କଟକ , ୧୧/୧/୨୦୨୨ (ଓଡ଼ିଶା ସମାଚାର)- ବରିଷ୍ଠ ସିନେ ଅଭିନେତା ମିହିର ଦାସ ଆଜି ଚିକିତ୍ସାଧୀନ ଅବସ୍ଥାରେ ୬୩ ବର୍ଷ ବୟସରେ ସମସ୍ତଙ୍କୁ ଶୋକ ସାଗରରେ ଭଷାଇଦେଇ ଆର ପାରିକୁ ଚାଲିଯାଇଛନ୍ତି । କିଛିଦିନ ହେବ ଅସୁସ୍ଥତା ଯୋଗୁ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଡ଼ାକ୍ତର ମାନଙ୍କ ସମସ୍ତ ଚେଷ୍ଟା ବିଫଳ ହୋଇଛି । ତାଙ୍କର ବହୁ ଅଙ୍ଗ ଅଚଳ ହୋଇଯାଇଥିଲା । ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ତାଙ୍କର ବଳିଷ୍ଠ ଅଭିନୟ ଯୋଗୁ ସେ ଦର୍ଶକମାନଙ୍କ ପ୍ରିୟଭାଜନ ହୋଇପାରିଥିଲେ।
୧୯୫୯ ମସିହା ଫେବୃଆରୀ ୧୧ରେ ବାରିପଦାରେ ଜନ୍ମଗ୍ରହଣ କରିଥିବା ମିହିର ଦାସ ଗୋବିନ୍ଦ ତେଜଙ୍କ ନିର୍ଦ୍ଦେଶିତ ‘ରାମାୟଣ’ ଚଳଚ୍ଚିତ୍ରରୁ ନିଜ ଅଭିନୟ ଜୀବନର ଆରମ୍ଭ କରିଥିଲେ। ୧୯୭୯ରେ ନିର୍ମିତ ଚଳଚ୍ଚିତ୍ର ‘ମଥୁରା ବିଜୟ’ରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ହୋଇପାରିଥିଲା। ପ୍ରାୟ ୩ ଦଶନ୍ଧି ହେବ ମିହିର ଅନେକ ଲୋକପ୍ରିୟ ଚଳଚ୍ଚିତ୍ରରେ ଅଭିନୟ କରି ନିଜର ପରାକାଷ୍ଠା ଓ ଅଭିନୟ ପାରଦର୍ଶିତା ପ୍ରତିପାଦିତ କରିବାରେ ସଫଳ ହୋଇପାରିଥିଲେ।
ଗତ ୨୦୨୧ ଡିସେମ୍ବର ମାସରେ ଡାଇଲିସିସ ସମୟରେ ହୃଦଘାତ ହେବାରୁ ତାଙ୍କୁ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତ କିଛି ବର୍ଷ ହେବ ସେ କିଡ଼ନୀ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ।
ବର୍ଷିଆନ ଅଭିନେତା ମିହିର ଦାସଙ୍କ ପରଲୋକରେ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡିଶା ସିନେ ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ତିଆରି କରିଥିଲେ ଅଭିନେତା ମିହିର ଦାସ । ଦୀର୍ଘ ୪ ଦଶନ୍ଧି ଧରି ଓଡିଆ ସିନେ ଜଗତରେ ସକ୍ରିୟ ଥିଲେ । ଶିଶୁ କଳାକାରରୁ ଅଭିନୟ ଆରମ୍ଭ କରିଥିବା ମିହିର ଦାସ କାଳକ୍ରମେ ଓଡିଶାରେ ଘରେ ଘରେ ପରିଚିତ ହୋଇପାରିଥିଲେ ।
ପ୍ରସିଦ୍ଧ ଗାୟିକା ସଙ୍ଗୀତା ଦାସଙ୍କୁ ବିବାହ କରିଥିଲେ ସେ । ୨୦୧୦ ମସିହାରେ ପତ୍ନୀ ସଙ୍ଗୀତା ଦାସଙ୍କ ଦେହାନ୍ତ ହୋଇଥିଲା । ତାଙ୍କର ପୁତ୍ର ଅମ୍ଲାନ ଦାସ ମଧ୍ୟ ଓଲିଉଡର ଜଣେ ଆଗଧାଡିର ନାୟକ । ମିହିର ଦାସ ଙ୍କ ପରଲୋକରେ ସମଗ୍ର ରାଜ୍ୟରେ ଶୋକର ଛାୟା ଖେଳିଯାଇଛି । ରାଜ୍ୟପାଳ ପ୍ରଫେସର ଗଣେଷି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଭୀର ଶୋକ ପ୍ରକାଶ କରିଛନ୍ତି । ଆସନ୍ତା କାଲି ସକାଳେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ । ରାଜ୍ୟ ସରକାରଙ୍କ ପକ୍ଷରୁ ଗାର୍ଡ଼ ଅଫ ଅନର ଦିଆଯିବ । ଓଡ଼ିଶା ସମାଚାର