ଗରଦପୁର, ୦୩/୦୨/୨୦୨୨ (ଓଡ଼ିଶା ସମାଚାର)- ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଗରଦପୁର ବ୍ଲକର ୯ ନଂ. ଜୋନ୍ ପୂର୍ବପରି ଚର୍ଚ୍ଚାରେ ରହିଛି । କାରଣ ଏହି ଜୋନ ରେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ଘର । ଏହି ଜୋନ୍ ବନ୍ତଳା, ତଳକୁସୁମା, ପଳସୁଧା, ତେଣ୍ଡାକୁଡା, ବଡବେତେରା ଓ ମଧୁଶାସନ ଭଳି ୬ଟି ଗ୍ରାମ ପଂଚାୟତକୁ ନେଇ ଗଠିତ । ତେଣ୍ଡାକୁଡ଼ା ୨୫ ଟି ୱାର୍ଡ଼, ମଧୁ ଶାସନ ୧୩ ଟି ୱାର୍ଡ଼, ବଡ଼ ବେତ୍ରା ୧୨ ଟି ୱାର୍ଡ଼, ପଳସୁଧା ୧୧ ଟି ୱାର୍ଡ଼ ଓ ତଳକୁସୁମା ୧୬ ଟି ୱାର୍ଡ଼ – ମୋଟ୍ ୬ ଟି ପଂଚାୟତର ୯୧ ଟି ୱାର୍ଡ଼କୁ ନେଇ ୯ ନମ୍ବର ଜିଲା ପରିଷଦ ଜୋନ୍ ଗଠିତ । ଏହି ୯ ନଂ. ଜୋନ୍ ରେ ୯୧ଟି ବୁଥ୍ ଥିବା ବେଳେ ଏହାର ଭୋଟର ସଂଖ୍ୟା ୩୦ ହଜାର ୯୧୦ ।

୨୦୦୭ ତ୍ରିସ୍ତରୀୟ ନିର୍ବାଚନରେ ଶ୍ରୀ ମହାପାତ୍ରଙ୍କ ସମର୍ଥନରେ ଓଡ଼ିଶା ଗଣ ପରିଷଦ (ଓଜିପି) ପ୍ରାର୍ଥୀଭାବେ କମଳଲୋଚନ ସେଠୀ ବିଜୟୀ ହୋଇଥିଲାବେଳେ ୨୦୧୨ ନିର୍ବାଚନରେ ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀନୀ ରେବତୀ ଶତପଥି,୨୦୧୭ ନିର୍ବାଚନରେ ବିଜେପିର ସନ୍ତୋଷ କୁମାର ଜେନା ବିଜୟୀ ହୋଇଥିଲେ । ଦେଖାଯାଇଛି ଗତ ତିନୋଟି ଯାକ ନିର୍ବାଚନରେ ଶ୍ରୀ ମହାପାତ୍ରଙ୍କ ଦବଦବା ଯୋଗୁ ତାଙ୍କ ସମର୍ଥୀତ ପ୍ରାର୍ଥୀମାନେ ୯ ନଂ. ଜିଲ୍ଲା ପରିଷଦ ଜୋନ୍ ରେ ବିଜୟ ଲାଭ କରିଥିଲେ । ଚଳିତ ନିର୍ବାଚନରେ ୯ ନଂ. ଜୋନ୍ ଟି ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ବିଜେପି ତରଫରୁ ସୁଦୀପ୍ତା ପ୍ରଧାନ, ବିଜେଡି ତରଫରୁ ଏଲିଜା ସ୍ୱାଇଁ ଓ କଂଗ୍ରେସ ତରଫରୁ ପୁଷ୍ପାଞ୍ଜଳି ନାୟକ ପ୍ରାର୍ଥୀପତ୍ର ଦାଖଲ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି । ବିଜେପି ତରଫରୁ ପ୍ରାର୍ଥୀନୀ ସୁଦୀପ୍ତା ପ୍ରଧାନ ପ୍ରଥମ କରି ରାଜନୀତିରେ ପାଦ ଦେଇଥିବାବେଳେ ତାଙ୍କ ସ୍ୱାମୀ ବିଜେପିର ଜଣେ ସକ୍ରୀୟ କର୍ମୀ ଅଟନ୍ତି ।

