Tuesday , August 9 2022
Breaking News
Home / ରାଜନୀତି / ବେଦାନ୍ତ – ଓ.ଇ.ଆର.ସି. ମଧୁ ଚନ୍ଦ୍ରିକା : ୧୬୩ କୋଟି ଟଙ୍କା ତଣ୍ଡ ଗଣିବେ ବିଜୁଳି ଉପଭୋକ୍ତା : ସମାଜବାଦୀ ପାର୍ଟି

ବେଦାନ୍ତ – ଓ.ଇ.ଆର.ସି. ମଧୁ ଚନ୍ଦ୍ରିକା : ୧୬୩ କୋଟି ଟଙ୍କା ତଣ୍ଡ ଗଣିବେ ବିଜୁଳି ଉପଭୋକ୍ତା : ସମାଜବାଦୀ ପାର୍ଟି

ଭୁବନେଶ୍ୱର,୦୪/୦୨/୨୦୨୨ (ଓଡ଼ିଶା ସମାଚାର)-  ଗ୍ରୀଡକୋର ଦରଖାସ୍ତ କରିବାର ଗୋଟିଏ ଦିନ ବିଳମ୍ବ ଯୋଗୁଁ ରାଜ୍ୟର ୯୨ଲକ୍ଷ ବିଜୁଳି ଉପଭୋକ୍ତା ଜାନୁଆରୀ ରୁ ମାର୍ଚ୍ଚ ୨୦୨୨ ଏହି ତିନିମାସ ପାଇଁ ୧୬୩ କୋଟି ଟଙ୍କାର ବିଜୁଳି ଶୁଳ୍କ ତଣ୍ଡ ଗଣିବାକୁ ଯାଉଛନ୍ତି । କାହା ଭୁଲ୍ ଯୋଗୁଁ ରାଜ୍ୟର ଲକ୍ଷଲକ୍ଷ ବିଦୁ୍ୟତ୍ ଉପଭୋକ୍ତାଙ୍କ ମୁଣ୍ଡ ଉପରେ ଏହି ଚଡ଼କ ପଡ଼ିଛି, ତାହାର ତଦନ୍ତ କରାଯାଇ ଉତରଦାୟିତ୍ୱ ନ୍ୟସ୍ତ କରାଯିବା ସହିତ ଶୃଙ୍ଖଳାନୁଷ୍ଠାନ କାର୍ଯ୍ୟାନୁଷ୍ଠାନ ଆଇନ୍ ଅନୁଯାୟୀ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଘଟଣାରୁ ବିବରଣୀରୁ ପ୍ରକାଶ ଯେ, ବେଦାନ୍ତ କମ୍ପାନୀ ୨୦୧୨ ଡିସେମ୍ବର ୧୯ ତାରିଖର ବିଜୁଳି କ୍ରୟ ବୁଝାମଣାକୁ ଅବଜ୍ଞା କରି ଗ୍ରୀଡକୋକୁ ଜାନୁଆରୀରୁ ମାର୍ଚ୍ଚ ୩ ମାସ ପାଇଁ ୭୫୧ ମିଲିୟନ୍ ୟୁନିଟ୍ ବିଜୁଳି ଦେବାକୁ ମନା କରିଦେଲା । କାରଣ, ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗଙ୍କ ଆଦେଶ ଅନୁଯାୟୀ ଗ୍ରୀଡକୋ କୁ ୧ ମାସ ଭିତରେ ଦରଖାସ୍ତ କରିବା ଆବଶ୍ୟକ ଥିଲା । ଅର୍ଥାତ୍ ଗ୍ରୀଡକୋ ପକ୍ଷରୁ ୪ ନଭେମ୍ବର ୨୦୨୧ ସୁଦ୍ଧା ନିଜର ଆବଶ୍ୟକତା ପାଇଁ ବେଦାନ୍ତକୁ ଦରଖାସ୍ତ କରି ବିଜୁଳି ମାଗିବାର ଥିଲା । କିନ୍ତୁ, ଗ୍ରୀଡକୋ ଗୋଟିଏ ଦିନ ବିଳମ୍ବରେ ଅର୍ଥାତ୍ ୫ ଅକ୍ଟୋବର ୨୦୨୧ରେ ନିଜର ଆବଶ୍ୟକତାକୁ ଦର୍ଶାଇ ଓ.ଇ.ଆର.