ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟ ରେ କରୋନାର ପ୍ରକୋପ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ଆସନ୍ତା ୭ ତାରିଖରୁ ହାଇସ୍କୁଲ୍, କଲେଜ ଓ ବିଶ୍ବବିଦ୍ୟାଳୟ ଖୋଲିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସମସ୍ତ ବୈଷୟିକ ଶିକ୍ଷାନୁଷ୍ଠାନ ଓ ହଷ୍ଟେଲ୍ ମଧ୍ୟ ଖୋଲିବ। ଦ୍ବିତୀୟ ପର୍ୟ୍ୟାୟରେ ଆସନ୍ତା ୧୪ ତାରିଖ ଠାରୁ ପ୍ରାରମ୍ଭ/କେଜି ରୁ ସପ୍ତମ ଶ୍ରେଣୀ ପର୍ୟ୍ୟନ୍ତ ସ୍କୁଲ୍ ଖୋଲାଯିବ। ସବୁ ଶିକ୍ଷାନୁଷ୍ଠାନରେ କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରାଯିବ।ମୁଖ୍ୟ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏସମ୍ପର୍କରେ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଗତ ଏକ ମାସ ମଧ୍ୟରେ ରାଜ୍ୟରେ କରୋନାର ତୃତୀୟ ଲହର ନିୟନ୍ତ୍ରଣାଧୀନ ଅଛି। କରୋନା ନମୁନା ପରୀକ୍ଷା ଓ ପଜିଟିଭ୍ ହାର କମ୍ ଅଛି। ଇତିମଧ୍ୟରେ ୧୫ରୁ ୧୮ ବର୍ଷ ବୟସ୍କ ବହୁ ସଂଖ୍ୟକ ପିଲାଙ୍କୁ ଟିକା ଦିଆଯାଇଛି। କରୋନା ଯୋଗୁ ଗତ ଦୁଇ ବର୍ଷରେ ପିଲାମାନଙ୍କ ଶିକ୍ଷା ବହୁ ପରିମାଣରେ ପ୍ରଭାବିତ ହୋଇଥିବାରୁ ବର୍ତ୍ତମାନ କୋଭିଡ୍ ନିୟମ ଅନୁପାଳନ ସହ ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ଦକ୍ଷତା ବିକାଶ ଓ ବୈଷୟିକ ତାଲିମ, କୃଷି ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଅଧୀନରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବ। ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ ମୋଡ୍ରେ ପାଠପଢ଼ା ହେବ। ନିଜ ନିଜ ବିଭାଗରେ ବିଦ୍ୟାଳୟ ଶିକ୍ଷାଦାନ ଓ ପରୀକ୍ଷା ଆଦି ବିଷୟରେ ସଂପୃକ୍ତ ବିଭାଗମାନେ ଗାଇଡ୍ଲାଇନ୍ ଜାରି କରିବେ। ଶ୍ରେଣୀ ଗୃହ ପାଠପଢ଼ା ଓ ପରୀକ୍ଷା ଆଦି ସମୟରେ ସମସ୍ତ ଶିକ୍ଷାନୁଷ୍ଠାନ କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ଅନୁପାଳନ କରିବେ। ଏଥିପାଇଁ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟ ଓ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିବେ।