Tuesday , September 27 2022
Breaking News
Home / ନିର୍ବାଚନ / ଗରଦପୁର : ୧୦ ନମ୍ବର ଜିଲା ପରିଷଦ ଜୋନ୍ ରେ ଟକ୍କର ଯୋରଦାର

ଗରଦପୁର : ୧୦ ନମ୍ବର ଜିଲା ପରିଷଦ ଜୋନ୍ ରେ ଟକ୍କର ଯୋରଦାର

ଗରଦପୁର, ୦୩/୦୨/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ର ୧୦ ନମ୍ବର ଜିଲା ପରିଷଦ ଜୋନ୍ ରେ ରାଜନୈତିକ ଲଢ଼େଇ ଯୋରଦାର ହେବାର ସଂକେତ ଦେଲାଣି । ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଚଳିତ ବର୍ଷ ଚଳିତ ଥର ଏହି ଜୋନ୍ ଟି ଅଣ ସଂରକ୍ଷିତ ରହିଛି । ଏଠାରେ ମୋଟ୍ ୭ ଜଣ ପ୍ରାର୍ଥି ନିର୍ବାଚନ ମଇଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି । ବିଜେଡ଼ି ରୁ ସତ୍ୟାନନ୍ଦ ରାଉତ, କଂଗ୍ରେସ ରୁ ସୁବାସ ଚନ୍ଦ୍ର ସାମଲ, ବିଜେପି ରୁ ରଂଜିତ କୁମାର ଆଚାର୍ଯ୍ୟ ନିର୍ବାଚନ ଲଢ଼ୁଥିବାବେଳେ ସ୍ୱାଧୀନ ପ୍ରାର୍ଥି ଭାବରେ ସନ୍ତୋଷ କୁମାର ଜେନା, ନାରାୟଣ ପ୍ରସାଦ ସ୍ୱାଇଁ , ମହେଶ ଦାସ , ସରୋଜ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରି ନିର୍ବାଚନ ଲଢ଼ୁଛନ୍ତି । ଏହି ଜୋନ୍ ରେ ମୋଟ ୯୯ ଟି ବୁଥ ରହିଥିବାବେଳେ ଭୋଟର ସଂଖ୍ୟା ୩୦ ହଜାର ରୁ ଅଧିକ । ବ୍ଲକ୍ ର ନଡ଼ିଆ ବରେଇ, ରାଚନ୍ଦ୍ରପୁର,ତିକନପୁର,ବଙ୍ଗାଳପୁର,ସାନ ଅଢ଼ଙ୍ଗା, ଭଗବାନପୁର ଗ୍ରାମ ପଂଚାୟତକୁ ନେଇ ଗଠିତ ହୋଇଛି । ଗତ ୨୦୦୨ ପଂଚାୟତ ନିର୍ବାଚନରେ ଏହି ଜୋନ୍ କଂଗ୍ରେସ ଦଖଲକୁ ଯାଇଥିବାବେଳେ ଗତ ୩ ଟି ନିର୍ବାଚନରେ ଏହି ଜୋନ୍ ବିଜେଡ଼ି ଦଖଲ ରେ ରହିଛି ।

