ରଘୁନାଥପୁର, ୧୮/୧/୨୦୨୨ (ଓଡ଼ିଶା ସମାଚାର)-ସୁଖ, ଶାନ୍ତି, ଆନନ୍ଦ ଦୋକାନରେ ମିଳେନାହିଁ, ଭଗବାନଙ୍କ ନିକଟରେ ମିଳେ ବୋଲି ଆଜି ଭାରତର ପ୍ରଥମ ସ୍ମାର୍ଟ ଗ୍ରାମରେ ଥିବା ପ୍ରସିଦ୍ଧ ରଘୁନାଥଜୀଉ ମନ୍ଦିରରେ ଦେବାଭିଷେକ ଓ ରାଜାଭିଷେକ ଉପଲକ୍ଷେ ପ୍ରଭୁ ଶ୍ରୀରାମଙ୍କ ଅଭିଷେକ ଉତ୍ସବରେ କନ୍ଧମାଳ ସାଂସଦ ତଥା କିଟ୍, କିସ୍ ଓ ସ୍ମାର୍ଟଗ୍ରାମ କଲରାବାଙ୍କର ପ୍ରତିଷ୍ଠାତା ପ୍ରଫେସର ଅଚୁ୍ୟତ ସାମନ୍ତ ଯୋଗଦେଇ ଏହା କହିଥିଲେ । ସେ ଆହୁରି କହିଲେ ଯେ, ପ୍ରତ୍ୟେକ ମନୁଷ୍ୟ ଆଧ୍ୟାତ୍ମିକ ମାର୍ଗରେ ଚାଲିବା ଉଚିତ୍ ଏବଂ ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶରେ ପ୍ରତ୍ୟେକ ମନୁଷ୍ୟ ଅନୁପ୍ରାଣିତ ହେଲେ ସମାଜରେ ଶାନ୍ତି ପ୍ରତିଷ୍ଠା ହେବା ସହ ଦେଶ ରାମରାଜ୍ୟରେ ପରିଣତ ହୋଇପାରିବ । ମନୁଷ୍ୟର ଆଧ୍ୟାତ୍ମିକ ଉନ୍ନତି ନଘଟିଲେ ପ୍ରକୃତରେ ତାହାର ଉନ୍ନତି ହୋଇପାରିବ ନାହିଁ ବୋଲି ଡ.ସାମନ୍ତ କହିଥିଲେ । ଏହି ଉତ୍ସବରେ ନିଳୀମାରାଣୀ ମେମୋରିଆଲ୍ ଚାରିଟେବୁଲ୍ ଟ୍ରଷ୍ଟର ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସାମନ୍ତ, କାଦମ୍ବିନୀ ଓ କୁନିକଥାର ସମ୍ପାଦିକା ତଥା କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଓ କଲରାବାଙ୍କ ହାଇସ୍କୁଲର ମୁଖ୍ୟ ପୁରୋଧା ଡ. ଇତି ସାମନ୍ତ, ସମାଜସେବି ନିରୁପମା ସାମନ୍ତ, ଶିକ୍ଷାବିତ୍ ଜ୍ୟୋସ୍ନା ମିତ୍ର, ବରିଷ୍ଠ ସାମ୍ବାଦିକ ବିଜୟ କୁମାର ସ୍ୱାଇଁ, ଶିକ୍ଷାବିତ୍ ନାରାୟଣ ପରିଡା, କଳିଙ୍ଗ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ରାମକୃଷ୍ଣ ପାଢ଼ୀ, କଲରାବାଙ୍କ ଗ୍ରାମସମିତି ସଭାପତି ଅଞ୍ଜନ କୁମାର ସାମନ୍ତ, ସମ୍ପାଦକ ଅଭିନଚନ୍ଦ୍ର କେସ, ସମାଜସେବୀ କାଙ୍ଗାଳିରାମ ସାମନ୍ତ, ବିଜୟ ସାମନ୍ତ, ଦୁର୍ଗାଚରଣ ସାମନ୍ତ, ଅଞ୍ଜଳି ସାମନ୍ତ, ଚନ୍ଦନା ସାମନ୍ତ ପ୍ରମୁଖ ଯୋଗଦେଇଥିଲେ । ରଘୁନାଥଜୀଉଙ୍କର ଅଭିଷେକ ଓ ପୂଜା କାର୍ଯ୍ୟକ୍ରମକୁ ପୂଜକ ଧିରେନ୍ଦ୍ର ପଣ୍ଡା, ଚନ୍ଦନ ଦାଶ, ପଣ୍ଡିତ ପ୍ରଭାତ କିରଣ ମିଶ୍ର ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର
