ଭୁବନେଶ୍ୱର , ୨୯/୧/୨୦୨୨ (ଓଡ଼ିଶା ସମାଚାର)- ଜମତରା ଗ୍ୟାଙ୍ଗ୍ ର ତିନି ଜଣକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି। ଦୀର୍ଘ ଦିନ ଧରି ଏହି ଗ୍ୟାଙ୍ଗ୍ ରାଜ୍ୟରେ ସାଇବର ଲୁଟ୍ ସହ ସଂପୃକ୍ତ ଥିଲେ । କେଓ୍ବାଇସି ଅପଡେଟ୍ ନାଁରେ ଏମାନେ ଲୋକଙ୍କ ଆକାଉଣ୍ଟରୁ ଲୁଟ୍ କରୁଥିଲେ । ତେବେ ଏ ନେଇ ଅଭିଯୋଗ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଥିଲା । ଏକ ସ୍ବତନ୍ତ୍ର ଟିମ୍ ଗଠନ କରି ରାଜ୍ୟ ତଥା ରାଜ୍ୟ ବାହାରେ ତନାଘନା ଚଳାଇଥିଲା । ଶେଷରେ ଏହି ଗ୍ୟାଙ୍ଗ୍ ର ୩ ଜଣ ସଦସ୍ୟଙ୍କୁ ଧରିବାରେ କ୍ରାଇମବ୍ରାଞ୍ଚ ସଫଳ ହୋଇଛି । ତେବେ ଏମାନଙ୍କ ସହ ଆଉ କାହାର ସଂପୃକ୍ତି ରହିଛି ସେ ନେଇ ଖୋଳତାଡ ଜାରି ରହିଛି । କ୍ରାଇମବ୍ରାଞ୍ଚ ଗିରଫ କରିଥିବା ୩ ଜଣ ଅଭିଯୁକ୍ତ ହେଉଛନ୍ତି ପ୍ରଧୂନ କୁମାର ମଣ୍ଡଲ(୨୦), କ୍ରିଷ୍ଣା କୁମାର ମଣ୍ଡଲ(୧୯) ଓ ଚେତଲାଲ ମଣ୍ଡଲ(୨୮)। ପ୍ରଧୂନ ଓ କ୍ରିଷ୍ଣା ଗିରିଡ଼ିହି ଝାଡ଼ଖଣ୍ଡ ଓ ଚେତଲାଲ ଧନବାଦର ବୋଲି ଜଣାପଡ଼ିଛି। କ୍ରାଇମବ୍ରାଞ୍ଚର ଏଡିଜି ସଂଜୀବ ପଣ୍ଡା ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ଗିରଫ ୩ ଜଣ ଅଭିଯୁକ୍ତ ୨୦ଟି ରାଜ୍ୟକୁ ଠକିବା ପରେ ଓଡ଼ିଶା ଆସିଥିଲେ। ଡିସେମ୍ବର ୨୮ରେ ଭୁବନେଶ୍ବରର ରସୁଲଗଡ଼ଠାରେ ଘର ଭଡ଼ା ନେଇ ସେମାନେ ଲୋକଙ୍କୁ ଠକିବା ଯୋଜନା ଆରମ୍ଭ କରିଥିଲେ। ଗିରଫ ୩ଜଣଙ୍କଠାରୁ ୧୧ଟି ମୋବାଇଲ, ୨ଟି ଲାପଟପ, ୩୩ଟି ସିମ୍, ୨ଟି ଡେବିଟ କାର୍ଡ ଓ ଗୋଟେ ଟ୍ୟାବ ଜବତ କରାଯାଇଛି। ଏମାନେ ବ୍ୟବହାର କରୁଥିବା ୩୩ଟି ସିମ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ଜବତ ମୋବାଇଲ ମଧ୍ୟରେ ଅନେକ ଦାମୀ ମୋବାଇଲ ଥିବା ବେଳେ ଏହି ଠକମାନେ ଲୋକଙ୍କୁ ଠକିବା ପାଇଁ ପଶ୍ଚିମବଙ୍ଗରୁ ବ୍ୟାଙ୍କ ଗ୍ରାହକଙ୍କ ଡାଟା କିଣୁଥିଲେ। ବ୍ୟାଙ୍କ ଗ୍ରାହକଙ୍କ ଡାଟା ଆଣି ବଲକ ମେସେଜ ପଠାଇ କେୱାଇସି ଫର୍ମ ଅପଡେଟ କରିବା ନାଁରେ ଏହି ସାଇବର ଠକ ଲୋକଙ୍କୁ ଠକୁଥିଲେ । ବିଶେଷକରି ପେଟିଏମ, ଗୁଗୁଲ ପେ’, ଫୋନ ପେ’ ଓ ଗିଫ୍ଟ କାର୍ଡ ଜରିଆରେ ଏମାନେ ଟଙ୍କା ନେଉଥିଲେ । ଏମାନେ ୨୦ ଟି ରାଜ୍ୟରେ ୩୩ ଟି ସିମ ଦ୍ୱାରା ୧୭୧ଟି ଠକେଇ କରିଥିବା ଅଭିଯୋଗ ହୋଇଛି । ଏନସିଆରପି ପୋର୍ଟାଲ ମାଧ୍ୟମରେ ପୁଲିସ ଏହି ଠକମାନଙ୍କ ବିଷୟରେ ଜାଣିବାକୁ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା। ଓଡ଼ିଶା ସମାଚାର