ଉଚ୍ଚଶିକ୍ଷା ବିଭାଗର ପରୀକ୍ଷା ଜାନୁଆରି ୧୦ ତାରିଖ ପୂର୍ବର ନିୟମ ଓ ଗାଇଡ୍ଲାଇନ୍ ଅନୁସାରେ ହେବ। ଆବଶ୍ୟକ ସ୍ଥଳେ ବ୍ରିଜ୍ କୋର୍ସ, ସ୍ବଳ୍ପ ଅବଧି ଓ ମଧ୍ୟମ ଅବଧି ଆଦି ପାଠ୍ୟକ୍ରମ କରି ପିଲାଙ୍କର ପାଠ୍ୟଖସଡ଼ା ଶେଷ କରିବା ପାଇଁ ମୁଖ୍ୟ ସଚିବ ପରାମର୍ଶ ଦେଇଥିଲେ। ଆବଶ୍ୟକ ସ୍ଥଳେ ଖରାଦିନ ଛୁଟିର ଅବଧି କମାଇ ଶିକ୍ଷାଦାନ କରିପାରିବେ। ସବୁ ବିଭାଗର ସବୁ ଅନୁଷ୍ଠାନ ପାଇଁ ସରକାରଙ୍କ ଏହି ନିଷ୍ପତ୍ତି ଲାଗୁ ହେବ। ସମସ୍ତ ଶିକ୍ଷାନୁଷ୍ଠାନ, ପରିଚାଳନା କମିଟି, ଶିକ୍ଷକ/ଶିକ୍ଷୟିତ୍ରୀ ଓ ଅଭିଭାବକମାନେ ମିଳିତ ଭାବେ ପ୍ରୟାସ କଲେ ପିଲାମାନଙ୍କ ଶିକ୍ଷାଦାନରେ ହୋଇଥିବା କ୍ଷତିକୁ ପୂରଣ କରିପାରିବା ବୋଲି ଶ୍ରୀ ମହାପାତ୍ର କହିଛନ୍ତି।
ମୁଖ୍ୟ ସଚିବଙ୍କ ଘୋଷଣା ପରେ ପରେ ସ୍କୁଲ୍ ଖୋଲିବା ପାଇଁ ସ୍ବତନ୍ତ୍ର ରିଲିଫ୍ କମିସନର୍ଙ୍କ ପକ୍ଷରୁ ଗାଇଡ୍ଲାଇନ୍ ଜାରି ହୋଇଛି। ଏଥିରେ କୁହାଯାଇଛି ଯେ ଛାତ୍ରଛାତ୍ରୀମାନେ ସେମାନଙ୍କ ଇଚ୍ଛା ମୁତାବକ ଅନ୍ଲାଇନ୍ କିମ୍ବା ଅଫ୍ଲାଇନ୍ କ୍ଲାସ୍ କରିପାରିବେ। ଶ୍ରେଣୀ ଗୃହ ଶିକ୍ଷାଦାନ ଆରମ୍ଭ ହେବା ମାତ୍ରେ ସବୁ ହଷ୍ଟେଲ୍ ଖୋଲିବ। ପାଠ୍ୟକ୍ରମ ଶେଷ କରିବା ପାଇଁ ସଂପୃକ୍ତ ବିଭାଗ ଓ ଅନୁଷ୍ଠାନ ଏକାଡେମିକ୍ ବର୍ଷକୁ ସଂଶୋଧନ କରିପାରିବେ। ନବମ ଶ୍ରେଣୀ ପର୍ୟ୍ୟନ୍ତ ପରୀକ୍ଷା ଓ ଏକାଦଶରୁ ଦ୍ବାଦଶ ଶ୍ରେଣୀ ପଦୋନ୍ନତି ପାଇଁ କ୍ଲାସ୍ ଆସେସ୍ମେଣ୍ଟ୍ କରାଯିବ।
ଦେଶରେ ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ଖୋଲିବା ନେଇ ନିଷ୍ପତ୍ତି ନେଇ ପାରିବେ। କେନ୍ଦ୍ର ସରକାରଙ୍କ ପକ୍ଷରୁ ଜାରି ହୋଇଥିବା ନୂଆ ମାର୍ଗଦର୍ଶିକାରେ ଦର୍ଶାଯାଇଛି ଯେ କୋଭିଡ ନିୟମମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନ ଖୋଲାଯାଇପାରିବ। ସାମାଜିକ ଦୂରତ୍ବ ଜାଗାରେ ଶାରୀରିକ ଦୂରତ୍ବ ଶବ୍ଦ ବ୍ୟବହାର ପାଇଁ ପରାମର୍ଶ ଦିଆଯାଇ କୁହାଯାଇଛି ଯେ ଶାରୀରିକ ଦୂରତ୍ବ ବଜାୟ ପାଇଁ ସ୍କୁଲ ପରିସରରେ ମାର୍କିଂ କରାଯିବ। ସ୍କୁଲରେ କ୍ରୀଡ଼ା ଉତ୍ସବ ଓ ସାଂସ୍କୃତିକ କାର୍ୟ୍ୟକ୍ରମ ଉପରେ ରାଜ୍ୟ ସ୍ଥିର କରିବ। ଟିକାକରଣ ସହ କୋଭିଡ ମାର୍ଗଦର୍ଶିକା ମାନି ସ୍କୁଲକଲେଜ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲାଯାଇପାରିବ।ଓଡ଼ିଶା ସମାଚାର