ଭବାନୀପାଟଣା, ୦୫/୦୨/୨୦୨୨ (ଓଡ଼ିଶା ସମାଚାର)- ଗ୍ରାଉଣ୍ଡ ଜିରୋରୁ ଖବର ସଂଗ୍ରହ ପାଇଁ ଯାଇଥିବା ସାମ୍ବାଦିକ ମାଓବାଦୀଙ୍କ ଲ୍ୟାଣ୍ଡମାଇନ୍ର ଶିକାର ହୋଇଛନ୍ତି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ସାମ୍ବାଦିକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ ଆଜି ପୂର୍ବାହ୍ନରେ ଏହି ଅଭାବନୀୟ ଘଟଣା ଘଟିଛି। ଲ୍ୟାଣ୍ଡମାଇନ୍ ବିସ୍ଫୋରଣର ଶିକାର ହୋଇଛନ୍ତି ସାମ୍ବାଦିକ ରୋହିତ ବିଶ୍ବାଳ।
ସୂଚନା ଅନୁସାରେ ମଦନପୁର ରାମପୁରରୁ ମୋହନଗିରି ମୁଖ୍ୟ ରାସ୍ତାର ଡମକର୍ଲାଖୁଣ୍ଟା ମାଣିକେରା ମଧ୍ୟରେ ମାଓବାଦୀମାନେ ଜଙ୍ଗଲରେ ପୋଷ୍ଟର ମାରିଥିଲେ ଏବଂ ବ୍ୟାନର ଲଗାଇଥିଲେ। ମାଓବାଦୀଙ୍କର ଏହି ପୋଷ୍ଟର ବ୍ୟାନର ଲାଗିଥିବା ସୂଚନା ପାଇ ରୋହିତ ଖବର ସଂଗ୍ରହ ପାଇଁ ଯାଇଥିଲେ। ଅରଖକୁପା ଛକ ନିକଟ ଦୁଲେନ୍ ଗାଁ ଜଙ୍ଗଲକୁ ଯାଇଁ ଗ୍ରାଉଣ୍ଡ ଜିରୋ ରିପୋର୍ଟିଂ କରୁଥିବା ବେଳେ ପୂର୍ବାହ୍ନ ୧୧ଟା ୩୦ରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣର ଶବ୍ଦ ବଡ଼ଧରଣର ହୋଇଥିବାରୁ ଦୁଲେନ୍ ଗାଁର ଲୋକେ ଘଟଣାସ୍ଥଳରେ ପହଞ୍ଚି ଥିଲେ। କିନ୍ତୁ ଗାଁ ଲୋକେ ପହଞ୍ଚିବା ପୂର୍ବରୁ ରୋହିତ ଛଟପଟ ହୋଇ ଅଳ୍ପ ସମୟ ମଧ୍ୟରେ ପ୍ରାଣ ହାରିଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ମୃତଦେହ ବ୍ୟବଛେଦ ପାଇଁ ପଠାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।ଓଡ଼ିଶା ସମାଚାର
