ପାରାଦୀପ,୧୯/୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ୍ ଢିଙ୍କିଆ ଅଂଚଳରେ ପ୍ରସ୍ତାବିତ ଜେ.ଏସ୍.ଡବ୍ଲୂ୍ୟ. ତାର କାରଖାନା ପ୍ରତିଷ୍ଠା ପାଇଁ ଉଦ୍ୟମ ଜାରୀ ରଖିଛି । ଏହି ଅବସରରେ ମଙ୍ଗଳବାର ଦିନ ପ୍ରକଳ୍ପ ଅଂଚଳରେ ପହଂଚି ସ୍ଥିତି ପରଖିଛନ୍ତି କମ୍ପାନୀର ଓଡିଶା ମୁଖ୍ୟ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରଂଜନ ନାୟକ । ଶ୍ରୀ ନାୟକଙ୍କ ସହ ପ୍ରକଳ୍ପ ମୁଖ୍ୟ ସୁବ୍ରତ ସାହୁ, ମାନବ ସମ୍ବଳ ଅଧିକାରୀ ଶ୍ରୀଜିତ୍ ମିଶ୍ର ସ୍ଥାନୀୟ ଅଂଚଳର ଲୋକମାନଙ୍କ ସହିତ ଆଲୋଚନା କରିଛନ୍ତି । ଏହି ପ୍ରତିନିଧି ଦଳ ମାହାଳ, ଗୋବିନ୍ଦପୁର ଓ ପାଟଣା ଗାଁ ଗସ୍ତ କରିଥିଲେ । ଗୋବିନ୍ଦପୁର ଗ୍ରାମର ମାଆ ମଙ୍ଗଳା ଜଙ୍ଗଲ କମିଟି ଓ ଆଖଣ୍ଡଳମଣି ଜଙ୍ଗଲ କମିଟି ସଦସ୍ୟମାନଙ୍କ ସହିତ ଆଲୋଚନା କରିଥିଲେ । ବିଶେଷ କରି ଗାଁ ମାନଙ୍କରେ ଥିବା ଫଳନ୍ତି ଗଛ ଗୁଡିକର ସଠିକ୍ ମୂଲ୍ୟାୟନ ସହିତ ଜୀବିକା ହରାଉଥିବା ଲୋକମାନଙ୍କ ସମ୍ପର୍କରେ ସବିଶେଷ ଆଲୋଚନା ହୋଇଥିବା ଜଣାପଡିଛି । ଏଥି ସହିତ ପାନବରଜ ଭଙ୍ଗା ସହିତ କିପରି ଖୁବ୍ ଶ୍ରୀଘ୍ର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ ହେବ ସେ ସମ୍ପର୍କରେ ଏହି ପ୍ରତିନିଧି ଦଳ ଲୋକମାନଙ୍କ ସହିତ ଆଲୋଚନା କରିଥିଲେ । ଓଡ଼ିଶା ସମାଚାର