ଭୁବନେଶ୍ୱର,୨୬/୧/୨୦୨୨ (ଓଡ଼ିଶା ସମାଚାର)- ଓଡ଼ିଶାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଆସନ୍ତା ଫେବ୍ରୁଆରୀ ୧୬ ତାରିଖ ଠାରୁ ୫ଟି ପର୍ୟ୍ୟାୟରେ ମତଦାନ ହେବ। ଏଥି ପାଇଁ ରାଜ୍ୟବ୍ୟାପୀ ନାମାଙ୍କନ ପତ୍ର ଦାଖଲ ହୋଇସାରିବା ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଏହି ତାଲିକାରେ ୧୨୬ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ବେଳେ ୩୨୬ ସମିତି ସଭ୍ୟ ଆସନରେ ନାମାଙ୍କନ ଦାଖଲ କରିଥିବା ପ୍ରାର୍ଥୀ ମଧ୍ୟ ବିନା ଭୋଟରେ ନିର୍ବାଚିତ ହୋଇଛନ୍ତି । ସେହିପରି ଜଣେ ଜିଲ୍ଲା ପରିଷଦ ଆସନରେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ଏଥି ସହିତ ୩୬,୫୨୩ ୱାର୍ଡ ମେମ୍ୱର ପ୍ରାର୍ଥୀ ମଧ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଏହିପରି ମତଦାନ ପୂର୍ବରୁ ମୋଟ୍ ୩୬ ହଜାର ୯୭୬ ଜଣ ୱାର୍ଡମେମ୍ବର, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ଏ ନେଇ ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ସୂଚନା ଦିଆଯାଇଛି ।
ନିର୍ବାଚନ କମିସନ୍ ଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ବରଗଡ଼ ଜିଲ୍ଲା ଅମ୍ବାଭନା ଜୋନ୍-୨ରୁ ବିଜେଡି ପ୍ରାର୍ଥୀ କଳ୍ପନା ପ୍ରଧାନ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି। ସୂଚନାଯୋଗ୍ୟ, ଚଳିତବର୍ଷ ୯୧୮୯୦ଟି ୱାର୍ଡମେମ୍ବର, ୬୭୯୩ଟି ସରପଞ୍ଚ, ୬୭୯୩ଟି ସମିତି ସଭ୍ୟ ଏବଂ ୮୫୩ଟି ଜିଲ୍ଲା ପରିଷଦ ଜୋନ୍ ରେ ୫ଟି ପର୍ୟ୍ୟାୟରେ ନିର୍ବାଚନ ହେବ। ପ୍ରତି ପର୍ୟ୍ୟାୟ ମଧ୍ୟରେ ଗୋଟିଏ ଦିନ ବ୍ୟବଧାନ ରହିବ। ଆସନ୍ତା ଫେବ୍ରୁଆରି ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ନିର୍ବାଚନ ହେବ। ସେହିଭଳି ଫେବ୍ରୁଆରି ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ୟ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଉଲେଖନୀୟ ଏହିକି ଜଗତସିଂହପୁର ଜିଲ୍ଲା ଢିଙ୍କିଆ ପଞ୍ଚାୟତରେ ସରପଞ୍ଚ ଓ ୨୩ଟି ୱାର୍ଡ ମେମ୍ବର ପାଇଁ ୨୦୨୩ରେ ନିର୍ବାଚନ ହେବ। ଓଡ଼ିଶା ସମାଚାର