ଭୁବନେଶ୍ବର/ବାଲିଚନ୍ଦ୍ରପୁର, ୧୫/୧/୨୦୨୨ (ଓଡ଼ିଶା ସମାଚାର)- ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ, ସର୍ବୋଦୟ କର୍ମୀ ତଥା ବଡ଼ଚଣା ଗାନ୍ଧୀ ବୃନ୍ଦାବନ ତ୍ରିପାଠୀଙ୍କ ୧୦୬ତମ ଜୟନ୍ତୀ ନିରାଡମ୍ବର ଭାବେ କୋଭିଡ କଟକଣାରେ ପାଳନ କରାଯାଇଛି । ଯାଜପୁର ଜିଲ୍ଲାର ସଂଗ୍ରାମୀ ଗ୍ରାମ ବାଲିପଡିଆସ୍ଥିତ ସ୍ବାଧୀନତା ସଂଗ୍ରାମର ଅନ୍ୟତମ ପୂଣ୍ୟକ୍ଷେତ୍ର ‘ଠକ୍କରବାପା ଆଶ୍ରମ’ ପରିସରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଓ ସ୍ବର୍ଗତ ତ୍ରିପାଠୀଙ୍କ ସମାଧିରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।
ପୂର୍ବାହ୍ନରେ ବାଲିପଡିଆ ଗ୍ରାମର ବାଲିପଡିଆ ଯୁବକ ସଂଘ ସମ୍ମୁଖରେ ପ୍ରତିଷ୍ଠିତ ସ୍ବର୍ଗତ ତ୍ରିପାଠୀଙ୍କ ପ୍ରତିମୂର୍ତ୍ତିରେ ଗ୍ରାମର ବହୁ ବିଶିଷ୍ଟ ବ୍ୟକ୍ତି ଓ ଯୁବନେତା ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥ୍ଖଲେ । ‘ଇଣ୍ଟର ଗ୍ରାମ’ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଏକ ନିରାଡମ୍ବର ସମାରୋହରେ ଏହାର ଅଧ୍ୟକ୍ଷ ତଥା ଶିକ୍ଷାବିତ ଶରତ ଚନ୍ଦ୍ର ପ୍ରଧାନ ସଭାପତିତ୍ବ କରିଥ୍ଖବାବେଳେ ଅଞ୍ଚଳର ବରିଷ୍ଠ ଚାଷୀ ତଥା ବିଶିଷ୍ଟ ବ୍ୟକ୍ତି ବିମ୍ବାଧର ସ୍ବାଇଁ, ପୂର୍ବତନ ସରପଞ୍ଚ ଅନିରୁଦ୍ଧ ସାମଲ, ଚଣ୍ଡୀଖୋଲ ବାର ଆସୋସିଏସନ ସଂପାଦକ ଆଡଭୋକେଟ ପ୍ରକାଶ ଦାଶ ପ୍ରମୁଖ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାର୍ପଣ କରିଥିଲେ ।
ଗୁରୁଜୀ ବିନୋଦ ବିହାରୀ ରାଉତ, ବରିଷ୍ଠ କଂଗ୍ରେସ ନେତା ବସନ୍ତ ସାମଲ, ଧନଞ୍ଜୟ ତିପ୍ରାଠୀ, ନଟବର ମଲ୍ଲିକ, ସଞ୍ଜୟ କୁମାର ତ୍ରିପାଠୀ, ୱାର୍ଡମେମ୍ବର ତାପସ ତ୍ରିପାଠୀ, ନିଗମ ତ୍ରିପାଠୀ,ତପନ କୁମାର ସାମଲ, ନୀଳାଦ୍ରି ପ୍ରଧାନ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିବାବେଳେ ମଧ୍ୟାହ୍ନରେ ବଡ଼ଚଣାର କଂଗ୍ରେସ ନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର ବାଲିପଡିଆ ଗସ୍ତକରି ପ୍ରତିମୂର୍ତ୍ତି ଓ ସମାଧି ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶ୍ରୀ ମହାପାତ୍ରଙ୍କ ସହ ବହୁ କଂଗ୍ରେସ କାର୍ୟ୍ୟକର୍ତ୍ତା ଓ ବିଶିଷ୍ଟ ବ୍ୟକ୍ତିବିଶେଷ କାର୍ୟ୍ୟକ୍ରମରେ ଯୋଗଦେଇ ସ୍ବର୍ଗତ ତ୍ରିପାଠୀଙ୍କ ଅବଦାନ ସଂପର୍କରେ ସ୍ମୃତିଚାରଣ କରିଥିଲେ । ଏହି ଅବସରରେ ଉତ୍କଳମଣି ଗୋପବନ୍ଧୁ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ସ୍ବାଧୀନତା ସଂଗ୍ରାମୀ ତିଳ ମଲ୍ଲିକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଛତିଆରେ ଗାନ୍ଧୀ ପାଠାଗାର ପକ୍ଷରୁ ବଡ଼ଚଣା ଗାନ୍ଧୀଙ୍କ ୧୦୬ତମ ଜୟନ୍ତୀ ପାଳନ କରାଯାଇଥିଲା । ଗାନ୍ଧୀ ପାଠାଗାରର ସଭାପତି ତଥା ରାଜ୍ୟସ୍ତରୀୟ ଗାନ୍ଧୀ ୧୫୦ କମିଟିର ସଦସ୍ୟ ସ୍ତମ୍ଭକାର ମିହିର ପ୍ରତାପ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାରୋହରେ ଛତିଆ ଓ ବଡ଼ଚଣା ଅଞ୍ଚଳର ବହୁ ବିଶିଷ୍ଟ ବ୍ୟକ୍ତି ତଥା ଯୁବଛାତ୍ର ଯୋଗଦେଇ ସ୍ବର୍ଗତ ତ୍ରିପାଠୀଙ୍କ ସ୍ବାଧୀନତା ସଂଗ୍ରାମର ତ୍ୟାଗ ସଂପର୍କରେ ଆଲୋକପାତ କରିଥିଲେ । ଓଡ଼ିଶା ସମାଚାର