ଭୁବନେଶ୍ୱର , ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ୭୩ତମ ସାଧାରଣତନ୍ତ୍ର ଦିବସ ଅବସରରେ ଭୁବନେଶ୍ୱର ଗାନ୍ଧିମାର୍ଗରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଅଭିଭାଦନ ଗ୍ରହଣ କରିଛନ୍ତି। ଆୟୋଜିତ କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ ଉପସ୍ଥିତ ଥିଲେ । କୋଭିଡ କଟକଣା ଯୋଗୁ ବିନା ଦର୍ଶକରେ ଆୟୋଜିତ ଏହି ସାଧାରଣତନ୍ତ୍ର ଦିବସ ଉତ୍ସବରେ ପୁଲିସ ବ୍ୟାଣ୍ଡ ସମେତ ୧୦ଟି କଣ୍ଟିଜେଣ୍ଟ ପରେଡରେ ଭାଗ ନେଇଥିଲେ।ପ୍ରଥମ ଥର ପାଇଁ ପରେଡରେ ସୀମା ସୁରକ୍ଷା ବଳ ଯବାନ ଭାଗ ନେଇଥିବା ବେଳେ ସିଆରପିଏଫ, ଏସଓଜି, ଓଏସଏଏପି, ଓଡ୍ରାଫ, ଫାୟାର, ଏସଏସବି ଓ ୩ଟି ବ୍ରାସବ୍ୟାଣ୍ଡ ପ୍ରଦର୍ଶନ କରିଥିଲେ। ଯୁବ ଆଇପିଏସ ଅଧିକାରୀ ରୋହିତ ବର୍ମା ପରେଡ ପରିଚାଳନା କରିଥିଲେ। ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ୨୫ ପ୍ଲାଟୁନ ଫୋର୍ସ ଓ ୭୦ ଜଣ ବରିଷ୍ଠ ଅଧିକାରୀ ନିୟୋଜିତ ଥିଲେ। ପରେଡରେ କୌଣସି ଛାତ୍ରଛାତ୍ରୀ ଅଂଶଗ୍ରହଣ କରିନାହାନ୍ତି।ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୋଭିଡ କଟକଣା ଭିତରେ ଆୟୋଜିତ ଏହି ଉତ୍ସବର ସୋସିଆଲ ମିଡିଆରେ ସିଧାପ୍ରସାରଣ କରାଯାଇଛି।ସେହିପରି ପରେଡରେ ଭାଗ ନେଇଥିବା ସମସ୍ତ ସଦସ୍ୟଙ୍କର ଆରଟିପିସିଆର ଟେଷ୍ଟ କରାଯାଇଥିଲା । ଭୁବନେଶ୍ବର ଡିସିପିଙ୍କ ନେତୃତ୍ବରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ୨୫ ପ୍ଲାଟୁନ୍ ପୋଲିସ ଫୋର୍ସ ସହ ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଥିଲା ।
ସେପଟେ କଟକ ବାରବାଟୀ ଷ୍ଟାଡିୟମରେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଅତିଥି ଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ଅଭିବାଦନ ଗ୍ରହଣ କରିଛନ୍ତି । ସେହିପରି ପୁରୀ ଜିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ତାଳବଣିଆ ସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ପାଳନ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ଏବଂ ଜଳସମ୍ପଦ ମନ୍ତ୍ରୀ ଶ୍ରୀ ରଘୁନନ୍ଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପ୍ୟାରେଡ ଅଭିବାଦନ ଗ୍ରହଣ କରିଥିଲେ। ସେହିପରି ବାରିପଦାରେ ମୟୁରଭଞ୍ଜ ଜିଲ୍ଲାସ୍ତରୀୟ ୭୩ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀମତୀ ପଦ୍ମିନୀ ଦିଆନ୍ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ପରେଡ୍ ଅଭିବାଦନ ଗ୍ରହଣ କରିଛନ୍ତି। ସମାରୋହରେ କରୋନା ଯୋଦ୍ଧାଙ୍କୁ ପୁରସ୍କାର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।
ମାଲକାନାଗିରିରେ ଜିଲ୍ଲାସ୍ତରୀୟ ୭୩ ତମ ସାଧାରଣତନ୍ତ୍ର ଦିବସ ଡି.ଏନ.କେ ଖେଳ ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ସମ୍ମିଳିତ ପ୍ୟାରଡରେ ଅଭିବାଦନ ଗ୍ରହଣ କରି ଜନସାଧାରଣଙ୍କୁ ସମ୍ବୋଧିତ କରିଥିଲେ। ଓଡ଼ିଶା ସମାଚାର