ସି. ପାଖରେ ଦରଖାସ୍ତ ବେଦାନ୍ତର ଝାରସୁଗୁଡା ବିଜୁଳି ଉତ୍ପାଦନ କେନ୍ଦ୍ରରୁ ୭୫୧ ମିଲିୟନ୍ ୟୁନିଟ୍ ବିଜୁଳି କ୍ରୟ କରିବା ପାଇଁ ଦରଖାସ୍ତ ଦାଖଲ କଲା । ଏହି ଗୋଟିଏ ଦିନର ବିଳମ୍ବ ପାଇଁ ଓଡ଼ିଶା ରାଜ୍ୟ ବିଦୁ୍ୟତ୍ ନିୟାମକ ଆୟୋଗ କର୍ତୃପକ୍ଷ ଗ୍ରୀଡକୋର ଦରଖାସ୍ତଟିକୁ ନାକଚ କରିବା ସହିତ ଏହାର ଆବଶ୍ୟକତାକୁ ଗ୍ରହଣ କରିବାକୁ ମନା କରିଦେଲେ । ଫଳରେ ଗ୍ରୀଡ଼କୋ ଆଗାମୀ ୩ ମାସ ପାଇଁ (ଜାନୁଆରୀରୁ ମାର୍ଚ୍ଚ) ନିଜର ବିଜୁଳି ଆବଶ୍ୟକତା ମେଂଟାଇବା ପାଇଁ ଏନ୍.ଟି.ପି.ସି.ର ଫାରକା ଓ କାହାଲଗାଁ ଶକ୍ତି କେନ୍ଦ୍ରରୁ ୭୫୧ ମିଲିଅନ୍ ୟୁନିଟ୍ ପିଛା ୪ ଟଙ୍କା୬୯ପଇସାରେ କିଣିବାକୁ ବାଧ୍ୟ ହେଲା । ୨୦୧୨ ଡିସେମ୍ବର ୧୯ ତାରିଖର ବୁଝାମଣା ପତ୍ର ଅନୁଯାୟୀ ବେଦାନ୍ତଠାରୁ ବିଦୁ୍ୟତ୍ କିଣିଥିଲେ, ପ୍ରତି ୟୁନିଟ୍ ପିଛା ଗ୍ରୀଡକୋ କୁ ୨ ଟଙ୍କା ୫୨ ପଇସା ଦେବାକୁ ପଡ଼ିଥାଆନ୍ତା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀଙ୍କ ଅଦ୍ୟଶ୍ୟ ବୁଝାମଣା ଯୋଗୁଁ ଗ୍ରୀଡକୋକୁ ୟୁନିଟ୍ ପିଛା ଟ.୨.୧୭ପଇସା (୪ଟଙ୍କା ୬୯ପ. – ଘ.୨.୫୨ପ.) ଅଧିକ ଦର୍ ରେ ୭୫୧ ମିଲିୟନ୍ ୟୁନିଟ୍ କୁ ୧୬୩ କୋଟି ଟଙ୍କା ଅଧିକ ମୂଲ୍ୟ ଦେଇ କିଣିବାକୁ ବାଧ୍ୟ ହେଲା । ତା’ ନହେଲେ ଅଧା ଓଡ଼ିଶା ଅନ୍ଧାର ଭିତରକୁ ଠେଲି ହୋଇଯାଇଥାଆନ୍ତା । ତେଣୁ ଏହି ୧୬୩ କୋଟି ଟଙ୍କାକୁ ଗ୍ରୀଡ୍କୋ ବର୍ତମାନ ରାଜ୍ୟର ଲକ୍ଷଲକ୍ଷ ଉପଭୋକ୍ତାଙ୍କ ଠାରୁ ବିଦୁ୍ୟତ୍ ଶୁଳ୍କ ବୃଦ୍ଧି ଜରିଆରେ ଆଦାୟ କରିବାକୁ ଅନ୍ଟା ଭିଡ଼ିଛି । ଗ୍ରୀଡକୋର ଦାୟିତ୍ୱହିନତା ଏବଂ ବେଦାନ୍ତ ଓ.ଇ.ଆର.ସି.ର ମଧୁଚନ୍ଦ୍ରିକା ଯୋଗୁଁ ରାଜ୍ୟର ଉପଭୋକ୍ତାମାନେ ଏହି ତଣ୍ଡ ଗଣିବାକୁ ଯାଉଛନ୍ତି । ତେଣୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଏଥିପାଇଁ ଦାୟୀ କର୍ତୃପକ୍ଷଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା ଦାବି କରିଛନ୍ତି । ଓଡ଼ିଶା ସମାଚାର

About admin

Check Also

ମୁଖ୍ୟମନ୍ତ୍ରୀ ଙ୍କୁ ସ୍ୱଗତ ଜଣାଇବା ପାଇଁ ବିଜୁ ଜନତା ଦଳର ପ୍ରସ୍ତୁତି ବୈଠକ

Leave a Reply

Your email address will not be published.