ଗରଦପୁର, ୧୭/୧/୨୦୨୨ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତ ର ବାସୁଦେଇପୁର ଗ୍ରାମ ଭୋଟର ତାଲିକାରେ ବ୍ୟାପକ ତୃଟି ପରିଲକ୍ଷିତ ହୋଇଛି । ବାସୁଦେଇପୁର ଗ୍ରାମର ୨୦ ନମ୍ବର ୱାର୍ଡ଼ରେ ୩୦ ଜଣ ଭୋଟର ଙ୍କ ନାମ ଭୋଟର ତାଲିକା ରୁ ବାଦ ପଡ଼ିଛି । ଯାହା ଫଳରେ ଚଳିତ ପଂଚାୟତ ନିର୍ବାଚନରେ ଭୋଟ ଦେଇ ପାରିବେ ନାହିଁ । ସେଥିପାଇଁ ଗ୍ରାମବାସୀ ଙ୍କ ତରଫରୁ ତୀବ୍ର ଅସନ୍ତୋଷ ପ୍ରକାଶ କରାଯାଇ ବ୍ଲକ ବିଡ଼ିଓ ତଥା ନିର୍ବାଚନ ଅଧିକାରୀ ରଂଜିତ କୁମାର ମଲିକ ଙ୍କୁ ଆଜି ବାଦ ପଡ଼ିଥିବା ଭୋଟରଙ୍କ ନାମ ତାଲିକାରେ ଅନ୍ତର୍ଭୁକ୍ତ କରିବା ପାଇଁ ଦାବି କରାଯାଇଛି । ଏଠାରେ ପ୍ରକାଶ ଥାଉକି ୨୦୧୭ ମସିହା ପଂଚାୟତ ନିର୍ବାଚନ ତାଲିକା ଏବଂ ୨୦୨୨ ବିଧାନସଭା ଭୋଟର ତାଲିକାରେ ସେମାନଙ୍କ ନାମ ଅନ୍ତର୍ଭୁକ୍ତ ଥିଲା । ହେଲେ ଗତ ୫ ତାରିଖରେ ପ୍ରକାଶ ପାଇଥିବା ୨୦୨୨ ପଂଚାୟତ ନିର୍ବାଚନ ର ଚୂଡ଼ାନ୍ତ ଭୋଟର ତାଲିକାରେ ସେମାନଙ୍କ ନାମ ବାଦ ପଡ଼ିଥିବା ଜଣାପଡ଼ିଛି । ଏହି ୩୦ ଜଣ ଙ୍କ ନାମ କିପରି ବାଦ ପଡ଼ିଲା ତାହା ବିଚାରକୁ ନିଆଯାଇ ସେମାନଙ୍କୁ ମତଦାନ ଅଧିକାର ଦେଇ ସାମ୍ବିଧାନିକ ଅଧିକାର ଦେବାକୁ ଦାବି କରାଯାଇଛି । ବାସୁଦେଇପୁର ଗ୍ରାମର ୨୦ ନମ୍ବର ୱାର୍ଡ଼ ର ଘନଶ୍ୟମ ନାୟକ, ନଳିନୀ କାନ୍ତ ନାୟକ, ସରୋଜକାନ୍ତ ନାୟକ, ରଜନୀକାନ୍ତ ନାୟକ, ଅନପୂର୍ଣ୍ଣା ନାୟକ, ରତ୍ନବାଳା ନାୟକ, ରେଣୁବାଳା ନାୟକ, କନକଲତା ନାୟକ, ମଧୁସ୍ମିତା ନାୟକ, ସତ୍ୟପ୍ରକାଶ ନାୟକ, ବିଜୟ କୁମାର ନାୟକ, ଗନ୍ଧର୍ବ ନାୟକ, ରତିକାନ୍ତ ନାୟକ ପ୍ରମୁଖ ୩୦ ଜଣ ଚୂଡ଼ାନ୍ତ ଭୋଟର ତାଲିକାରୁ ବାଦ ପଡ଼ିଛନ୍ତି । ଏହାର ସୁବିଚାର କରିବା ପାଇଁ ବ୍ଲକ୍ ରେ ଦରଖାସ୍ତ ଦେବା ସହିତ ୨୦୧୭ ଓ ୨୦୨୨ ଭୋଟର ତାଲିକା ସହିତ ସେମାନଙ୍କ ଦରଖାସ୍ତ କେନ୍ଦ୍ରାପଡ଼ା ଜିଲାପାଳ ଓ ମୁଖ୍ୟ ନିର୍ବାଚନ ଅଧିକାରୀ ଭୁବନେଶ୍ୱରଙ୍କ ନିକଟକୁ ଆଜି ପଠାଇଛନ୍ତି ।
ସେହିପରି ନଡ଼ିଆବରେଇ ପଂଚାୟତରେ ମଧ୍ୟ ଚୂଡ଼ାନ୍ତ ଭୋଟର ତାଲିକାରେ ବିଭ୍ରାଟ ଥିବା ଅଭିରୋଗ କରାଯାଇଛି । ନଡ଼ିଅବରେଇ ପଂଚାୟତ ର ୬ ଓ ୭ ନମ୍ବର ୱାର୍ଡ଼ରେ ୩୦ ଟି ପରିବାରର ୯୦ ଜଣ ରୁ ଅଧିକ ଭୋଟରଙ୍କ ନାମ ବାଦ ପଡ଼ିଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ଗ୍ରାମବାସୀଙ୍କ ତରଫରୁ ଭୂବନ ମଲିକ ବିଡ଼ିଓ ଙ୍କ ନିକଟରେ ଅଭିଯୋଗ ଦାଖଲ କରିଛନ୍ତି । ଏପରିକି ନଡ଼ିଆକରେଇ ପଂଚାୟତରେ ସରପଂଚ ଭାଗରେ ଗତ ୨୦୦୨ ନିର୍ବାଚନରେ ବିଜୟୀ ହୋଇଥିବା ଭୁବନ ମଲିକ ଚଳିତ ନିର୍ବାଚନରେ ମଧ୍ୟ ସରପଂଚ ପାଇଁ ଆଶାୟୀ ଥିଲେ । ଭୋଟର ତାଲିକାରେ ତାଙ୍କ ନାମ ନଥିବାରୁ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରି ବିଡ଼ିଓ ଙ୍କୁ ଅଭିଯୋଗ କରିଛନ୍ତି । ଓଡ଼ିଶା ସମାଚାର