Wednesday , November 30 2022
Breaking News
Home / କୃଷି / ଗରଦପୁର କୃଷି ବିଭାଗରେ କର୍ମଚାରୀ ମରୁଡ଼ି 

ଗରଦପୁର କୃଷି ବିଭାଗରେ କର୍ମଚାରୀ ମରୁଡ଼ି 

ଗରଦପୁର, ୯/୧/୨୦୨୨ (ଓଡ଼ିଶା ସମାଚାର)- କୃଷି ଓ କୃଷକକୁ ସଶକ୍ତିକରଣ କରିବା ପାଇଁ ସରକାର ବିଭିନ୍ନ ଯୋଜନାମାନ ପ୍ରଣୟନ କରୁଛନ୍ତି । ଏପରିକି କୃଷି ବିଭାଗ ୫ଟି ଅଧିନରେ ଯାଉଛି । ହେଲେ ଗହଦପୁର ବ୍ଲକ୍ କୃଷି ବିଭାଗରେ କର୍ମଚାରୀ ଓ କୃଷି ଅଧିକାରୀଙ୍କ ସଙ୍କଟ ଯୋଗୁ ସରକାରଙ୍କ ବିଭାଗର ବିଭିନ୍ନ ଜନହିତକର ଯୋଜନା ସଫଳ କାର୍ଯ୍ୟକାରୀତାରେ ଆଶଙ୍କା ସୃଷ୍ଟି ହୋଇଛି । ଆଜିକୁ ୧୬ ଦିନହେବ  ଗରଦପୁର ବ୍ଲକ୍ କୃଷି ଅଧିକାରୀ ମଧୁସ୍ମିତା ଜେନା ମୟୁରଭଂଜକୁ ବଦଳି ହୋଇ  ଚାଲିଯିବା ପରେ ତାଙ୍କ ସ୍ଥାନରେ କାହାକୁ ନିଯୁକ୍ତି ମିଳିନାହିଁ । ସେହିପରି ଗରଦପୁର ବ୍ଲକ୍ ରେ  ୨ ଜଣ ସହକାରୀ କୃଷିଅଧିକାରୀ କାର୍ଯ୍ୟ କରୁଥିଲେ । ଗତ ୮ ମାସ ହେବ ସହକାରୀ କୃଷି ଅଧିକାରୀ ସୌମେନ୍ଦ୍ର ମହାନ୍ତି ମାର୍ଶାଘାଇକୁ ବଦଳି ହୋଇ ଯାଇଛନ୍ତି । ଏଥି ସହିତ ୪ ମାସ ହେବ ଅନ୍ୟତମ ସହକାରୀ କୃଷି ଅଧିକାରୀ ପ୍ରିୟବ୍ରତ ଜେନା ଅନ୍ୟତ୍ର ବଦଳି ହୋଇ ଯିବା ପରେ ୨ ଟି ଯାକ ସହକାରୀ କୃଷି ଅଧିକାରୀ ପଦବି ମଧ୍ୟ ଖାଲି ପଡ଼ିଛି । ବ୍ଲକ୍ ରେ ୧୮ ଗୋଟି ପଂଚାୟତ ରହିଥିବାବେଳେ ୯ ଜଣ ଭିଏଡ଼ବ୍ଲୁ ପରିବର୍ତେ ମାତ୍ର ୫ ଜଣ ଭିଏଡ଼ବ୍ଲୁ କାର୍ଯ୍ୟ କରୁଥିଲେ । ସେମାନଙ୍କ ମଧ୍ୟରୁ ଭିଏଡ଼ବ୍ଲୁ ବିକାଶ ଜେନାଙ୍କର ପ୍ରମୋଶନ ହେବାରୁ ସେ ବଦଳି ହୋଇ ଚାଲିଯାଇଛନ୍ତି । ଏବେ ମାତ୍ର ୪ ଜଣ ଭିଏଡ଼ବ୍ଲୁ ବ୍ଲକ୍ ର ୧୮ ଗୋଟି ପଂଚାୟତର ଦାୟିତ୍ୱ ବୁଝୁଛନ୍ତି । ୪ ଜଣ ଭିଏଡ଼ବ୍ଲୁ ଦାୟିତ୍ୱ ବୁଝିବାରେ ନାନାଦି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅପର ପକ୍ଷରେ ଜଣେ ମାତ୍ର କୃଷି ଓଭରସିଅର ଅମରେନ୍ଦ୍ର ସିଂ ସହକାରୀ କୃଷି ଅଧିକାରୀ ଭାବରେ ଦାୟିତ୍ୱ ନେଇଛନ୍ତି । ସେ ଜଣେ ହାର୍ଟ ଓ ଡ଼ାଇବେଟିସ ରୋଗୀ । ସ୍ୱାସ୍ଥ୍ୟଗତ କାରଣରୁ  ଫିଲ୍ଡ ୱାର୍କ କରିବା ତାଙ୍କୁ ମନା । କୃଷି ବିଭାଗରେ ଏବେ ଚାଲିଥିବା ଜଳ ନିଧି ଯୋଜନା ,ଏନଏଫଏସଏମ ମୁଗ ଯୋଜନା ଓ ଅଏଲ ସିଡ଼ ଚିନାବାଦମ ଯୋଜନା କାର୍ଯ୍ୟକାରୀ କରିବାରେ  ଘୋର ଅସୁବିଧା ସୃଷ୍ଟି ହେଉଛି  ବୋଲି ବ୍ଲକ୍ ଆତ୍ମା ଅଧ୍ୟକ୍ଷ ଦୀପକ ରାଉତ କ୍ଷୋଭ ପ୍ରକାଶ କରିଛନ୍ତି । ଏଥି ସହିତ ନିକଟସ୍ଥ ବ୍ଲକ୍ ରୁ ତୁରନ୍ତ କୌଣସି ଅଧିକାରୀଙ୍କୁ ଏଠାକୁ ପଠାଇ ସରକାର ଦାୟିତ୍ୱ ଦେବାକୁ ସେ ଦାବି କରିଛନ୍ତି । ଓଡ଼ିଶା ସମାଚାର

Leave a Reply

Your email address will not be published.