Wednesday , May 18 2022
Breaking News
Home / ବିଶେଷ / ଧର୍ମପୁରୁଷ ଧନୁର୍ଜ୍ଜୟ ବିଶ୍ୱାଳଙ୍କ ୧୦୩ତମ ଜୟନ୍ତୀ

ଧର୍ମପୁରୁଷ ଧନୁର୍ଜ୍ଜୟ ବିଶ୍ୱାଳଙ୍କ ୧୦୩ତମ ଜୟନ୍ତୀ

କେନ୍ଦ୍ରାପଡ଼ା,୧୮/୧/୨୦୨୨ (ଓଡ଼ିଶା ସମାଚାର)- ଜଗଦ୍ ଗୁରୁ ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ଶ୍ରୀଚରଣାଶ୍ରିତ, ବିଶିଷ୍ଟ ସମାଜସେବୀ ଓ ଧର୍ମ ପୁରୁଷ ଧନୁର୍ଜ୍ଜୟ ବିଶ୍ୱାଳ ଭଗବତ ଗୀତାର ସାରମର୍ମ-କର୍ମ, ଭକ୍ତି, ଜ୍ଞାନ ଓ ଧ୍ୟାନ ଯୋଗର ଜଣେ ପରମ ଉପାସକ ଓ ସଫଳ ପୁରୁଷ ରୂପେ ଯେତିକି ନମସ୍ୟ ତାଙ୍କର ଚରମ ତ୍ୟାଗନିଷ୍ଠା ଏବଂ ଦାନଧର୍ମର ପରାକାଷ୍ଠା ସେତିକି ପ୍ରଶଂସନୀୟ । ସେ ଜଣେ ଆଦର୍ଶ ମାନବତାବାଦୀ ମହାମାନବ ଓ ପ୍ରଚଣ୍ଡ ସ୍ୱାଭିମାନୀ । ସେ ଜଣେ ସଫଳ ଧର୍ମ ପ୍ରଚାରକ ଭାବରେ ମନୁଷ୍ୟ ମନୁଷ୍ୟ ମଧ୍ୟରେ ଥିବା ଭାଇଚାରା ଓ ଭଲପାଇବାର ସମ୍ପର୍କ ସୂତ୍ରକୁ ଉଦଘାଟିତ କରି ଏକ ବାସ୍ତବ ଧର୍ମର ଚିନ୍ତାଧାରକୁ ନେଇ ଭାରତର ବହୁ ଧର୍ମାନୁଷ୍ଠାନ, ଚାରିଧାମ ଓ ଜ୍ୟୋର୍ତିଲିଙ୍ଗ ପ୍ରଭୃତି ଭ୍ରମଣ କରି ଧର୍ମଜାଜକରେ ପରିଚିତ ହୋଇ ସନାତନ ଧର୍ମ ପ୍ରଚାର କରିଛନ୍ତି । ଠାକୁର ଶ୍ରୀଶ୍ରୀ ଅଭିରାମ ପରମହଂସ ଦେବଙ୍କ ଭକ୍ତସମ୍ପ୍ରଦାୟଙ୍କ ମଧ୍ୟରେ ଠାକୁରଙ୍କ ମୂଳ ଚିନ୍ତାଧାରାର ସର୍ବଧର୍ମ ସମନ୍ୱୟାତ୍ମକ ସନ୍ଦେଶର ବାହାକ ରୂପେ ଦୟାର୍ଦ୍ରହୃଦୟ ଆଶୀର୍ବାଦ ପରାୟଣ, ସତ୍ୟନିଷ୍ଠ ବ୍ୟକ୍ତି । କେନ୍ଦ୍ରାପଡା ଜିଲ୍ଲାରେ ପ୍ରଥମ ଚାରିଟେବୁଲ ଟ୍ରଷ୍ଟ ପ୍ରତିଷ୍ଠା କରି ପ୍ରଥମ ଅଧ୍ୟକ୍ଷ ଭାବେ ସେ ସର୍ବତ୍ର ପରିଚିତ ଥିଲେ । ଗୁରୁଦ ଦିବ୍ୟଜ୍ଞାନରେ ଉଦଭାଷିତ ତାଙ୍କର ମୁଖମଣ୍ଡଳ । ସେ ଧର୍ମର ମର୍ମଜ୍ଞ ତଥା ଜଣେ ଅନୁଭବୀ ମହାପୁରୁଷ ଥିଲେ । ଦୁର୍ଦିନ ସମୟରେ ବହୁ ଗରିବ ଲୋକଙ୍କୁ ସାହାଯ୍ୟ କରି ଜଣେ ଦାନଧର୍ମ ନିଷ୍ଠ ବ୍ୟକ୍ତିର ପ୍ରକୃତ ପରିଚୟ ସୃଷ୍ଟି କରିଯାଇଛନ୍ତି । ବିଭିନ୍ନ ଧର୍ମ ଓ ସମ୍ପ୍ରଦାୟ ମଧ୍ୟରେ ଐକ୍ୟ ସୃଷ୍ଟି କରିବାରେ ସେ ଜଣେ ସଫଳ ସାଧକ ଥିଲେ । ବିଚକ୍ଷଣ ଭାବରେ ସେ ନିଜର ସ୍ୱଭାବ ସୁଲଭ ତଥା ସରଳ ଭାବଗର୍ଭକ ଭାଷାରେ ସର୍ବଧର୍ମର ସାର କେବଳ ଭାତୃଭାବ ବୋଲି ବଜ୍ରକଣ୍ଠରେ ଉଦଘୋଷଣ କରିଥାନ୍ତି । ସତ୍ୟ ଓ ନ୍ୟାୟ ସପକ୍ଷରେ ନିଜର ସଦୃଢ ମତବ୍ୟକ୍ତ କରିବାରେ ସେ କେବେ ହେଲେ ପଶ୍ଚାଦପଦ ହୋଇନାହାନ୍ତି । ଜଣେ ଧର୍ମ ସଂଗ୍ରମୀ ଭାବରେ ସେ ନିଜ ସ୍ୱଧର୍ମରେ ସର୍ବଦା ଅଚଳ ଅବିଚଳ ମହାମେରୁ ରୂପେ ସର୍ବଜନ ବିଦିତ ଥିଲେ । ଯୌଥ ପରିବାରର ସଫଳ ସାରଥି ଥିଲେ ସେ । ତାଙ୍କ ଦୃଢ ମନୋବଳ ତାଙ୍କୁ ଜୀବନରେ ଅନେକ ସଂଗ୍ରାମରେ ବିଜୟ ଆଣିଦେଇଥିଲା । ସେ ଅବିଶ୍ରାନ୍ତ ଭାବରେ କର୍ମଠ ଏବଂ ମାନବଜୀବନର ସ୍ୱାଦ ଆସ୍ୱାଦନ କରିବାରେ ଅଭିଜ୍ଞ । ସେ ସ୍ପଷ୍ଠବାଦୀ, ନୀରୋଗ ଶରୀରଧାରୀ ଏବଂ ନିରହଂକାରୀ ଭାବରେ ସର୍ବଜନାଦୃତ ଥିଲେ । ତାଙ୍କ ଧର୍ମପତ୍ନୀ ତଥା ଟ୍ରଷ୍ଟ ଉପାଧ୍ୟକ୍ଷା ଅମ୍ବିକା ବିଶ୍ୱାଳଙ୍କର ଗତ ଅକ୍ଟୋବର ମାସରେ ପରଲୋକ ହୋଇଯାଇଛି । ପ୍ରତିବର୍ଷ ପରି ତାଙ୍କର ୧୦୩ତମ ଜୟନ୍ତୀ ଉପଲକ୍ଷେ ତାଙ୍କ ଜନ୍ମସ୍ଥାନ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବସୁପୁର ଗ୍ରାମରେ ଆଜି ଏକଦିବସୀୟ ଆଧ୍ୟାତ୍ମିକ ଦାନଧର୍ମ ସମାରୋହ କୋଭିଡ ନିୟମ ଅନୁପାଳନ ପୂର୍ବକ ଅନୁଷ୍ଠିତ ହେଉଛି । ଏହି ଅବସରରେ ଧର୍ମଯଜ୍ଞ-ଗୀତାପାଠ, ଦୀପଦାନ ଓ ଦାନଧର୍ମ(ଫଳ, ଅନ୍ନ ଓ ବସ୍ତ୍ର ଦାନ) ଧର୍ମ କାର୍ଯ୍ୟମାନ ଅନୁଷ୍ଠିତ ହେଉଛି । ତାଙ୍କର ସେହି ମହନୀୟ ଚିନ୍ତାଧାରା ଓ ଧର୍ମମାର୍ଗକୁ ଉତ୍ସାହିତ କରିବା ପାଇଁ ଜୟନ୍ତୀ କମିଟିର ସଦସ୍ୟ ଓ ଧନୁର୍ଜ୍ଜୟ ବିଶ୍ୱାଳ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସମସ୍ତଙ୍କ ସକ୍ରିୟ ସହଯୋଗ କାମନା କରାଯାଇଛି । ଓଡ଼ିଶା ସମାଚାର

About admin

Check Also

ଭାଗବତ ଟୁଙ୍ଗି ରେ ଭଗବତ ଆଲୋଚନା ଓ ଭଜନ ସନ୍ଧ୍ୟା

 ନିଶ୍ଚିନ୍ତକୋଇଲି, ୧୮/୦୫/୨୦୨୨(ଓଡିଶା ସମାଚାର/ ଅଭୟ ଜେନା)- ନିଶ୍ଚିନ୍ତକୋଇଲି ବ୍ଲକ କଳମିଶ୍ରି ପଞ୍ଚାୟତ ଦାମୋଦରପୁର ଠାରେ ସ୍ଥାପିତ ଭାଗବତ ଟୁଙ୍ଗି ପରିସରରେ …

Leave a Reply

Your email address will not be published. Required fields are marked *