ପାରାଦୀପ, ୬/୧/୨୦୨୨ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାର ଏରସମା ତହସିଲ ଅନ୍ତର୍ଗତ ଢ଼ିଙ୍କିଆ ନୂଆଗାଁ ଓ ଗଡ଼କୁଜଙ୍ଗ ପଞ୍ଚାୟତରେ ହେବାକୁ ଥିବା ଜେ ଏସ ଡ ବ୍ଲୁ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଜାରି ରହିଛି। ଗୋଟିଏ ପଟେ ଢ଼ିଙ୍କିଆ ପଞ୍ଚାୟତର ଗୋବିନ୍ଦପୁର, ପାଟଣା,ମାହାଳ ଓ ପରେ ଢ଼ିଙ୍କିଆ ଗାଁରେ ପାନବରଜ ମାପଚୁପ କରାଯିବା ସହିତ ଭଙ୍ଗା କାର୍ଯ୍ୟ ଜାରି ରହିଛି। ସେହି ସମୟରେ କେବଳ ଢ଼ିଙ୍କିଆ ଗାଁରେ କିଛି ଲୋକ ପ୍ରକଳ୍ପକୁ ବୀରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି। କିନ୍ତୁ ବିଶେଷ କରି ଢ଼ିଙ୍କିଆ ଗାଁର ଏକାଧିକ ପରିବାର ନିଜ ଇଛାରେ ପାନବରଜ ମାପଚୁପ କରି ଭାଙ୍ଗୁଛନ୍ତି। ଏପରିକି କିଛି ଜେ ଏସ ଡ ବ୍ଲୁ ବୀରୋଧି ଆନ୍ଦୋଳନର ଆଗଧାଡିର ଲୋକ ମଧ୍ୟ ବରଜ ଭାଙ୍ଗିବାକୁ ସହମତି ଦେଇଛନ୍ତି। ଯାହା ଫଳରେ କି ପ୍ରକଳ୍ପ ବୀରୋଧି ଆନ୍ଦୋଳନ ଯେଉଁ ମାତ୍ରାରେ ରହିଥିଲା ସେଥିରେ ଅନେକ ପରିବର୍ତନ ଦେଖିବାକୁ ମିଳିଛି।ଇଛା ଵୀରୋଧରେ କିଛି ଲୋକ ସଭା ତଥା ଶୋଭାଯାତ୍ରାରେ ଯୋଗ ଦେଉଥିବା ବେଳେ ଅନ୍ୟ ସମ୍ପର୍କୀୟମାନଙ୍କ ସହାୟତାରେ ବରଜ ମାପ କରିବାକୁ ସହମତି ଦେଉଛନ୍ତି। ଆଜି ସଂଯୁକ୍ତ କିଶାନ ମୋର୍ଚ୍ଚାର ରାଜ୍ୟର ଏକ ୧୫ ଜଣିଆ ପ୍ରତିନିଧି ଦଳ ଢ଼ିଙ୍କିଆ ଗାଁରେ ପହଞ୍ଚିଥିଲେ। ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ବରିଷ୍ଠ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରାୟ, ସୁରେଶ ପାଣିଗ୍ରାହୀ, ସୁଦର୍ଶନ ପ୍ରଧାନ,ଵସ୍ତି ସୁରକ୍ଷା ମଞ୍ଚ ନେତ୍ରୀ ପ୍ରମିଳା ବେହେରା, ଶଙ୍କର ସାହୁ ,ସିପିଆଇର ବରିଷ୍ଠ ନେତା ଶଶୀଭୂଷଣ ସ୍ବାଇଁ ପ୍ରମୁଖ ଢ଼ିଙ୍କିଆ ରେ ପହଞ୍ଚି ଥିଲେ।