Tuesday , December 6 2022
Home / ସ୍ୱାସ୍ଥ୍ୟ / ୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍ , ପୁରୀ ର ୧୧ ୱାର୍ଡ଼ ରେ ଥିବା ଏକ ହୋଟେଲ କୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା

୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍ , ପୁରୀ ର ୧୧ ୱାର୍ଡ଼ ରେ ଥିବା ଏକ ହୋଟେଲ କୁ ମାଇକ୍ରୋ କଂଟେନମେଂଟ ଜୋନ୍ ଘୋଷଣା

ଭୁବନେଶ୍ୱର , ୪/୧/୨୦୨୨ (ଓଡ଼ିଶା ସମାଚାର)- ଖୁବ କମ୍ଦିନ ମଧ୍ୟରେ ରାଜ୍ୟର ୧୧ଟି ଜିଲ୍ଲାକୁ ମାଡ଼ିଗଲାଣି ଓମିକ୍ରନ୍। ଖୋର୍ଦ୍ଧା ଜିଲାରେ ସର୍ବାଧିକ ୧୧ ଜଣ ଚିହ୍ନଟ ହୋଇଥିବାବେଳେ କେନ୍ଦୁଝର ଜିଲାରେ ୭ ଜଣ, ଜଗତସିଂହପୁର ଜିଲାର ୫ ଜଣ,ପୁରୀ ଓ ସମ୍ବଲପୁର ଜିଲା ୩ ଜଣ ଲେଖା, ବୌଦ୍ଧ ଓ ଅନୁଗୁଳ ଜିଲାର ୨ଜଣ ଲେଖା , ବାଲେଶ୍ୱର, କଟକ,ଭଦ୍ରକ ଓ ଗଂଜାମ ଜିଲାର ଜଣେ ଲେଖା ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଏବେ ସୁଦ୍ଧା ୩୭ଜଣ ସଂକ୍ରମିତ ଚିହ୍ନଟ ହୋଇ ସାରିଲେଣି।  ଆଉ କିଛି ପଜିଟିଭ୍ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଥିବାରୁ ସଂକ୍ରମିତଙ୍କ ସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ଏହି କ୍ରମରେ ପୁରୀ ସହରକୁ ମାଇକ୍ରୋ କଂଟେନମେଂଟ ଜେନ୍ ଫେରିଛି । ରବିବାର ଦିନ ପୁରୀ ସ୍ୱର୍ଗଦ୍ୱାର ଅଂଚଳ ୧୧ ନମ୍ବର ୱାର୍ଡ଼ରେ ଥିବା ହୋଟେଲ ସୋନା ଇଂଟରନ୍ୟାସନାଲ ରେ ୩ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାପାଳଙ୍କ ନିର୍ଦ୍ଧେଶରେ ରବିବାର ଠାରୁ ଅନ୍ୟାଦେଶ ପର୍ଯ୍ୟନ୍ତ ସେହି ହୋଟେଲ ଓ ତାର ଆଖପାଖ ଅଂଚଳକୁ ପେଯରପରିଷଦ ପକ୍ଷରୁ ମାଇକ୍ରୋ କଂଟେନମେଂଟ ଘୋଷଣା କରାଯାଇଛି । ଫଳରେ କେହି ବାହାରକୁ ଯାଇପାରିବେ ନାହିଁ କିମ୍ବା ବାରର କେହି ସେହି ଅଂଚଳ ଓ ହୋଟେଲକୁ ଯାଇ ପାରିବେ ନାହିଁ । ପୌର ପରିଷଦ ପକ୍ଷରୁ ଅତ୍ୟାବଶ୍ୟକୀୟସାମଗ୍ରୀ ଯୋଗାଇ ଦିଆଯିବ । ତେବେ ଚିନ୍ତାର ବିଷୟ ହେଉଛି ଯେ କରୋନାର ଏହି ନୂଆ ପ୍ରଜାତି କେବଳ ବିଦେଶ ଫେରନ୍ତାଙ୍କ ମଧ୍ୟରେ ସୀମିତ ରହିନାହିଁ। ଚିହ୍ନଟ ଓମିକ୍ରନ୍ ଆକ୍ରାନ୍ତଙ୍କ ମଧ୍ୟରୁ ଅନେକ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ଯାହାଫଳରେ ଏହା ରାଜ୍ୟରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ବଢ଼ାଇ ଦେଇଛି। ସମ୍ପୃକ୍ତ ହୋଟେଲ ର ୨ ଜଣ କର୍ମଚାରୀ ଓମିକ୍ରନ୍ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଜଣେ ପର୍ଯ୍ୟଟକ ଚିହ୍ନଟ ହୋଇଛନ୍ତି । ସେହିପରି ପୁରୀ ରେ ୧୨ ଜଣ କରୋନା ସଂକ୍ରମିତ ଚିହ୍ନଟ କରାଯାଇଥିବାବେଳେ ତନ୍ମଧ୍ୟରେ ପର୍ଯ୍ୟଟକ ମଧ୍ୟ ରହିଛନ୍ତି । ଗତ ଡିସେମ୍ବର ୨୧ତାରିଖରେ ରାଜ୍ୟରେ ପ୍ରଥମଥର ଲାଗି ୨ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଧୀରେ ଧୀରେ ଏହି ସଂଖ୍ୟା ବଢ଼ିଥିଲା। ହେଲେ ଓମିକ୍ରନ୍ ଲମ୍ବଡ଼ିଆଁ ମାରି ଗୋଟିଏ ଦିନରେ ସର୍ବାଧିକ ୨୩ଜଣଙ୍କୁ ଚିହ୍ନଟ କରାଯାଇଥିଲା। ଏଥିରେ ୧୨ଜଣ କେବଳ ସ୍ଥାନୀୟ ଆକ୍ରାନ୍ତ ରହିଥିଲେ। ଆରମ୍ଭରୁ କେବଳ ବିଦେଶ ଫେରନ୍ତାଙ୍କୁ ଚିହ୍ନଟ କରି ସେମାନଙ୍କ ପଜିଟିଭ୍ ନମୁନାକୁ ଜିନ୍ ଅନୁଶୀଳନ କରାଯାଉଥିଲା। ପରବର୍ତୀ ସମୟରେ ସ୍ବାସ୍ଥ୍ୟ ବିଭାଗ ଆରଟି-ପିସିଆରରେ ପଜିଟିଭ୍ ଚିହ୍ନଟ ହେଉଥିବା ସମସ୍ତ ଆକ୍ରାନ୍ତଙ୍କର ମଧ୍ୟ ଜିନ୍ ଅନୁଶୀଳନ କରିବା ଲାଗି ନିର୍ଦେଶ ଦେଇଥିଲା। ଯାହାଫଳରେ ଅନେକ ସ୍ଥାନୀୟ ଲୋକ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କରୋନାର ଅନ୍ୟ ପ୍ରଜାତି ତୁଳନାରେ ଓମିକ୍ରନ୍ ଦ୍ରୁତ ଗତିରେ ବ୍ୟାପୁଥିବାରୁ ସରକାରଙ୍କ ପାଇଁ ଏହା ବଡ଼ ଆହ୍ବାନ ସୃଷ୍ଟି କରିଛି। ଅପରପକ୍ଷରେ ଆଇଏଲଏସ୍କୁ କିଛି ପଜିଟିଭ୍ ନମୁନା ଜିନ୍ ଅନୁଶୀଳନ ପାଇଁ ପଠାଯାଇଥିବା ସୂଚନା ମିଳିଛି। ରାଜ୍ୟ ସ୍ବାସ୍ଥ୍ୟ ନିର୍ଦେଶକ ଡା.ବିଜୟ ମହାପାତ୍ର କହିଛନ୍ତି ଯେ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ପରୀକ୍ଷା କରାଯାଉଛି। ପଜିଟିଭ୍ ଚିହ୍ନଟ ହେଲେ ଜିନୋମ୍ ସିକ୍ବେନ୍ସିଂ କରାଯାଉଛି। ଲୋକମାନଙ୍କୁ କୋଭିଡ ନିୟମ ମାନିବାକୁ ପଡ଼ିବ। ସରକାର ସବୁ ପ୍ରକାର ଇନପୁଟ ନେଉଛନ୍ତି। ଗାଇଡଲାଇନ୍ ଅନୁଯାୟୀ ଜିଲ୍ଲାପାଳମାନେ କଟକଣା ଜାରି କରିବେ ବୋଲି ଡା.ମହାପାତ୍ର କହିଛନ୍ତି। ଓଡ଼ିଶା ସମାଚାର

Leave a Reply

Your email address will not be published.