କେନ୍ଦ୍ରାପଡ଼ା, ୧୫/୧/୨୦୨୨ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ପୌରସଂସ୍ଥାର ନଗରପାଳ ପଦବୀଟି ମହିଳାଙ୍କ ପାଇଁ ସଂରକ୍ଷିତ କରାଯାଇଛି । ଓଡିଶା ଗୃହ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ ରାଜ୍ୟର ୧୦୭ଟି ଆଂଚଳିକ ବିଜ୍ଞାପିତ ପରିଷଦ ଏବଂ ପୌରସଂସ୍ଥାର ଅଧ୍ୟକ୍ଷ ପଦ ନିମନ୍ତେ ଚିଠା ତାଲିକା ଶନିବାର ପ୍ରକାଶ ପାଇଛି । ସେହି ଅନୁଯାଇ କେନ୍ଦ୍ରାପଡା ପୌରସଂସ୍ଥାର ଅଧ୍ୟକ୍ଷ ପଦଟି ମହିଳାଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବା ବେଳେ ପଟ୍ଟାମୁଣ୍ଡାଇ ଆଂଚଳିକ ବିଜ୍ଞାପିତ ପରିଷଦର ଅଧ୍ୟକ୍ଷ ପଦଟି ସାଧାରଣ ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି । ଯଦି ଏଥିରେ କାହାର କୈାଣସି ଅଭିଯୋଗ ବା ମତାମତ କିଛି ଥାଏ ତେବେ ବିଜ୍ଞପ୍ତି ପ୍ରକାଶନର ୧୫ଦିନ ମଧ୍ୟରେ ପୌର ପ୍ରଶାସନ ନିର୍ଦେଶକଙ୍କୁ ଲିଖିତ ଭାବରେ ଜଣାଇବାକୁ କୁହାଯାଇଛି । କେନ୍ଦ୍ରାପଡା ପୌରସଂସ୍ଥା ଅଧ୍ୟକ୍ଷ ପଦଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ନଗରପାଳ ଦୌଡରେ ଥିବା ସରକାରୀ ଦଳ ସମେତ କଂଗ୍ରେସ ଦଳର ବହୁ ଆଶାୟୀଙ୍କୁ ନିରାଶ ହେବାକୁ ପଡିଛି । କିନ୍ତୁ ସରକାରୀ ଦଳର କେତେକ ଆଗ ଧାଡିର ମହିଳାମାନେ ଏହି ସଂରକ୍ଷଣକୁ ନେଇ ଆଶାୟୀ ହୋଇପଡିଥିବା ସୂଚନା ମିଳିଛି । ଓଡ଼ିଶା ସମାଚାର
