ବରଗଡ଼, ୩/୧/୨୦୨୨ (ଓଡ଼ିଶା ସମାଚାର)- ବରଗଡ଼ ଟାଉନ୍ ଥାନା ଅନ୍ତର୍ଗତ ସିମେଣ୍ଟନଗର କଲୋନିରୁ ରବିବାର ସଂଧ୍ୟାରେ ଅପହରଣ କରାଯାଇଥିବା ଜଣେ ୯ ବର୍ଷର ଶିଶୁ କୁ ୪ ଘଂଟା ପରେ ଘରକୁ ଫେରିଛି। ମିଳିଥିବା ସୂଚନା ଅନୁସାରେ ବରଗଡ଼ ଏସିସି ସିମେଂଟ କାରଖାନାର ସିଏସଆର ମୁଖ୍ୟ ଜମିଲ ଅକ୍ତର ଖାନଙ୍କ ପୁଅ ମହମ୍ମଦ ମୋଜମକୁ ସୋମବାର ସନ୍ଧ୍ୟା ୬.୩୦ ସମୟରେ ଖେଳୁଥିବା ବେଳେ ଦୁଇଜଣ ଯୁବକ ଏକ କଳା ରଙ୍ଗର ମୋଟର ସାଇକେଲରେ ତାଙ୍କୁ ବଳପୂର୍ବକ ଉଠାଇ ନେଇଥିବା ଅଭିଯୋଗ ହୋଇଥିଲା । ଅପହର୍ତ୍ତା ମାନେ ଘର ନିକଟରେ ଥିବା କାର ଗ୍ୟାରେଜ ସମ୍ମୁଖରେ ଇଂରାଜୀରେ ଲେଖାଥିବା ହାତଲେଖା ଚିଠି ଛାଡି ଯାଇଥିଲେ । ଚିଠିରେ ୧୦ ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀମାନେ ।ଏହି ଘଟଣାକୁ ନେଇ ପରିବାର ପକ୍ଷରୁ ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରଜୁ କରି ତଦନ୍ତ ଆରମ୍ଭ କରିଥିଲା । ବରଗଡ଼ ଏସ୍ ପି ରାହୁଲ ଜୈନ ଅଭିଯୋଗକାରୀ ଜମିଲ ଆକ୍ତରଙ୍କ ଘରକୁ ଯାଇ ପଚରାଉଚରା ଜାରି ରଖିବା ସହ ତାଙ୍କ ନିର୍ଦେଶ କ୍ରମେ ପୋଲିସ ପକ୍ଷରୁ ବିଭିନ୍ନ ବର୍ଡର ସିଲ କରିବା ସହ ସମସ୍ତ ଛକମାନଙ୍କରେ ନାକା ବନ୍ଦୀ କରିଥିଲେ । ବିଧାୟକ ଦେବେଶ ଆଚାର୍ୟ୍ୟ ପହଞ୍ଚି ପରିବାର ସହିତ ଆଲୋଚନା କରିଥିଲେ।ତେବେ ପୋଲିସର ତନାଘନା ପରେ ସାଢ଼େ ଚାରି ଘଣ୍ଟା ପରେ ଅପହରଣ ହୋଇଥିବା ଶିଶୁକୁ ସ୍ଥାନୀୟ ଲୋକେ ଉଦ୍ଧାର କରିଛନ୍ତି। ଅଭିଯୁକ୍ତ ମାନେ ସିମେଣ୍ଟ ନଗର ସ୍କୁଲ ପାଖରେ ଶିଶୁଟିକୁ ଛାଡ଼ି ଫେରାର ହୋଇଯାଇଥିଲେ । ସିମେଣ୍ଟ ନଗର ସ୍ଥିତ ହାଇସ୍କୁଲ ନିକଟରେ ଶିଶୁଟି ଅନ୍ଧାରରେ ଚାଲି ଚାଲି ଆସୁଥିବା ଦେଖି ସ୍ଥାନୀୟ ଲୋକେ ଉଦ୍ଧାର କରି ଘରକୁ ଆଣି ଛାଡିଥିଲେ । ତେବେ ପରିବାର ଲୋକେ ପୁଅକୁ ପାଇ ବେଶ ଖୁସି ଅନୁଭବ କରୁଥିବା ବେଳେ ଗଣମାଧ୍ୟମ ,ପୋଲିସ ଓ ସ୍ଥାନୀୟ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।ପହରଣ ଘଟଣାର ତଦନ୍ତ କରି ଅପହରଣକାରୀ କେଉଁ ମାନେ, କାହିଁକି ଅପହରଣ କରିଥିଲେ ୯ ବର୍ଷର ଶିଶୁଟିକୁ,ଖାଲି ଟଙ୍କା ପାଇଁ ଅପହରଣ କରାଯାଇଥିଲେ ନା ଅପହରଣ ପଛରେ ଅନ୍ୟ କାରଣ ରହିଛି ସେସବୁ ତଥ୍ୟକୁ ଖୋଜି ବାହାର କରିବା ଏବେ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇପଡିଛି । ବରଗଡ଼ ଏସପି ରାହୁଲ ଜୈନ ଘଟଣାକୁ ଗୁରୁତର ସହ ନେଇଛନ୍ତି । ଓଡ଼ିଶା ସମାଚାର