ଗରଦପୁର, ୧୮/୧/୨୦୨୨ (ଓଡ଼ିଶା ସମାଚାର)-ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗତ କାଲି ଓ ଆଜି ପ୍ରାର୍ଥି ମାନଙ୍କର ନାମାଙ୍କନ ଦାଖଲ ଜାରି ରହିଛି । ନାମାଙ୍କନ ଦାଖଲ ଶେଷ ପାଇଁ ଆଉ ମାତ୍ର ୩ ଦିନ ବାକି ରହିଲା । ଏଭଳି ସ୍ଥିତିରେ ଗରଦପୁର ବ୍ଲକ୍ ପାଇଁ ଥିବା ତିନୋଟି ଜିଲା ପରିଷଦ ଜୋନ୍ ରେ ଆଜି ସନ୍ଧ୍ୟା ସୁଦ୍ଧା ବିଜେପି , କଂଗ୍ରେସ ଓ ବିଜେଡ଼ି କୌଣସି ବି ଦଳ ଏହାର ପ୍ରାର୍ଥି ଘୋଷଣା କରିପାରିନାହାନ୍ତି । ପ୍ରତ୍ୟେକ ଦଳ ନେତୃତ୍ୱ ଅନ୍ୟ ଦଳର ପ୍ରାର୍ଥି ଘୋଷଣାକୁ ଅପେକ୍ଷା କରି ଗୋଟି ଚାଳନା କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି । ଫଳରେ ତିନୋଟି ଯାକ ଦଳର ଜିଲା ପରିଷଦ ପ୍ରାର୍ଥି ହେବା ପାଇଁ ଆଶୟୀ ମାନଙ୍କ ମଧ୍ୟରେ ଆଶଙ୍କା ଓ ନୈରାଶ୍ୟ ସୃଷ୍ଟି ହୋଇଛି । ଗରଦପୁର ବ୍ଲକ୍ ରେ କେନ୍ଦ୍ରାପଡ଼ା ଜିଲାର ୯, ୧୦ ଓ ୧୧ ନମ୍ବର ଜିଲା ପରିଷଦ ସିଟ୍ ରହିଛି । ଚଳିତ ନିର୍ବାଚନରେ ୯ ଓ ୧୧ ନମ୍ବର ଜୋନ୍ ମହିଳା ଙ୍କ ପାଇଁ ସଂରକ୍ଷିତ ଥିବାବେଳେ ୧୦ ନମ୍ବର ଜୋନ୍ ଟି ଅଣ ସଂରକ୍ଷିତ ରହିଛି । ମିଳିଥିବା ସୂଚନା ଅନୁସାରେ ୯ ନମ୍ବର ଜୋନ୍ ରେ ବିଜେପି ର ୪ ଜଣ, ବିଜେଡ଼ି ର ୩ ଜଣ ଓ କଂଗ୍ରେସର ୨ ଜଣ ପ୍ରାର୍ଥି ଲବି ରେ ଅଛନ୍ତି । ସେହିପରି ୧୦ ନମ୍ବର ଜୋନ ରେ ବିଜେପି ର ୫ ଜଣ, ବିଜେଡ଼ି ର ୩ ଜଣ ଓ କଂଗ୍ରେସ ର ୨ ଜଣ ଅଶାୟୀ ରହିଛନ୍ତି । ଏଥି ସହିତ ୧୧ ନମ୍ବର ଜୋନ୍ ରେ ବିଜେପି ର ୩ ଜଣ ଥିବାବେଳେ କଂଗ୍ରେସର ୨ ଜଣ ଓ ବିଜେଡ଼ି ର ୩ ଜଣ ଆଶାୟୀ ପ୍ରାର୍ଥି ହେବାକୁ ଲବିରେ ଅଛନ୍ତି । ତେବେ ନାକାଙ୍କନର ୨ ଦିନ ବିତିଯାଇଥିଲେ ମଧ୍ୟ ଦଳିୟ ନେତୃତ୍ୱ ସେମାନଙ୍କ ପ୍ରାର୍ଥି ଘୋଷଣା କରିବା