ପାଟକୁରା, ୧୦/୧/୨୦୨୨ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ୍ ଅନ୍ତର୍ଗତ ବନ୍ତଳାସ୍ଥିତ ହନୁମାନ ପଡ଼ିଆ ଠାରେ ଗରଦପୁର ବ୍ଲକ୍ ମିଶନ ଶକ୍ତି ପକ୍ଷରୁ ଏକ ସମୀକ୍ଷା ବୈଠକ ଓ ଋଣ ମେଳା ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ଅମିୟ କୁମାର ସ୍ୱାଇଁ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲା ଯୋଗଦେଇ ମହିଳା ମାନଙ୍କ ରାଜନୈତିକ. ସାମାଜିକ ଓ ଅର୍ଥନୈତିକ ବିକାଶ ଦିଗରେ ନବୀନ ପଟ୍ଟନାୟକ ଙ୍କ ସରକାର କାର୍ଯ୍ୟକାରୀ କରୁଥିବା ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଆଲୋକପାତ କରିଥିଲେ । ଏଥିରେ ସମ୍ମାନୀୟ ଅତିଥି ଭାବେ ବିଜୁ ଜନତା ଦଳର ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ସଂଜୟ ଅଗ୍ରୱାଲା ଯୋଗଦେଇ ମିଶନ ଶକ୍ତିର ମହିଳାମାନେ ସରକାରଙ୍କ ଦ୍ୱାରା ପ୍ରଦତ ଆର୍ଥିକ ଅନୁଦାନ ଓ ଆର୍ଥିକ ଋଣକୁ କ୍ଷୁଦ୍ର ଉଦ୍ୟୋଗ ଜରିଆରେ ସଠିକ ବିନିଯୋଗ କରି ଲାଭବାନ ହେବାକୁ ପରାମର୍ଶ ଦେଇଥିଲେ । ଏଥିରେ ପଳସୁଧା ସରପଂଚ ଅନୁଜ କୁମାର ମହାନ୍ତି ବକ୍ତବ୍ୟ ରଖିଥିବାବେଳେ ବ୍ଲକ୍ ବିଜେଡ଼ି ସଭାପତି ଶଶାଙ୍କ ପରିଡ଼ା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସାଂସଦ ପ୍ରତିନିଧି ଜୟପ୍ରକାଶ ବାରିକ ସହଯୋଗ କରିଥିଲେ । ୬ ଟି ପଂଚାୟତର ଶତାଧିକ ସ୍ୱୟଂ ସହାୟକ ଗୋଷ୍ଟିର ମହିଳାମାନେ ଯୋଗଦେଇଥିବାବେଳେ ୨୨ ଟି ଗୋଷ୍ଟିକୁ ୧୧ ଲକ୍ଷ ଟଙ୍କାର ଋଣ ଚେକ୍ ଆକାରରେ ବଂଟନ କରାଯାଇଥିଲା । ଓଡ଼ିଶା ସମାଚାର
