କେନ୍ଦ୍ରାପଡା, ୧୯/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ଜିଲ୍ଲାର ଗରଦପୁର ବ୍ଲକ ଅନ୍ତର୍ଗତ ନଡିଆବରାଇ ଗ୍ରାମର ଅଧିବାସୀମାନେ ମଙ୍ଗଳବାର ଜିଲ୍ଲାପାଳଙ୍କ ନିକଟରେ ଏକ ଦାବିପତ୍ର ପ୍ରଦାନ କରି ଆସନ୍ତା ତ୍ରିସ୍ତରୀୟ ନିର୍ବାଚନ ନିମନ୍ତେ ସେମାନଙ୍କ ପଂଚାୟତ ପାଇଁ ପ୍ରସ୍ତୁତ ହୋଇଥିବା ତୃଟିପୂର୍ଣ୍ଣ ପଂଚାୟତ ଭୋଟର ତାଲିକାକୁ ତୁରନ୍ତ ସଂଶୋଧନ କରାଯିବାକୁ ଦାବି କରିଛନ୍ତିି । ସେହି ଭୋଟର ତାଲିକାରେ ଅଭିଯୋଗକାରୀମାନଙ୍କ ନାମକୁ ଉଦେଶ୍ୟମୂଳକ ଭାବେ କାଟି ଦିଆଯାଇଥିବା ଅଭିଯୋଗ ହୋଇଛି । ଫଳରେ ସେମାନେ ଆଗାମୀ ପଂଚାୟତ ନିର୍ବାଚନରେ ବିଭିନ୍ନ ପଦରେ ପ୍ରତିଦ୍ୱନ୍ଦିତା କରିବାକୁ ଆଶାୟୀ ଥିଲେବି ସେଥିରୁ ବଂଚିତ ହୋଇଛନ୍ତି । ପୂର୍ବରୁ ସେମାନେ ଲୋକସଭା, ବିଧାନସଭା ଓ ପଂଚାୟତ ସ୍ତରୀୟ ନିର୍ବାଚନରେ ଭୋଟ ଅଧିକାର ସାବ୍ୟସ୍ତ କରି ଆସୁଥିଲେ ମଧ୍ୟ ଚଳିତ ପଂଚାୟତ ନିର୍ବାଚନରେ ସେମାନଙ୍କୁ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇଥିବା ଅଭିଯୋଗ ହୋଇଛିି । ତେଣୁ ଏହି ଘଟଣାର ତଦନ୍ତ ପୂର୍ବକ ଆସନ୍ତା ପଂଚାୟତ ନିର୍ବାଚନରେ ସେମାନଙ୍କୁ ପ୍ରାର୍ଥୀପତ୍ର ଦାଖଲ କରିବା ଓ ଭୋଟଦାନ ପାଇଁ ସୁଯୋଗ ପ୍ରଦାନ କରିବାକୁ ଭୂବନ ମଲିକ, ଭୁବନମୋହନ ଜେନା, ଆରତି ମଲିକ, ନୟନା ମଲିକ, ଭାନୁପ୍ରିୟା ଦାସ, ରଶ୍ମିତା ମଲିକ, ଅନୁରାଗ ମଲିକ ପ୍ରମୁଖ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଛନ୍ତି । ନଚେତ ସେମାନେ ପଂଚାୟତ ନିର୍ବାଚନ ଦିନ ଗ୍ରାମର ସମସ୍ତ ବୁଥ ସମ୍ମୁଖରେ ଧାରଣା ଦେଇ ନିର୍ବାଚନ କାର୍ଯ୍ୟରେ ବ୍ୟାଘାତ ସୃଷ୍ଟି କରିବାକୁ ବାଧ୍ୟ ହେବେ ବୋଲି ପ୍ରଶାସନକୁ ଚେତାବନୀ ଦେଇଛନ୍ତି । ଓଡ଼ିଶା ସମାଚାର
