Saturday , November 26 2022
Breaking News
Home / ରାଜନୀତି / କେନ୍ଦ୍ରାପଡା ଜିଲ୍ଲାପରିଷଦ ୮ନଂ ଜୋନ୍ ପ୍ରାର୍ଥୀ ଚୟନରେ ଉପଯୁକ୍ତ ନିଷ୍ପତି ନେବାକୁ ବିଜେଡି କର୍ମୀଙ୍କ ରାଜ୍ୟ ସଭାପତିଙ୍କୁ ନିବେଦନ

କେନ୍ଦ୍ରାପଡା ଜିଲ୍ଲାପରିଷଦ ୮ନଂ ଜୋନ୍ ପ୍ରାର୍ଥୀ ଚୟନରେ ଉପଯୁକ୍ତ ନିଷ୍ପତି ନେବାକୁ ବିଜେଡି କର୍ମୀଙ୍କ ରାଜ୍ୟ ସଭାପତିଙ୍କୁ ନିବେଦନ

କେନ୍ଦ୍ରାପଡ଼ା, ୧୩/୧/୨୦୨୨ (ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାପରିଷଦର ୮ନଂ ଜୋନ୍ ଅନ୍ତର୍ଗତ କଳପଡା, ବଗଡା, ଓସ୍ତପୁର, କଂସାର, ପୁରୁଷୋତମପୁର, ଆୟବା ଓ କପାଳେଶ୍ୱର ପଂଚାୟତର ବିଜୁ ଜନତା ଦଳର ସକି୍ରୟ କର୍ମୀମାନେ ସେହି ଜୋନ୍ ପାଇଁ ପାର୍ଥୀ ଚୟନ ଦିଗରେ ଉପଯୁକ୍ତ ନିଷ୍ପତି ଗ୍ରହଣ କରିବାକୁ ବିଜୁ ଜନତାଦଳର ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି । ସେମାନେ କହିଛନ୍ତି ଯେ ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ୮ନମ୍ବର ଜୋନ୍ରେ ବିଜେଡି ପକ୍ଷରୁ ଜ୍ୟୋସ୍ନାରାଣୀ ଜେନାଙ୍କୁ ପ୍ରାର୍ଥୀ କରାଯାଇଥିଲା । ରାଜନୀତି ଓ ଜନସମ୍ପର୍କ କ୍ଷେତ୍ରରେ ସମ୍ପୂର୍ଣ୍ଣ ଅନଭିଜ୍ଞ ଥିବା ତଥା ନୂଆ ମୁହଁ ହୋଇଥିବା ସତ୍ୱେ ସେମାନେ ବିଜେଡି ପ୍ରାର୍ଥୀନୀ ଭାବେ ଶ୍ରୀମତୀ ଜେନାଙ୍କୁ ବହୁକଷ୍ଟରେ ବିଜୟୀ କରାଇଥିଲେ । କିନ୍ତୁ ଗତ ୫ବର୍ଷ କାଳ ଜିଲ୍ଲାପରିଷଦରେ ସଦସ୍ୟା ଥିବା ଶ୍ରୀମତୀ ଜେନାଙ୍କ ନାମରେ ବହୁ ଦୁର୍ନ୍ନୀତି, ହରିଲୁଟ ଏବଂ ଜନଉପେକ୍ଷା ଅଭିଯୋଗମାନ ହୋଇଆସୁଛି । ଏଥିସହିତ ତାଙ୍କ ବିରୁଦ୍ଧରେ ପ୍ରବଳ ଜନଅସନ୍ତୋଷ ମଧ୍ୟ ରହିଛି । ଏତଦବ୍ୟତିତ ଜିଲ୍ଲାପରିଷଦ ସଦସ୍ୟା ଶ୍ରୀମତୀ ଜେନା ପ୍ରାୟତଃ ନିଜ ବ୍ୟବସାୟୀ ସ୍ୱାମୀଙ୍କ ପାଖରେ ଭୁବେନେଶ୍ୱରରେ ରହିଥାନ୍ତି । ନିଜ ଜୋନର ମୌଳିକ ସୁବିଧା, ଆବଶ୍ୟକତା ସମ୍ପର୍କରେ କେବେ ସେ କିଛି ବୁଝନ୍ତି ନାହଁ । ତୃଣମୂଳ ସ୍ତରରେ କୌଣସି ରାଜନୈତିକ ବା ଦଳୀୟ କାର୍ଯ୍ୟକ୍ରମରେ ସେ ସାମିଲ ହୋଇନଥିବା କିମ୍ବା ସେହି ଜୋନର ଅଧିବାସୀଙ୍କ ସୁଖଦୁଃଖ, ସୁବିଧା ଅସୁବିଧା କେବେ ବୁଝିନାହାନ୍ତି ବୋଲି ଅଭିଯୋଗ ହୋଇଛି । ଶ୍ରୀମତୀ ଜେନାଙ୍କ ନିଜ ପଂଚାୟତ କଳପଡା ପଂଚାୟତରେ ଅନୁସୂଚୀତ ବର୍ଗର ସରପଂଚକୁ ଧମକ ଦେଇ ସେହି ପଂଚାୟତରେ ସମସ୍ତ ଉନ୍ନୟନ ମୂଳକ କାର୍ଯ୍ୟ ଗୁଡିକୁ ନିଜ ସାନଭାଇ ଦ୍ୱାରା କରାଇ ସେ ବାବଦରେ ଅର୍ଥ ବାଟମାରଣା, ହରିଲୁଟ କରିଥିବା ନେଇ ଅଭିଯୋଗ ହୋଇଛି । ସେହିପରି ବାର୍ଦ୍ଧକ୍ୟ ଭତା ଏପରିକ ରାସନକାର୍ଡ କରାଇ ଦେବାକୁ କହି ଅର୍ଥ ଆଦାୟ କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅର୍ଥ ନ ଦେଳେ ସେମାନଙ୍କ ସହାୟତା କାଟିଦିଆଯିବ ବୋଲି ଗରିବ ଲୋକମାନଙ୍କୁ ଧମକ ମଧ୍ୟ ଦିଆଯାଇଥିବା ଅଭିଯାଗ ହୋଇଛି । ସାଧାରଣ ଲୋକେ ବାଧ୍ୟହୋଇ ଜିଲ୍ଲାପାଳଙ୍କୁ ଅଭିଯୋଗ କରିବା ଫଳରେ ଜିଲ୍ଲାପାଳ ଏ କ୍ଷେତ୍ରରେ ହସ୍ତକ୍ଷେପ କରିବା ଦ୍ୱାରା ଲୋକମାନେ କିଛି ମାତ୍ରାରେ ଆସ୍ୱସ୍ଥ ହୋଇଛନ୍ତି । ମନରେଗା ଯୋଜନାରେ କଳପଡା ଗ୍ରାମର ତାଙ୍କ ଘର ସମ୍ମୁଖ ଜଳ ସଂପଦ ଶାଖା କେନାଲ ଉପରେ ଏକ କଳଭଟ କରାଇ ନିଜଘରକୁ ଯାତାୟତ ରାସ୍ତା ସେ କରାଇଛନ୍ତି । ନିଜ ବ୍ୟକ୍ତିଗତ ଜାଗାରେ ସରକାରୀ ଅର୍ଥରେ ଢଳାଇ ରାସ୍ତା ମଧ୍ୟ ସେ କରାଇଛନ୍ତି । ସେହି ଜୋନ ଅନ୍ତର୍ଗତ କପାଳେଶ୍ୱର ପଂଚାୟତ ଅଧିନ ହନୁମାନ ମଠ ସମ୍ମୁଖ ରାସ୍ତା ନିର୍ମାଣରେ ପିସି ନେଇ ବିଜେପି କର୍ମୀଙ୍କୁ ସେହି ରାସ୍ତାର କାମ ବିକିଥିବା ଅଭିଯୋଗ ହୋଇଛି । ଜିଲ୍ଲାପରିଷଦ ଅଧ୍ୟକ୍ଷ ମାନସ ପରିଡା ବିଜେଡି ଦଳର ହୋଇଥିଲେ ମଧ୍ୟ ଶ୍ରୀମତୀ ଜେନା ଦଳବିରୋଧି କାର୍ଯ୍ୟକରି ଅଧ୍ୟକ୍ଷ ଶ୍ରୀ ପରିଡାଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବରେ ବିରୋଧିଦଳ ସହ ନିଜେ ନେତୃତ୍ୱ ନେଇଥିଲେ ବୋଲି ଅଭିଯୋଗ ହୋଇଛି । ସେହି ଜୋନ୍ ଅଧିନ ବଗଡା ପଂଚାୟତରେ ଜିଲ୍ଲାପରିଷଦ ଅଂଶ ଅନୁଦାନକୁ ଶ୍ରୀମତୀ ଜେନା ପିସି ନେଇ କଂଗ୍ରେସ କର୍ମୀଙ୍କୁ ବିକିଥିବା ନେଇ ଦଳୀୟକର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଫଳରେ ଠିକାଦାରଙ୍କ ନିମ୍ନମାନର ନିର୍ମାଣ କାର୍ଯ୍ୟକୁ ପ୍ରୋତ୍ସାହିତ କରୁଥିବା ସଦସ୍ୟା ଶ୍ରୀମତୀ ଜେନାଙ୍କ ବିରୁଦ୍ଧରେ ଓସ୍ତପୁର, କଂସାର, ପୁରୁଷୋତମପୁର, ଆୟବା, କପାଳେଶ୍ୱର ପ୍ରଭୃତି ପଂଚାୟତବାସୀ କ୍ଷୁବ୍ଧ ଅଛନ୍ତି । ଗତ ୨୦୧୯ ସାଧାରଣ ନିର୍ବାଚନରେ ସେ ଦଳବିରୋଧି କାର୍ଯ୍ୟ କରିଥିବା ନେଇ ଅଭିଯୋଗ ହୋଇଛି । ଫଳରେ ତାଙ୍କ ନିଜବୁଥ୍ ସମେତ ସମସ୍ତ ୭ଟି ପଂଚାୟତ ମଧ୍ୟରୁ ୬ଟି ପଂଚାୟତରେ ବିଜେଡି ଦଳର ବିଧାୟକ ଓ ସାଂସଦ ପ୍ରାର୍ଥୀଙ୍କ ଘୋର ବିପର୍ଯ୍ୟୟ ହୋଇଥିଲା । ଏହି ଜୋନ୍ର ଅଧିକାଂଶ ବିଜେଡି କର୍ମୀ ଶ୍ରୀମତୀ ଜେନାଙ୍କ ଦଳବିରୋଧି ଅନ୍ତର୍ଘାତୀ କାର୍ଯ୍ୟକୁ ନେଇ ତାଙ୍କ ବିରୁଦ୍ଧରେ ତୀବ୍ର ଜନ ଅସନ୍ତୋଷ ରହିଛି । ତେଣୁ ଦଳ ପକ୍ଷରୁ ୮ନମ୍ବର ଜୋନରେ ଶ୍ରୀମତୀ ଜେନାଙ୍କ ପରିବର୍ତେ ଅନ୍ୟ କୌଣସି ସ୍ୱଚ୍ଛ ଭାବମୂର୍ତୀ ଓ ଜନସମ୍ପର୍କ ଥିବା ଶିକ୍ଷିତ କର୍ମୀଙ୍କୁ ପ୍ରାର୍ଥୀ କରାଯିବା ପାଇଁ ଦଳୀୟକର୍ମୀମାନେ ରାଜ୍ୟ ସଭାପତିଙ୍କୁ ନିବେଦନ କରିଛନ୍ତି । ଯଦି ଏସବୁ ସମସ୍ୟାକୁ ବିଚାର କରାନଯାଇ ପୁନର୍ବାର ଶ୍ରୀମତୀ ଜେନାଙ୍କୁ ପାର୍ଥୀ କରାଯାଏ ତେବେ ଦଳପାଇଁ ଏହା ଶୋଚନୀୟ ପରାଜୟକୁ ଡାକି ଆଣିବ ବୋଲି କର୍ମୀମାନେ କହିଛନ୍ତି । ତେଣୁ ଏ ଦିଗରେ କର୍ମୀମାନଙ୍କ ନିବେଦନକୁ ବିଚାରପୂର୍ବକ ଉପଯୁକ୍ତ ପାର୍ଥୀ ଦଳ ପକ୍ଷରୁ ୮ନମ୍ବର ଜୋନ ପାଇଁ ଚୟନ କରାଯିବାକୁ ଆୟବା ପଂଚାୟତର ସମତିସଭ୍ୟ ମନୋରଞ୍ଜନ ଦାସ, ସନ୍ତୋଷ ଦାସ, ଓସ୍ତପୁର ପଂଚାୟତର ସରପଂଚ କବିତା ବାରିକ, ସମିତି ସଭ୍ୟ ପ୍ରସନ୍ନ କୁମାର ରାଉତ, ଉତମ ମଲିକ, ରାମଚନ୍ଦ୍ର ତ୍ରିପାଠୀ, ପୁରୁଷୋତମପୁର ପଂଚାୟତର ପ୍ରକାଶ ଲେଙ୍କା, ଗୋରାଙ୍ଗ ଲେଙ୍କା, ନିରାକାର ସାହୁ, ସଂଗ୍ରାମ ଦାସ, ବଗଡା ପଂଚାୟତର କାହ୍ନୁ ଚରଣ ମଲିକ, ରାଜେନ୍ଦ୍ର ପ୍ରଧାନ, ମନୋଜ କୁମାର ସ୍ୱାଇଁ, କଳପଡା ପଂଚାୟତର କଳ୍ପତରୁ ନାୟକ, ପ୍ରମୋଦ ପଟ୍ଟନାୟକ, ଭାଷ୍କର ସ୍ୱାଇଁ, କପାଳେଶ୍ୱର ପଂଚାୟତର ଭାଷ୍କର ଚନ୍ଦ୍ର ଭଦ୍ର, ବିଜୟ କୁମାର ପରିଡା, ନିଳକଣ୍ଠ ସ୍ୱାଇଁ, ଦେବାଶିଷ ସ୍ୱାଇଁ ପ୍ରମୁଖ ବିଜୁଜନତା ଦଳର ରାଜ୍ୟ ସଭାପତିଙ୍କୁ ନିବେଦନ କରିଛନ୍ତି । ଏସମ୍ପର୍କରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବିଧାୟକ ଏବଂ ଦଳୀୟ ପର୍ଯ୍ୟବେକ୍ଷକଙ୍କୁ ଅବଗତ କରାଯାଇଥିବା ସୂଚନା ଦେଇଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.