୨୦୦୨ ନିର୍ବାଚନରେ ଏହି ଜୋନ୍ ରୁ କଂଗ୍ରେସ ଟିକଟରେ କୁଂଜ ବିହାରୀ ଜେନା ନିର୍ବାଚିତ ହୋଇଥିଲେ । କିନ୍ତୁ ୨୦୦୭ ରେ ବିଜେଡ଼ି ରୁ ସନ୍ତୋଷ ମହାଳୀ, ୨୦୧୨ରେ ବିଜେଡ଼ ରୁ କୁଂଜ ବିହାରୀ ଜେନା ଓ ୨୦୧୭ ରେ ବିଜେଡ଼ି ର ସୁଜାତା ରାଉତରାୟ ଜିଲା ପରିଷଦ ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ । ଚଳିତ ନିର୍ବାଚନରେ ବିଜେଡ଼ି ଭଗବାନପୁର ପଂଚାୟତର ପୂର୍ବତନ ସରପଂଚ ସତ୍ୟାନନ୍ଦ ରାଉତ ଙ୍କୁ ପ୍ରାର୍ଥି କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକ ପ୍ରିୟତା ଓ ସରକାରଙ୍କର ଜନ ହିତକର କାର୍ଯ୍ୟକୁ ଆଧାର କରି ସତ୍ୟାନନ୍ଦ ବିଜେଡ଼ି ପକ୍ଷରୁ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଛନ୍ତି । କଂଗ୍ରେସ ପକ୍ଷରୁ ସୁବାସ ଚନ୍ଦ୍ର ସମାଲ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବାବେଳେ ସେ ବିଜେପି ଓ ବିଜେଡ଼ି ସରକାରଙ୍କ ଚାଷୀ ମାରଣ ନୀତି ଓ ବେକାରୀ ସମସ୍ୟାକୁ ଫୋକସ ରେ ରଖିଛନ୍ତି । ସେହିପରି ବିଜେପି ପ୍ରାର୍ଥି ରଂଜିତ କୁମାର ଆଚାର୍ଯ୍ୟ ନରେନ୍ଦ୍ର ମୋଦୀ ଙ୍କ ଜନ ହିତକର କାର୍ଯ୍ୟକ୍ରମକୁ ପାଥେୟ କରି ନିର୍ବାଚନ ଜିଣିବା ପାଇଁ ଆଶା ପ୍ରକାଶ କରିଛନ୍ତି । ସେ ରାଷ୍ଟ୍ରିୟ ସ୍ୱୟଂ ସେବକ ସଂଘର ଜିଲା ସ୍ତରରେ କାର୍ଯ୍ୟକରୁଥିବାରୁ ଦଳ ତାଙ୍କୁ ଏହି ଜୋନ୍ ରୁ ନୂତନ ଭାବେ ପ୍ରାର୍ଥି କରିଛି । ଅପର ପକ୍ଷରେ ଏଠାରେ ସ୍ୱାଧିନ ପ୍ରାର୍ଥି ଭାବରେ ସନ୍ତୋଷ କୁମାର ଜେନା ନିର୍ବାଚନ ଲଢ଼ୁଛନ୍ତି । ଗତ ୨୦୧୭ ନିର୍ବାଚନରେ ୯ ନମ୍ବର ଜୋନ୍ ରୁ ବିଜେପି ଟିକେଟ ରେ ସନ୍ତୋଷ ଜିଲା ପରିଷଦ ସଦସ୍ୟ ନିର୍ବାଚିତ ହୋଇଥିଲେ । ଚଳିତ ଥର ୯ ନମ୍ବର ଜୋନ୍ ଟି ମହିଳା ଙ୍କ ପାଇଁ ସଂରକ୍ଷିତ ରହିଛି । ଦଳ ତରଫରୁ ତାଙ୍କୁ ଟିକେଟ ନମିଳିବାରୁ ସେ ସ୍ୱାଧିନ ପ୍ରାର୍ଥି ଭାବେ ୧୦ ନମ୍ବର ଜୋନ୍ ରୁ ନିର୍ବାଚନ ଲଢ଼ୁଛନ୍ତି । ଅଂଚଳର ଜନ ସାଧାରଣଙ୍କ ସହିତ ତାଙ୍କର ଥିବା ସମ୍ପର୍କ ତାଙ୍କ ର ମୁଖ୍ୟ ନିର୍ବାଚନ ଆଧାର ରହିଛି । ସେହିପରି ନାରାୟଣ ପ୍ରସାଦ ସ୍ୱାଇଁ ସ୍ୱାଧିନ ପ୍ରାର୍ଥି ଭାବେ ନିର୍ବାଚନ ଲଢ଼ୁଛନ୍ତି । ପୂର୍ବରୁ ସେ କଂଗ୍ରେସ ଟିକେଟ ରେ ବିଧାୟକ ପ୍ରାର୍ଥି ଭାବେ ନିର୍ବାଚନ ଲଢ଼ିଥିଲେ । ପରେ ବିଜେପି ରେ ସାମିଲ ହୋଇଥିଲେ । ଏବେ ଦଳିୟ ଟିକେଟ ନମିଳିବାରୁ ସ୍ୱାଧିନ ଭାବେ ସେ ନିର୍ବାଚନ ଲଢ଼ୁଛନ୍ତି । ଏଥି ସହିତ ସରୋଜ ପଟ୍ଟନାୟକ , ମହେଶ ଦାସ ମଧ୍ୟ ନୂତନ ଭାବରେ ଏହି ଜୋନ୍ ରୁ ସ୍ୱାଧିନ ଭାବେ ଜିଲା ପରିଷଦ ପ୍ରାର୍ଥି ହୋଇଛନ୍ତି । ଏଠାରେ ବହୁ ପ୍ରାର୍ଥି ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିବାରୁ ଏବଂ ୨ ଜଣ ସ୍ୱାଧିନ ପ୍ରାଥି ଙ୍କ ନିର୍ବାଚନ ରେ ଗୋଟି ଚାଳନା ନିର୍ବାଚନ ଗଣିତକୁ ଜଟିଳ କରିବା ସମ୍ଭାବନା ରହିଛି । ତେଣୁ ଏଠାରେ ନିର୍ବାଚନ ତୀବ୍ର ପ୍ରତିଦ୍ୱନ୍ଦିତା ମୂଳକ ହେବ ବୋଲି ବୁଦ୍ଧିଜିବୀ ମହଲରେ ଆଲୋଚନା ହେଉଛି । ଓଡ଼ିଶା ସମାଚାର

Leave a Reply

Your email address will not be published.