ଭୁବନେଶ୍ୱର , ୨୮/୧/୨୦୨୨ (ଓଡ଼ିଶା ସମାଚାର)- କମିଶନରେଟ ପୋଲିସ ର ମୋଷ୍ଟ ୱାନଟେଡ଼୍ , ରାଜଧାନୀରେ ଆତଙ୍କ ଖେଳାଇଥିଲା କେବିଏନ୍ ଗ୍ୟାଙ୍ଗ ମୁଖ୍ୟ ବେଦୀ ପ୍ରସାଦ ଜେନା ଆଲିଆସ ବୁବୁ ଜେନା କୁ ନୟାପଲ୍ଲୀ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛି। ମାରଣାସ୍ତ୍ର ଧରି ଭିଡ଼ିଓ ଭାଇରାଲ୍ କରିବା ଓ ଲୋକଙ୍କୁ ଭୟଭୀତ କରିବା ଅଭିଯୋଗରେ ପୋଲିସ ତାକୁ ଗିରଫ କରିଥିବା ଜଣାପଡିଛି । ପୂର୍ବରୁ ଏହି ଗ୍ୟାଙ୍ଗ୍ ର ୭ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଥିଲା । ଭାଇରାଲ୍ ଭିଡ଼ିଓରେ ବୁବୁ ଦେଖାଇ ଥିବା ଖଣ୍ଡାକୁ ପୋଲିସ ଜବତ କରିଛି ।ସନ୍ଧ୍ୟା ହେଲେ ହାଇଫାଇ ବାର୍ କିମ୍ବା ପବ୍ ରେ ଏମାନଙ୍କୁ ଦେଖିବାକୁ ମିଳୁଥିଲା । ଆଉ ଦାମୀ ଦାମୀ କାର୍ ରେ ଏହି ଗ୍ୟାଙ୍ଗ୍ ର ସଦସ୍ୟ ବୁଲୁଥିଲେ । ଏହାସହ ଏମାନେ ଦାମୀ ଦାମୀ ବନ୍ଧୁକ ବି କିଣୁଥିଲେ । ରାତି ଅଧରେ ରାଜଧାନୀରେ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ଭିଡିଓ ଭାଇରାଲ୍ କରୁଥିଲେ ।ନଭେମ୍ବର ମାସରେ କେବିଏନ୍ ଗ୍ରୁପର ମୁଖ୍ୟ କୁହାଯାଉଥିବା ବୁବୁର ଏକ ଜିପ୍କୁ ଜବତ କରାଯାଇଥିଲା । ପରେ ବୁବୁକୁ ଧରିବା ପାଇଁ କମିଶନରେଟ୍ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହି ଟିମ୍ ବାହାର ରାଜ୍ୟକୁ ଯାଇ ମଧ୍ୟ ତନାଘନା ଆରମ୍ଭ କରିଥିଲା । କେବିଏନ୍ ଗ୍ରୁପ ଆଡ୍ଡା କରୁଥିବା ରାଜଧାନୀର ପାୱାର ହାଉସ୍ ଛକ, ବ୍ରିଟ୍ କଲୋନୀ ଓ ଖଣ୍ଡଗିରିର ବିଭିନ୍ନ ସ୍ଥାନରେ ପୋଲିସ ଚଢାଉ ଜାରି ରଖିଥିଲା । ଥଟା ମଜାରେ ହେଉ କିନ୍ତୁ ଏଭଳି ଭିଡ଼ିଓ କରି ଭାଇରାଲ କରି ଲୋକମାନଙ୍କୁ ଆତଙ୍କିତ କରିବା ଧର୍ତବ୍ୟ ଅପରାଧ । ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ସବୁ ଭାଇରାଲ ହୋଇଥିଲା ସେସବୁ ସ୍ଥାନକୁ ଯାଇ ତଦନ୍ତ କରାଯିବ ବୋଲି ଜଣାପଡ଼ିଛି । ଓଡ଼ିଶା ସମାଚାର