ତେଣୁ ଶ୍ରୀମତୀ ପ୍ରଧାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନହିତକର କାର୍ଯ୍ୟକ୍ରମ ଓ ବ୍ୟକ୍ତିତ୍ୱକୁ ଲୋକଲୋଚନକୁ ଆଣି ନିର୍ବାଚନ ଜିତିବା ପାଇଁ ଆଶା ରଖିଛନ୍ତି । କାରଣ ପୂର୍ବ ଦୁଇ ଥର ବିଜେପି ସମର୍ଥୀତ ପ୍ରାର୍ଥୀ ଜିତିଥିବାରୁ ତାଙ୍କର ମନୋବଳ ଦୃଢ଼ ଥିଲାଭଳି ମନେହୁଏ । ସେହିପରି ବିଜେଡି ଦଳର ପ୍ରାର୍ଥୀନୀ ଏଲିଜା ସ୍ୱାଇଁ ବିଧାୟିକାଙ୍କ ଦ୍ୱାରା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ତଥା ତୃଣମୂଳସ୍ତରରେ ବିଭିନ୍ନ କଲ୍ୟାଣକାରୀ ଯୋଜନାର ସୁଫଳକୁ ପାଥେୟ କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା ଜନସାଧାରଣଙ୍କ ନିକଟରେ କହୁଥିବା ଜଣାଯାଇଛି । ଶ୍ରୀମତୀ ସ୍ୱାଇଁ ହେଉଛନ୍ତି ଗତ ନିର୍ବାଚନରେ ବିଜେଡି ତରଫରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଥିବା ଅମୀୟ ରଂଜନ ସ୍ୱାଇଁଙ୍କ ପତ୍ନୀ । ଶ୍ରୀ ସ୍ୱାଇଁ ଗତ ନିର୍ବାଚନରେ ବହୁ କମ୍ ଭୋଟ ବ୍ୟବଧାନରେ ପରାଜୟ ବରଣ କରିଥିବାରୁ ବିଜେଡି ତାଙ୍କ ଉପରେ ଭରସା କରି ଏହି ଆସନଟି ମହିଳା ଙ୍କ ପାଇଁ ସଂରକ୍ଷିତ ଥିବାରୁ ଏଥର ତାଙ୍କ ପତ୍ନୀଙ୍କୁ ପ୍ରାର୍ଥୀ କରିଛି ।

କଂଗ୍ରେସ ତରଫରୁ ଜିଲ୍ଲାପରିଷଦ ପ୍ରାର୍ଥୀନୀ ପୁଷ୍ପାଞ୍ଜଳି ନାୟକ ବିଭିନ୍ନ ପଂଚାୟତରେ ନିଜର ପାରମ୍ପରିକ ଭୋଟକୁ ପାଥେୟ କରି ତ୍ରିସ୍ତରୀୟ ନିର୍ବାଚନରେ ଅବତୀର୍ଣ୍ଣ ହେବା ସହିତ ବିଜେପି ଓ ବିଜେଡିର ବିଭିନ୍ନ ଦୁର୍ନିତିକୁ ପ୍ରସଙ୍ଗ କରିଛନ୍ତି । ତେବେ ଏହି ଜୋନ୍ ରେ ବିଜେଡ଼ି ଓ ବିଜେପି ମଧ୍ୟରେ ପ୍ରତିଦ୍ୱନ୍ଦିତା ହେବା ଅନୁମାନ କରାଯାଉଛି । ଓଡ଼ିଶା ସମାଚାର