ଜଗତସିଂହପୁର,୨୬/୧/୨୦୨୨ (ଓଡ଼ିଶା ସମାଚାର)- ଆଜି ଜଗତସିଂହପୁର ଜିଲ୍ଲା ସଦର ମହକୁମାସ୍ଥିତ ନବକୃଷ୍ଣ ଚୈାଧୁରୀ ଷ୍ଟାଡିୟମଠାରେ ୭୩ ତମ ଜିଲ୍ଲାସ୍ତରୀୟ ସାଧାରଣତନ୍ତ୍ର ଦିବସ କୋଭିଡ୍-୧୯ ମାର୍ଗଦର୍ଶିକା ଅନୁଯାୟୀ ମହାସମାରୋହରେ ପାଳିତ ହୋଇ ଯାଇଅଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ,ଓଡିଆ ଭାଷା,ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣୀଗ୍ରାହୀ ଜାତୀୟ ପତାକା ଉତୋଳନ କରିବା ସହିତ ଅଭିବାଦନ ଗ୍ରହଣ କରିଥିଲେ । ସମବେତ ଜନସାଧାରଣ ଓ ଉପସ୍ଥିତ ସମସ୍ତଙ୍କୁ ସମ୍ବୋଧନ କରି ମୁଖ୍ୟ ଅତିଥି କହିଲେ ଆଜି ହେଉଛି ପବିତ୍ର ଗଣତନ୍ତ୍ର ଦିବସ । ଆମପାଇଁ ଏକ ସ୍ମରଣୀୟ ଦିବସ । ଦେଶର ସ୍ୱାଧିନତା ପ୍ରାପ୍ତି ପରେ ଯେଉଁ ମହାନ୍ ଉପଲବ୍ଧି ଆମେ ହାସଲ କରିଥିଲୁ,ତାହା ହେଲା ଦେଶକୁ ଗଣତନ୍ତ୍ର ରାଷ୍ଟ୍ର ଭାବେ ଗଢିତୋଳିବା । ଆମେ ଆଜି ବିଶ୍ୱର ସର୍ବ ବୃହତ ଗଣତନ୍ତ୍ରର ଗୌରବ ଅର୍ଜନ କରି ପାରିଛୁ । ଆମର ପୂର୍ବ ପୁରୁଷମାନେ ଯେଉଁ ସଂଗ୍ରାମ,ବଳିଦାନ,ତ୍ୟାଗ,ତିତିକ୍ଷା,ଦେଶପ୍ରେମ ପ୍ରଦର୍ଶନ କରି ଯାଇଛନ୍ତି ସେମାନେ ଆଜି ଆମ ପାଇଁ ନମସ୍ୟ ।
କେବଳ ଏ ଦେଶକୁ ଗଣତନ୍ତ୍ର ଭାବେ ନୁହେଁ ଏହାକୁ ଏକ ଧର୍ମ ନିରପେକ୍ଷ,ସାର୍ବଭୌମ,ସମାଜବାଦୀ ଗଣତନ୍ତ୍ର ଭାବେ ଗଢିତୋଳିଛି । ୨୬ ଜାନୁୟାରୀ ୧୯୫୦ ମସିହାରେ ଆମେ ଏକ ପ୍ରଗତିଶୀଳ ସମ୍ବିଧାନ ଗଢିବାକୁ ନିଜକୁ ସମର୍ପିତ କରି ସଙ୍କଳ୍ପ ନେଇଥିଲୁ । ସେହି ସଂଙ୍କଳ୍ପକୁ ଦୋହରାଇବା ପାଇଁ ଆଜିର ଦିନ ଆମକୁ ସୁଯୋଗ ଆଣି ଦେଇଛି । ଜାତିର ପିତା ମହାତ୍ମାଗାନ୍ଧୀ, ପଣ୍ଡିତ ଜବାହାରଲାଲ ନେହେରୁ,ସର୍ଦ୍ଧାର ବଲ୍ଲଭଭାଇ ପଟେଲ,ସୁଭାଷ ଚନ୍ଦ୍ର ବୋଷ,ମୌଲାନା ଅବୁଲ କାଲାମ ଆଜାଦ୍,ବାଲ ଗଙ୍ଗାଧର ତିଲକ,ଡ.