ବୀରୋଧି ମାନଙ୍କ ସହିତ ଆଲୋଚନାରେ ଯୋଗ ଦେବା ପରେ ସ୍ଥାନୀୟ ଆନ୍ଦୋଳନକାରୀ ମାନଙ୍କ ସହିତ ଜେ ଏସ ଡ ବ୍ଲୁ ପ୍ରକଳ୍ପ ର ଅସ୍ଥାୟୀ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଥିଲେ। ତେବେ ଆନ୍ଦୋଳନ କାରୀ କିଛି ଦୂରରେ ରହିଥିଲା ବେଳେ ଏକ ପ୍ରତନିଧି ଦଳ ସ୍ଥାନୀୟ ଏରସମା ତହସିଲଦାର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ସହିତ ଆଲୋଚନା କରିଥିଲେ। କୌଣସି ବଳ ପ୍ରୟୋଗ ନ କରି ଲୋକଙ୍କ ସହିତ ଆଲୋଚନା କରି ସେମାନଙ୍କ ସମସ୍ୟାର ସମାଧାନ କରି ପ୍ରକଳ୍ପ କରିବାକୁ ନିବେଦନ କରିଥିଲେ। ଅପରପକ୍ଷେ ସ୍ଥାନୀୟ ପ୍ରଶାସନ ପକ୍ଷରୁ କୌଣସି ପୋଲିସ ବଳ ପ୍ରୟୋଗ କରାଯାଇ ନ ଥିବା ବେଳେ ଏଭଳି କାର୍ଯ୍ୟ କରାଯିବ ନାହିଁ ବୋଲି ଏରସମା ତହସିଲଦାର ଚୈଧୁରୀ ପ୍ରଞ୍ଜାନନ୍ଦ ଦାସ ପ୍ରକାଶ କରିଥିଲେ। ଏଥି ସହିତ କୌଣସି ଗାଁ ଲୋକଙ୍କୁ ପୋଲିସ ବଳ ପ୍ରୟୋଗ କରିବା କିମ୍ବା ଅଟକାଇ ଘଟଣାକୁ ଅସ୍ବୀକାର କରିଥିଲେ। ଲୋକଙ୍କ ଯାହା ସମସ୍ୟା କିମ୍ବା ଦାବି ରହିଛି ସିଧାସଳଖ ତହସିଲଦାରଙ୍କ ନିକଟକୁ ଆସନ୍ତୁ ବୋଲି ତହସିଲଦାର ପ୍ରକାଶ କରିଥିଲେ।
ତେବେ ଆଜି ମଧ୍ୟ ଢ଼ିଙ୍କିଆ ପଞ୍ଚାୟତର ପାଟଣା ମାହାଳ ଓ ଢ଼ିଙ୍କିଆ, ଗୋବିନ୍ଦପୁର ଗାଁରେ ପାନବରଜ ମାପଚୁପ କରାଯିବା ସହିତ ଭଙ୍ଗା କାର୍ଯ୍ୟ ଜାରି ରହିଥିଲା। ତେବେ ଗତକାଲି ସୁଦ୍ଧା ଏହି ତିନି ଗାଁର ୧୬୭ ଜଣ ହିତାଧିକାରୀଙ୍କ ୧୯୨ ଟି ପାନବରଜ ମାପଚୁପ କରାଯାଇଛି। ଏଥି ମଧ୍ୟରୁ ୧୧୮ ଟି ପାନବରଜ ଭଙ୍ଗା ଯାଇଛି। ଏହି ହିତାଧିକାରୀ ମାନଙ୍କ ମଧ୍ୟରୁ ୫୩ ଜଣଙ୍କୁ ୧,୪୧,୯୨,୭୪୯ ଟଙ୍କା କ୍ଷତିପୂରଣ ବାବଦକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ତେବେ ଢ଼ିଙ୍କିଆ, ପାଟଣା, ମାହାଳ ଗାଁ ଲୋକଙ୍କ ପ୍ରକଳ୍ପ ପାଇଁ ସହମତି ଦେଖି ଅନ୍ୟ ଲୋକମାନେ ମଧ୍ୟ ବରଜ ଭାଙ୍ଗିବାକୁ ସହମତି ଦେଉଛନ୍ତି। ଓଡ଼ିଶା ସମାଚାର