Saturday , August 13 2022
Breaking News
Home / ବିଶେଷ / ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ କେନ୍ଦ୍ରମନ୍ତ୍ରୀ

ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ କେନ୍ଦ୍ରମନ୍ତ୍ରୀ

ଦିବଙ୍ଗତ ବିଜେପି ନେତା କୁଳମଣି ଓ ଦିବ୍ୟସିଂହ ବାବୁଙ୍କ  ପରିବାରକୁ ନ୍ୟାୟ କେବେ ମିଳିବ?- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ୱର , ୬/୧/୨୦୨୨ (ଓଡ଼ିଶା ସମାଚାର)-ମାହାଙ୍ଗା ଡବଲ ମର୍ଡର ଘଟଣାର ବର୍ଷେ ବିତିଯାଇଥିଲେ ମଧ୍ୟ ବିଜେପି ନେତା ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପରିବାର ଓ ତାଙ୍କୁ ଭଲ ପାଉଥିବା ଲୋକମାନେ ଏବେ ବି ନ୍ୟାୟ ଅପେକ୍ଷାରେ ଅଛନ୍ତି । ଏହି ଘଟଣାରେ ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୁଦ୍ଧରେ କେବେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଓ ରାଜ୍ୟ ସରକାର କେବେ ମୃତକଙ୍କ ପରିବାରଙ୍କୁ ନ୍ୟାୟ ପ୍ରଦାନ କରିବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ ସ୍ୱର୍ଗତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଭିଡ଼ିଓ କନଫରେନ୍ସିଂ ଜରିଆରେ ଯୋଗଦେଇ ଶ୍ରୀ ପ୍ରଧାନ କହିଛନ୍ତି । ସେ କହିଛନ୍ତି ଯେ ମାହାଙ୍ଗାର ମାଟି ହେଉଛି କର୍ମବୀର ଗୌରୀଶଙ୍କର ରାୟ, ଗଣକବି ବୈଷ୍ଣବ ପାଣି ଓ ପଲ୍ଲିକବୀ ନନ୍ଦକିଶୋର ବଳଙ୍କ ପବିତ୍ର ମାଟି । ଗରିବ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ସ୍ୱର ଉତୋଳନ କରୁଥିବା ଏହି ଦିବଙ୍ଗତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବ ନାହିଁ । ନୃତାଙ୍ଗରେ ଅନାବରଣ ହୋଇଥିବା ସ୍ୱର୍ଗତ କୁଳମଣି ବରାଳଙ୍କ ପ୍ରତିମୂର୍ତି ରାଜ୍ୟବାସୀଙ୍କୁ ଓଡ଼ିଶାରେ ପରିବର୍ତନ ପାଇଁ ପ୍ରେରିତ କରିବ । ଗରିବଙ୍କୁ ନ୍ୟାୟ ଦେବା ପର୍ଯ୍ୟନ୍ତ ବିଜେପି ସଂଗ୍ରାମ ଜାରୀ ରଖିବ ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ରାଜ୍ୟ ସରକାର ମୋ ସରକାର ସ୍ୱଚ୍ଛ ସରକାର ଓ ପାରଦର୍ଶୀ ସରକାର କହି ସୁଆଙ୍ଗ ରଚୁଛନ୍ତି । ମାହାଙ୍ଗା ହତ୍ୟାକାଣ୍ଡର ବର୍ଷକ ପରେ ଆଜି କେଉଁ ଅବସ୍ଥାରେ ଏ ମାମଲା ଅଛି? ସ୍ଥାନୀୟ ବିଧାୟକ, ବେଆଇନ୍ ମନ୍ତ୍ରୀଙ୍କ ନାଁ ପୋଲିସ ମାମଲାରୁ କାଟି ଦେଲା । ଏମିତିକି ମନ୍ତ୍ରୀଙ୍କ ବ୍ୟବସାୟିକ ପେଣ୍ଠସ୍ଥଳରେ ମୁଖ୍ୟ ଅଭିଯୁକ୍ତଙ୍କ ମୃତ୍ୟୁ ହେଲା । ତଳ କୋର୍ଟର ନିଷ୍ପତିକୁ କାହିଁକି ରାଜ୍ୟ ସରକାରଙ୍କ ପୋଲିସ ମାନିଲେ ନାହିଁ । ଆଇନ ତା’ ବାଟରେ ଯିବ କହି ମାନ୍ୟବର କୋର୍ଟଙ୍କ ରାୟକୁ କାହିଁକି ଅବମାନନା କରୁଛନ୍ତି ସରକାର । ରାଜ୍ୟ ସରକାର ସରକାରୀ କଳର ଅପବ୍ୟବହାର କରି ଗରିବ ଲୋକଙ୍କୁ ହଇରାଣ କରୁଛନ୍ତି । ଅବ୍ୟବସ୍ଥା, ଅତ୍ୟାଚାର ଓ ଅନ୍ୟାୟକୁ ଗଣତନ୍ତ୍ରରେ ନାଗରିକମାନେ ସହ୍ୟ କରନ୍ତି ନାହିଁ । କେବଳ ଜୋର ଜବରଦସ୍ତ ଶାସନ ଚଳାଇବା ରାଜ୍ୟ ସରକାରଙ୍କ ନୀତି ହୋଇ ଯାଇଛି ।
ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ୧ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କାର ଦୁର୍ନୀତି ହୋଇଥିବା ମନ୍ତ୍ରଣାଳୟର ଅଧିକାରୀଙ୍କ ପକ୍ଷରୁ ହୋଇଥିବା ତଦନ୍ତରୁ ଜଣାପଡ଼ିଛି । ସଂସଦ ଚାଲିଥିବା ବେଳେ ରାଜ୍ୟ ସରକାର ବାରମ୍ବାର ଆବାସ ପ୍ଲସ ପୋର୍ଟାଲ ଖୋଲିବାର କଥା କହି ମିଛ ସୁଆଙ୍ଗ ରଚିଛନ୍ତି । ଫୋନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ସହୃଦୟତାର ସହ ଆବାସ ପ୍ଲସ ପୋର୍ଟାଲ ଖୋଲିଲେ । ମାତ୍ର ରାଜ୍ୟ ସରକାର ସେହି ତାଲିକାରେ ସେତେବେଳେ ପଶ୍ଚିମ ଓଡ଼ିଶାର ଭାଇ ଭଉଣୀଙ୍କର ନାଁ ସାମିଲ ନକରି ଏବେ ମିଛ ସୁଆଙ୍ଗ ରଚୁଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଜାନୁଆରୀ ୦୧,୨୦୨୧ ଇଂରଜୀ ନବବର୍ଷରେ ସ୍ୱର୍ଗତ କୁଳମଣି ବରାଳ ତାଙ୍କୁ ଭୁବନେଶ୍ୱରରେ ଭେଟିବା ସହ ମାହାଙ୍ଗା ଅଂଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହେଉଥିବା କେଳେଙ୍କାରୀ ବା ଦଳୀୟ ଆଧାରରେ ବଂଟନ ବିଷୟରେ ଅବଗତ କରିଥିଲେ । ଇଂରାଜୀ ନବବର୍ଷରେ ଆଶୀର୍ବାଦ ଦେବା ପାଇଁ ଆସିଥିଲେ । ମାତ୍ର ତା’ପରଦିନ ୨ ତାରିଖରେ ତାଙ୍କର ହତ୍ୟା ବିଶ୍ୱାସଯୋଗ୍ୟ ଥିଲା । ରାଜ୍ୟରେ କ୍ଷମତାରେ ଥିବା ଲୋକମାନେ ସ୍ୱର୍ଗତ ବରାଳ ଓ ତାଙ୍କ ସହଯୋଗୀଙ୍କୁ ପିଏମ ଆବାସ ଯୋଜନାରେ ସ୍ୱର ଉଠାଇବାରୁ ହତ୍ୟା କଲେ । ତାଙ୍କର ବଳିଦାନ ବ୍ୟର୍ଥ ଯିବ ନାହିଁ ବୋଲି ଶ୍ରୀ ପ୍ରଧାନ ଦୋହରାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ସୁବର୍ଣ୍ଣରେଖା ଓ ଦେଓ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ମୟୁରଭଞ୍ଜ / ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)- ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଦିନିକିଆ ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ସେଠାରେ …

Leave a Reply

Your email address will not be published.