ଭୀମରାଓ ଆମ୍ବେଦକର,ରାଜେନ୍ଦ୍ର ପ୍ରସାଦ,ଗୋପବନ୍ଧୁ ଦାସ, ଲକ୍ଷଣ ନାୟକ,ବୀର ସୁରେନ୍ଦ୍ର ସାଏ,ବିର୍ସା ମୁଣ୍ଡା ଭଳି ମହାପୁରୁଷ,ସ୍ୱାଧୀନତା ସଂଗ୍ରାମୀ ଭାରତର ମୁକ୍ତି ଆନ୍ଦୋଳନ ଠାରୁ ଆରମ୍ଭ କରି ଏକ ସଂସଦୀୟ ଗଣତନ୍ତ୍ରରେ ପରିଣତ କରି ତ୍ୟାଗ ଓ ତପସ୍ୟା ପ୍ରଦର୍ଶନ କରିଛନ୍ତି ।
ଦେଶର ମୁକ୍ତି ସଂଗ୍ରାମରେ ଜଗତସିଂହପୁରର ଅବଦାନ ଅତୁଳନୀୟ । ଏହି ଜିଲ୍ଲାର ବୀର ପୁରୁଷ ଭାରତର ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ଏ ମାଟିକୁ ଧନ୍ୟ କରିଛନ୍ତି । ସେମାନଙ୍କ ମଧ୍ୟରେ ମା’ରମାଦେବୀ, ସରଳାଦେବୀ,ମାଳତୀ ଚୌଧୁରୀ,ପ୍ରାଣକୃଷ୍ଣ ପଢିହାରୀ,ଅନ୍ନପୂର୍ଣ୍ଣା ମହାରଣା,ନବକୃଷ୍ଣ ଚୌଧୁରୀ,ଗୋପବନ୍ଧୁ ଚୌଧୁରୀ,ଭାଗୀରଥି ମହାପାତ୍ର,ନିତ୍ୟାନନ୍ଦ କାନୁନଗୋ,ହରେକୃଷ୍ଣ ବିଶ୍ୱାଳ,ଗୌରାଙ୍ଗ ଚରଣ ଦାସ, ଗୌରୀଶ୍ୟାମ ନାୟକ ଅନ୍ୟତମ । ସ୍ୱାଧୀନତା ସଂଗ୍ରାମକୁ ତେଜୀୟାନ୍ କରିବାକୁ ଜିଲ୍ଲାରେ ଅଳକାଶ୍ରମ ପ୍ରତିଷ୍ଠା, ଲବଣ ସତ୍ୟାଗ୍ରହ ଓ ଭାରତଛାଡ ଆନ୍ଦୋଳନ ପରି ତିନୋଟି ଉଳ୍ଲେଖନୀୟ ଘଟଣା ସଂଗଠିତ ହୋଇଥିଲା । ସାଧାରଣତନ୍ତ୍ର ଦିବସ ଅବସରରେ କୋଭିଡ୍ ସଂକ୍ରମଣକୁ ପ୍ରତିରୋଧ କରିବା ଓ କୋଭିଡ୍ ରୋଗୀଙ୍କ ଚିକିତ୍ସା
କରିବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଶେଷଜ୍ଞ ଡା.ରାମ ପ୍ରସାଦ ସାହୁ, ଡା.ଜ୍ୟୋତିପ୍ରଭା ଜେନା,ଫାର୍ମାସିଷ୍ଟ ପ୍ରଭାତ କୁମାର ସାହୁ,ମହିଳା ସ୍ୱାସ୍ଥ୍ୟ କର୍ମୀ ସୋନାଲି ମହାନ୍ତି,ନର୍ସିଂ ଅଫିସର,କୋଭିଡ୍ ହସପିଟାଲ,ପାରାଦ୍ୱୀପ,ଭାଗ୍ୟର୍ଚ୍ଚନା ସ୍ୱାଇଁ,ଆମ୍ବୁଲାନ୍ସ୍ ଡ୍ରାଇଭର ପଙ୍କଜ କୁମାର ବେହେରା, ସାନିଟାରୀ ଓାର୍କର କୁନା ଗୋଛାୟତ, ଜଗତସିଂହପୁର ପୌର ପରିଷଦର କାମିନୀ ବେହେରା, ନମିତା ରାଣୀ ଦାସ,ମାନସ ନାୟକ,ମିଥୁନ୍ ଗୋଛାୟତ,ପାରାଦ୍ୱୀପ ପୌର ପରିଷଦର ସୁରେନ୍ଦ୍ର ମଲ୍ଲିକ,ସୁକାନ୍ତ ଗୋଛାୟତ,ଅକ୍ଷୟ ଗୋଛାୟତ,ନାରାୟଣ ପାତ୍ରଙ୍କୁ ମୁଖ୍ୟ ଅତିଥି ଫୁଲତୋଡା, ଉତରୀୟ ଓ ମାନପତ୍ର ଦେଇ ସମ୍ମାନୀତ କରିଥିଲେ । ମୁଖ୍ୟ ଅତିଥି ମାନ୍ୟବର ମନ୍ତ୍ରୀ,ଜିଲ୍ଲାପାଳ ଶ୍ରୀମତୀ ପାରୁଲ ପଟାଓରୀ ସହରରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ଅଖିଳେଶ୍ୱର ସିଂହ ମୁଖ୍ୟ ଅତିଥିଙ୍କୁ ପତାକାସ୍ତମ୍ଭ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ପ୍ରତୁ୍ୟଷରେ ସହରରେ ରାମଧୂନ୍ ପରିବେଷଣ କରାଯାଇଥିଲା ।
ସାଧାରଣତନ୍ତ୍ର ଦିବସ ଅବସରରେ ନବକୃଷ୍ଣ ଚୌଧୁରୀ ଷ୍ଟାଡିୟମ ପରିସରରେ ମୁଖ୍ୟ ଅତିଥି,ଜିଲ୍ଲାପାଳ,ଆରକ୍ଷୀ ଅଧିକ୍ଷକ ପ୍ରମୁଖ ବୃକ୍ଷରୋପଣ କରିଥିଲେ । ଏହି ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସଚ୍ଚିଦାନନ୍ଦ ସାହୁ,ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ଚିନ୍ମୟୀ ବିଶ୍ୱାଳ,ପ୍ରକଳ୍ପ ନିର୍ଦ୍ଧେଶକ ଶ୍ରୀ ସରୋଜକାନ୍ତ ମହାନ୍ତି,ଉପ-ଜିଲ୍ଲାପାଳ ଶ୍ରୀ ଧର୍ମେନ୍ଦ୍ର ମଲ୍ଲିକ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀ ଉମେଶ କୁମାର ପଣ୍ଡା,ବି.ଡି.ଓ,ତହସିଲଦାର,ଡି.ଏସ୍.ପି ଶ୍ରୀ ରଜନୀକାନ୍ତ ସାମଲ,ଗଣମାଧ୍ୟମ ପ୍ରତିନିଧି, ବିଭିନ୍ନ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ଥିଲେ । ପ୍ୟାରେଡ ରେ ପୋଲିସ୍ ବାହିନୀର ଦୁଇଟି ଦଳ ଭାଗ ନେଇଥିଲେ । ସଂରକ୍ଷିତ ଆରକ୍ଷୀ ନିରୀକ୍ଷକ ଶ୍ରୀ ଦୁର୍ଯେ୍ୟାଧନ ବେହେରା ପ୍ୟାରେଡ୍ ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀ ଶ୍ରୀ କାମିନୀ ରଂଜନ ପଟ୍ଟନାୟକ ପରିଚାଳନା କରିଥିଲେ । ଓଡ଼ିଶା ମାଚାର
