ପାରାଦୀପ, ୧୯/୧/୨୦୨୨ (ଓଡ଼ିଶା ସମାଚାର)- ସମଗ୍ର ବିଶ୍ୱରେ କରେନା ମହାମାରୀ ତାର କାୟା ବିସ୍ତାର କରିଚାଲିଛି । ଜଗତସିଂହପୁର ଜିଲ୍ଲାରେ ୨୭୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରକାଶିତ ସୂଚନାରୁ ଜଣାପଡିଛି । ଜିଲ୍ଲାର ପାରାଦୀପ ପୌରାଂଚଳରେ ସର୍ବାଧିକ ୧୧୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ୩୬, ବିରିଡି ୧୭,ଏରସମା ୪, କୁଜଙ୍ଗ ୧୮, ନାଉଗାଁ ୯, ତିର୍ତୋଲ୨୫, ରଘୁନାଥପୁର ୧୬,ଜଗତସିଂହପୁର ବ୍ଲକ୍୨୨, ଜଗତସିଂହପୁର ପୌରାଂଚଳ ୧୫ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି । ଶିଳ୍ପ ତଥା ବନ୍ଦର ସହର ପାରାଦୀପ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ପ୍ରଶାସନିକ ତପôରତା ନାହିଁ । ଏଠାରେ ପ୍ରଶାସନ ପକ୍ଷରୁ କୌଣସି କଟକଣା ଦେଖିବାକୁ ମିଳୁନାହିଁ । ପୌର ପ୍ରଶାସନ ନା ପୋଲିସ୍ ପ୍ରଶାସନ କେହି ବି କରୋନା କଟକଣା ଲାଗୁ କରିବାକୁ ପଦକ୍ଷେପ ନେଉ ନାହାନ୍ତି । ଲୋକମାନେ ବେପରୁଆ ଭାବେ ବୁଲୁଥିବା ବେଳେ ମାସ୍କ କି ସାମାଜିକ ଦୂରତା ବି ଦେଖିବାକୁ ମିଳୁନାହିଁ । ବଡପଡିଆ ପରିବା ମାର୍କେଟର ପରିବା ହାଟ, ମାଛ ହାଟ ସବୁଠୁ ଜନଗହଳି ପୂର୍ଣ୍ଣ ଅଂଚଳ ହୋଇଥିବା ବେଳେ ଏଠି ସାମାଜିକ ଦୂରତା ଲୋକମାନେ ମାନୁନାହାନ୍ତି । ଗତ କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ କରୋନା କଟକଣା ବଜାୟ ରଖିବା ପାଇଁ ଏହି ପରିବା ହାଟ ଓ ମାଛ ହାଟକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ପାରାଦୀପରେ କରୋନା ଶତକ ପାର ହେବା ପରେ ଆଉ କେବେ ମାଛ ଓ ପରିବା ହାଟ ସ୍ଥାନାନ୍ତରିତ ହେବ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଓଡ଼ିଶା ସମାଚାର
