେଖାଯାଉନାହିଁ । କେବଳ ବିଜେପି ଜିଲା ସଭାପତି କିଶୋର ପଣ୍ଡା ନିର୍ବାଚନ ରଣ କୌଶଳ ନିର୍ଦ୍ଧାରଣ କରି ପ୍ରାର୍ଥି ମାନଙ୍କୁ ପ୍ରଚାର ଅଭିଯାନରେ ଆଗେଇ ଯିବା ପାଇଁ ଭରଷା ଦେଉଥିବା ଶୁଣାଯାଉଛି । ଜଣା ଶୁଣା ବିଜେପି ଜିଲା କୃଷକ ମୋର୍ଚ୍ଚା ସଦସ୍ୟ ବିକ୍ରମ ରାଉତ ବିଜେପି ସପକ୍ଷରେ ବୁଲି ବିଜେପି ପ୍ରାର୍ଥି ଙ୍କୁ ବିଜୟୀ କରିବା ପାଇଁ କହୁଥିବା ଦେଖାଯାଉଛି । ଏସବୁ ମଧ୍ୟରେ ବିଜୟ ଙ୍କ ସହଶ୍ରାଧିକ ଅନୁଗତ ଜିଲା ପରିଷଦ ଭୋଟ ରେ କୁଆଡ଼େ ଢ଼ଳିବେ ତାକୁ ନେଇ ରାଜନୀତି ଅଙ୍କ କଷା ଚାଲିଛି । ଗରଦପୁର ବ୍ଲକ୍ ରେ ବିଜୟ ଙ୍କ ଅନୁଗତ ଭାବରେ ଆଗଧାଡ଼ିରେ ମହିଳା ନେତ୍ରୀ ଅହଲ୍ୟା ଲେଙ୍କା, ପ୍ରସନ୍ନ କୁମାର ପଣ୍ଡା,ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ପ୍ରଫୁଲ ସିଂ ,ପୂର୍ବତନ ସରପଂଚ ବିଭୁ ପ୍ରସାଦ ପରିଡ଼ା, ବିଜୟ ଙ୍କ ସହଯୋଗୀ କ୍ଷିତିଶ ଚନ୍ଦ୍ର ଦାସ,କ୍ଷୀରୋଦ ଚନ୍ଦ୍ର ମହାନ୍ତି, ଉମେଶ ଚନ୍ଦ୍ର ସାମନ୍ତସିଂହାର, ପ୍ରିତିଶ ମହାପାତ୍ର, କାବୁଲା ସାର୍ , ଅଧିର କୁମାର ପଣ୍ଡା, ତିର୍ଥାନନ୍ଦ ସ୍ୱାଇଁ, ଫକୀର ଚନ୍ଦ୍ର ବେହେରା, ଦେବେନ୍ଦ୍ର ପଣ୍ଡା, ଗୋଲେଖ ସ୍ୱାଇଁ, ପ୍ରତାପ ସ୍ୱାଇଁ, ଅବନୀ ମହାପାତ୍ର , ଶଶିକାନ୍ତ ଦଳେଇ ଙ୍କ ସମେତ ବିଭିନ୍ନ ପଂଚାୟତରେ ସରପଂଚ ଓ ସମିତି ସଭ୍ୟ ଭାବରେ ଲଢ଼ୁଥିବା ବହୁ ଅନୁଗତ ରହିଛନ୍ତି । ଭୋଟର ମାନଙ୍କ ଉପରେ ବିଜୟ ଓ ବିଜୟ ଙ୍କ ଅନୁଗତ ମାନଙ୍କର ଯଥେଷ୍ଟ ପ୍ରଭାବ ରହିଛି । ଗତ ବିଧାନସଭା ନିର୍ବାଚନରେ ଶାସକ ଦଳର ସଣ୍ଢୁଆସି ଆକ୍ରମଣ ପରେ ମଧ୍ୟ ବିଜୟ ଙ୍କୁ ଗରଦପୁର ବ୍ଲକ୍ ରେ ଆଖି ଦୃଷ୍ଟିଆ ଭୋଟ ମିଳିଥିଲା । ବିଜେଡ଼ି ପ୍ରାର୍ଥି ଙ୍କ ଠାରୁ ମାତ୍ର ୨୫୦୦ କମ୍ ଭୋଟ ବ୍ୟବଧାନ ରହିଥିଲା । ଅଧିକନ୍ତୁ ଗତ ୨୦୧୭ ପଂଚାୟତ ନିର୍ବାଚନରେ ୯ ଓ ୧୧ ନମ୍ବର ଜୋନ୍ ରେ ବିଜୟ ଅନୁଗତ ପ୍ରାର୍ଥି ମାନେ ଜିଲା ପରିଷଦ ଭୋଟ୍ ରେ ବିଜୟୀ ହୋଇଥିଲେ । କେବଳ ୧୦ ନମ୍ବର ଜୋନ୍ ରେ ବିଜେଡ଼ି ପ୍ରାର୍ଥି ମାତ୍ର ୨୫୦ ଖଣ୍ଡ ଭୋଟ୍ ପାଇ ବିଜୟି ହୋଇଥିଲୋ ଏଥିରୁ ସ୍ପଷ୍ଟ ଯେ ଗରଦପୁର ବ୍ଲକ୍ ରେ ବିଜୟ ଙ୍କ ପ୍ରଭାବ ଓ ଭୋଟରଙ୍କ ଉପରେ ଦବଦବା ଆଜି ସୁଦ୍ଧା ଜାରି ରହିଛି ।ତେଣୁ ଜିଲା ପରିଷଦ ଜୋନ୍ ରେ ବିଜୟ ଙ୍କ ନୀରବତା ରୁ ଫାଇବା ଉଠାଇବା ପାଇଁ କଂଗ୍ରେସ ଅପେକ୍ଷା ବିଜେଡ଼ି ପ୍ରୟାସ ଆଗରେ ଅଛି । ଅଧିକନ୍ତୁ ବିଜୟ ଲିଗାସି କୁ ଭୋଟ ରେ ରୂପାନ୍ତରିତ କରି ବିଜେଡ଼ି ଦଳିୟ ପ୍ରାର୍ଥି ମାନଙ୍କୁ ଭଲ ଭୋଟ ବ୍ୟବଧାନରେ ବିଜୟୀ କରାଇବାର ଲକ୍ଷ ରଖିଛି । ଓଡ଼ିଶା ସମାଚାର