କେନ୍ଦ୍ରାପଡା, ୧୩/୧/୨୦୨୨ (ଓଡ଼ିଶା ସମାଚାର)-:କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଶ୍ରୀବଳଦେବଜୀଉଙ୍କ ମନ୍ଦିର ଓ ତା’ର ନିକଟବର୍ତୀ ୫ଶହ ମିଟର ବ୍ୟାସର୍ଦ୍ଧ ପରିମିତ ବିଜେ ଇଛାପୁର, ସମଗ୍ର ରଥଦାଣ୍ଡ ଏବଂ ମାଉସୀମା ମନ୍ଦିର ପରିସୀମା ଅଂଚଳରେ ଜାନୁଆରୀ ମାସ ୧୨ତାରିଖ ରାତି ୯ଟା ଠାରୁ ଜାନୁଆରୀମାସ ୧୫ତାରିଖ ସକାଳ ୯ଟା ପର୍ଯ୍ୟନ୍ତ ୧୪୪ଧାରା ଲାଗୁ କରାଯାଇଛି । ମକର ସଂକ୍ରାନ୍ତୀ ଉପଲକ୍ଷେ ଶ୍ରୀବଳଦେବଜୀଉଙ୍କ ମନ୍ଦିର ପରିସର ଓ ଏହାର ନିକଟବର୍ତୀ ଅଂଚଳରେ କେବଳ ସେବାୟତ ଓ ନିଯୁକ୍ତ ସରକାରୀ କର୍ମଚାରୀମାନଙ୍କ ବ୍ୟତିତ କୌଣସି ଶ୍ରଦ୍ଧାଳୁ ଏବଂ ଜନସାଧାରଣଙ୍କ ସମାଗମକୁ ବାରଣ କରାଯାଇଛି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କୋଭିଡ-୧୯କୁ ଏକ ମହାମାରୀ ଭାବେ ଘୋଷଣା କରିଥିବାରୁ ଏବଂ ଓଡିଶା ସରକାର ଏହାକୁ ରାଜ୍ୟ ବିପତି ଭାବେ ଘୋଷଣା କରିଥିବାରୁ ସର୍ବସାଧାରଣ ସ୍ଥାନରେ ଜନସମାଗମକୁ ପ୍ରତିହତ କରିବା ପାଇଁ ବିଶେଷ କରି ମକରସଂକ୍ରାନ୍ତୀକୁ ଆଖି ଆଗରେ ରଖି କେନ୍ଦ୍ରାପଡା ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଫୌଜଦାରୀ ପ୍ରକ୍ରିୟା ସଂହିତା ଅନୁଯାଇ ୧୪୪ଧାରା ଲାଗୁ କରିବା ପାଇଁ ନିର୍ଦେଶ ଜାରି କରିଛନ୍ତି । ଓଡ଼ିଶା ସମାଚାର