ଖୋର୍ଦ୍ଧା ,୪/୧/୨୦୨୨ (ଓଡ଼ିଶା ସମାଚାର)- ରାଜ୍ୟରେ ଧିରେ ଧିରେ ପୁଣି ଥରେ ନିଜର କାୟା ବିସ୍ତାର କରୁଛି କରୋନା। ଏହାକୁ ନେଇ ରାଜ୍ୟ ସରକାରଙ୍କ ଚିନ୍ତା ବଢିଯାଇଛି। ଆଜି ସନ୍ଧ୍ୟା ରେ ମୁଖ୍ୟମନ୍ତ୍ରୀ ରାଜ୍ୟର କୋଭିଡ଼ ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି । ଆଜି ବାଣୀବିହାର ଛକସ୍ଥିତ ଡିସିପି କାର୍ୟ୍ୟାଳୟରେ ଏକାଧିକ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଡ଼ିସିପି ଅଫିସକୁ ୨ ଦିନ ପାଇଁ ସିଲ କରାଯାଇଛି । ଡ଼ିସିପି କାର୍ଯ୍ୟାଳୟକୁ ଆସିବା ଉପରେ କଟକଣା ଲଗାଯାଇଛି । ଏବେ ନାଇଜର (ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସ ଏଜୁକେସନ ଆଣ୍ଡ ରିସର୍ଚ୍ଚ) ରେ ଏକାବେଳକେ ୩୧ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ଖବର ମିଳିଛି। ୩୦ ଜଣ ଛାତ୍ରଛାତ୍ରୀ ଥିବା ବେଳେ ଜଣେ କର୍ମଚାରୀ କରୋନା ସଂକ୍ରମିତ ହୋଇଛନ୍ତି । ସମସ୍ତଙ୍କୁ ଏବେ ଆଇସୋଲେସନ୍ରେ ରଖାଯାଇଛି । ନିୟମିତ ଭାବେ ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ତୀକ୍ଷ୍ନ ନଜର ରଖଯାଇଛି । ଆବଶ୍ୟକ ହେଲେ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯିବ । ଉକ୍ତ ଅଞ୍ଚଳକୁ ଆବଦ୍ଧାଞ୍ଚଳ ଘୋଷଣା କରାଯିବା ସହ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରେ ସଙ୍ଗରୋଧରେ ରଖାଯାଇଛି। ଏନେଇ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଧୀକାରୀ ସୂଚନା ଦେଇଛନ୍ତି।କ୍ୟାମ୍ପସକୁ ସାନିଟାଇଜ୍ କରିବା ସହ ଜଟଣୀ ମ୍ୟୁନିସିପାଲିଟି କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛି । ଏହି ସମୟରେ ବାହାରର କୌଣସି ବ୍ୟକ୍ତି କ୍ୟାମ୍ପସ ଭିତରକୁ ପ୍ରବେଶ କରିପାରିବ ନାହିଁ କି କ୍ୟାମ୍ପସ ଭିତରୁ କେହି ବାହାରକୁ ଆସିପାରିବ ନାହିଁ । ଜଟଣୀ ମ୍ୟୁନିସିପାଲିଟି ପକ୍ଷରୁ ସମସ୍ତ ସବୁଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ନିର୍ଦ୍ଦେଶ ରହିଛି । ଓଡ଼ିଶା ସମାଚାର
