ପୁରୀ,୨୮/୧/୨୦୨୨ (ଓଡ଼ିଶା ସମାଚାର)- ଆସନ୍ତା ଫେବୃୟାରୀ ୧ ତାରିଖରୁ ଶ୍ରୀମନ୍ଦିର ଖୋଲିବ । କୋଭିଡ କଟକଣା ମଧ୍ୟରେ ମହାପ୍ରଭୁଙ୍କ ଦର୍ଶନ ହେବ ବୋଲି ଛତିଶା ନିଯୋଗ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ସ୍ଥିତି ନିୟନ୍ତ୍ରଣରେ ରହିଥିବାରୁ ଶ୍ରୀମନ୍ଦିର ଖୋଲିବା ପାଇଁ ସର୍ବସମ୍ମତ ପ୍ରସ୍ତାବ ନିଆଯାଇଛି। ତେବେ ପ୍ରତ୍ୟେକ ରବିବାର ଶ୍ରୀମନ୍ଦିର ସାନିଟାଇଜ ପାଇଁ ଓ ବିଶେଷ ପର୍ବ ପର୍ବାଣୀ ଗୁଡିକରେ ଶ୍ରୀମନ୍ଦିରରେ ଅତ୍ୟଧିକ ଭିଡକୁ ଦୃଷ୍ଟିରେ ରଖି ଦର୍ଶନ ବନ୍ଦ ରଖାଯିବ। ବାହାରୁ ଆସୁଥିବା ଭକ୍ତ ମାନେ ସିଂହଦ୍ଵାର ଦେଇ ପ୍ରବେଶ ଓ ପୁରୀ ପୋରାଞ୍ଚଳ ବାସିନ୍ଦା ମାନେ ପଶ୍ଚିମ ଦ୍ଵାର ଦେଇ ପ୍ରବେଶ କରିବେ। ଏନେଇ ଆଜି ଅପରାହ୍ନରେ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଛି। ଛତିଶା ନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି କ୍ରମେ ପୁରୀ ଜିଲ୍ଲାପାଳ ଶ୍ରୀମନ୍ଦିର ଖୋଲିବା ନେଇ ଗଣମାଧ୍ୟମର ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର ଅଧ୍ୟକ୍ଷତା କରିଥିବାବେଳେ ଛତିଶା ନିଯୋଗ ପ୍ରତିନିଧି ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାନେ ସାମିଲ ହୋଇଥିଲେ।
ଦର୍ଶନ ପାଇଁ ଆରଟିପିସିଆର ନେଗେଟିଭ ରିପୋର୍ଟ ଅଥବା କୋଭିଡ ଡବଲ ଡୋଜ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ପୂର୍ବ ପରି ଭକ୍ତ ମାନେ ଭୋର ସାଢେ ପାଞ୍ଚଟାରୁ ରାତି ୯ଟା ପର୍ୟ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । କିନ୍ତୁ ଦର୍ଶନ ସମ୍ପର୍କରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଖୁବଶୀଘ୍ର ଏସ ଓପି ଜାରୀ କରାଯିବ। ଓଡ଼ିଶା ସମାଚାର