ପାଇଁ ସମର୍ଥ ହୋଇ ନାହାନ୍ତି । ବିଜେପି ଦଳରେ ବିଜୟ ଙ୍କୁ ନେଇ ସୃଷ୍ଟି ହୋଇଥିବା କେଁ ପାଇଁ ଆଜି ପର୍ଯ୍ୟନ୍ତ ପ୍ରାର୍ଥି ଘୋଷଣା ହୋଇପାରିନଥିବା ଜଣାପଡ଼ିଛି । ତେବେ ବିଜେପି କେନ୍ଦ୍ରାପଡ଼ା ଜିଲା ପ୍ରଭାରୀ ଜତୀନ ମହାନ୍ତି ଆଜି ସନ୍ଧ୍ୟାରେ କେନ୍ଦ୍ରାପଡ଼ା ରେ ବିଜୟ ଙ୍କ ସହିତ ଜିଲାପରିଷଦ ପ୍ରାର୍ଥି ଚୟନ ପାଇଁ ବୈଠକ ଜାରି ରଖିଥିବା ସୂଚନା ମିଳିଛି । ଅଧିକନ୍ତୁ ସାଙ୍ଗଠନିକ ଦୃଷ୍ଟି କୋଣରୁ ଗରଦପୁର ବ୍ଲକ୍ ରେ କଂଗ୍ରେସ ପଛରେ ରହିଛି । ପାଟକୁରା କଂଗ୍ରେସ ନେତା ରତିକାନ୍ତ କାନୁନଗୋ ଙ୍କ ନେତୃତ୍ୱରେ କଂଗ୍ରେସ ସଂଗଠନ ବୃଦ୍ଧି ପାଇ ପରିସ୍ଥିତିକୁ ଦେଖି ସଠିକ ପ୍ରାର୍ଥି ଚୟନ କରାଯାଉଛି ବୋଲି ଶ୍ରୀ କାନୁନଗୋ ସୂଚନା ଦେଇଛନ୍ତି । ପ୍ରକାଶ ଥାଉକି ଗତ ୨ ଦିନ ପୂର୍ବେ କେନ୍ଦ୍ରାପଡ଼ା ଜିଲା ଜିଲାପରିଷଦ ଜୋନ୍ ଗୁଡ଼ିକରେ କଂଗ୍ରେସ ପ୍ରାର୍ଥି ଘୋଷଣା କରିଥିଲେ ମଧ୍ୟ ଗରଦପୁର ବ୍ଲକ୍ ର ୩ ଟି ଜୋନ୍ ପାଇଁ କଂଗ୍ରେସ ମଧ୍ୟ ପ୍ରାର୍ଥି ଘୋଷଣା କରିନଥିଲା । ଅପର ପକ୍ଷରେ ବ୍ଲକ୍ ର ତିନୋଟି ଜୋନ୍ ରୁ ଗତ ୨୦୧୬-୧୭ ନିର୍ବାଚନରେ ୯ ଓ ୧୧ ନମ୍ବର ଜୋନ୍ ବିଜେପି ହାତକୁ ଚାଲିଯାଇଥିଲା । ସେଥିପାଇଁ ଚଳିତ ନିର୍ବାଚନରେ ବ୍ଲକ୍ ର ତିନୋଟି ଯାକ ଜୋନ୍ ରୁ ବିଜେଡ଼ି ପ୍ରାର୍ଥି ଜିତିବା ପାଇଁ ଦଳିୟ ନେତୃତ୍ୱ ଅଙ୍କ କଶୁଛନ୍ତି । ବିଜୟ ସମ୍ଭାବନା ଥିବା ପ୍ରାର୍ଥି ଙ୍କୁ ଦଳିୟ ଟିକେଟ ଦେବାକୁ ବିଜେଡ଼ି ଉପର ମହଲରେ ଚର୍ଚ୍ଚା ଚାଲିଛି । ଗରଦପୁର ବ୍ଲକ୍ ବିଜେଡ଼ି ରେ ଥିବା ଅନ୍ତ କନ୍ଦଳ ମଧ୍ୟ ପ୍ରାର୍ଥି ଘୋଷଣାରେ ଅନ୍ତରାୟ ସୃଷ୍ଟି କରିଛି । ଆଜି ରାତି ସୁଦ୍ଧା ପ୍ରାର୍ଥି ଚୟନ ହୋଇଯିବ ବୋଲି ବିଜେଡ଼ି ଦଳିୟ ସୂତ୍ରରୁ ଜଣାପଡ଼ିଛି । ଓଡ଼ିଶାସମାଚାର