Tuesday , August 9 2022
Breaking News
Home / ବିଶେଷ / ଶିରିଡ଼ି ସାଇ ବୁଲିବାକୁ ଯାଇ ନିଖୋଜଥିବା ବ୍ୟକ୍ତିଙ୍କ ଶବ ମିଳିଲା

ଶିରିଡ଼ି ସାଇ ବୁଲିବାକୁ ଯାଇ ନିଖୋଜଥିବା ବ୍ୟକ୍ତିଙ୍କ ଶବ ମିଳିଲା

ସନ୍ଦେହ ଘେରରେ ବୁଲାଇବାକୁ ନେଇଥିବା ସଂସ୍ଥା
କେନ୍ଦ୍ରାପଡ଼ା, ୨/୧/୨୦୨୨ (ଓଡ଼ିଶା ସମାଚାର)- ଶିରିଡି ସାଇ ବୁଲିବାକୁ ଯାଇଥିବା କେନ୍ଦ୍ରାପଡ଼ା ଟାଉନ୍ ଥାନା ଅନ୍ତର୍ଗତ ଚାଟରାପାଟଣା ଗ୍ରାମର ମଧୁସୂଦନ ରାଉତ(୬୦)ଙ୍କ ଶବ ଆଜି ମିଳିଥିବା ସୂଚନା ମିଳିଛି । ମଧୁସୂଦନ ଯେଉଁ ହୋଟେଲ ନିକଟରେ ରହୁଥିଲେ ସେଠାରୁ କିଛି ବାଟ ଦୂରରେ ଥିବା ଏକ ବଣରୁ ତାଙ୍କ ମୃତଦେହ ମିଳିଛି । ମହାରାଷ୍ଟ୍ର ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ଡାକ୍ତରଖାନାକୁ ପଠାଇଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ ପରିବାର ଲୋକଙ୍କୁ କହିଛି । ଖବର ପାଇ ପରିବାର ଲୋକେ ଶିରିଡି ଯାଇଛନ୍ତି । ଗତ ବର୍ଷ ଡିସେମ୍ବର ୨୧ ତାରିଖରେ କେନ୍ଦ୍ରାପଡ଼ାର ଏକ ବ୍ୟବସାୟିକ ସଂସ୍ଥା ୪୦ ଜଣ ବରିଷ୍ଠ ନାଗରିକଙ୍କୁ ଶିରିଡି ବୁଲାଇବାକୁ ନେଇଥିଲା । ୨୨ ତାରିଖ ସନ୍ଧ୍ୟାରେ ସେ ପରିବାର ସହ କଥା ହୋଇଥିଲେ । ହେଲେ ୨୩ ତାରିଖରେ ତାଙ୍କ ପତା ମିଳି ନ ଥିଲା । ହେଲେ ତାଙ୍କ ପତା କିପରି ମିଳିବ ସେ ନେଇ ଏହି ବ୍ୟବସାୟିକ ସଂସ୍ଥାର ଯାଇଥିବା ୩ଜଣ ବ୍ୟକ୍ତି କୌଣସି ଉଦ୍ୟମ କରି ନ ଥିଲେ । ଫଳରେ ମଧୁସୂଦନଙ୍କ ଝିଅ ଓ ଜ୍ୱାଇଁ ଶିରିଡ଼ିରେ ପହଂଚିଥିଲେ । ବ୍ୟବସାୟିକ ସଂସ୍ଥାର ଲୋକମାନଙ୍କ ବ୍ୟବହାର ସନ୍ଦେହ ସୃଷ୍ଟି ହୋଇଥିଲା । ସେମାନଙ୍କୁ ରହିବା ପାଇଁ ଝିଅ ଓ ଜ୍ୱାଇଁ ନିବେଦନ କରିଥିଲେ । ହେଲେ ଏହି ତିନି ଜଣ କହିଥିଲେ ଆମେ ଅନ୍ୟ ଲୋକମାନଙ୍କୁ ଷ୍ଟେସନରେ ଛାଡିକି ଆସୁଛୁ ମିଶିକି ପୋଲିସ ସହାୟତରେ ମଧୁସୂଦନଙ୍କୁ ଖୋଜିବା । କିନ୍ତୁ ଏହି ତିନିଜଣ ଶିରିଡିରୁ ପଳାଇ ଆସିଥିଲେ । ମଧୁସୂଦନଙ୍କ ଝିଅ ଓ ଜ୍ୱାଇଁଙ୍କ ସହ ଯୋଗାଯୋଗ କଲେନାହିଁ କି ସେମାନଙ୍କ ଫୋନ ଉଠାଇଲେ ନାହିଁ । ଏଠାକୁ ଆସି ମଧୁସୂଦନଙ୍କ ପରିବାର ଲୋକଙ୍କୁ ମଧ୍ୟ ସମବେଦନା ଜଣାଇଲେ ନାହିଁ । ତେଣୁ ଏହି ବ୍ୟବସାୟିକ ସଂସ୍ଥା ଉପରେ ଏବେ ସନ୍ଦେହ ସୃଷ୍ଟି ହୋଇଛି । ଏ ନେଇ ପରିବାର ପକ୍ଷରୁ ଟାଉନ୍ ଥାନାରେ ଏତଲା ଦେଇଥିଲେ । ଟାଉନ୍ ଥାନା ପୋଲିସ ସେଠାକାର ପୋଲିସ ସହ ଯୋଗାଯୋଗ କରିଥିଲା । ଓଡିଶା ଖଦୀ ବୋର୍ଡର ପୂର୍ବତନ ଅଧ୍ୟକ୍ଷ ତେଜେଶ୍ୱର ପରିଡ଼ା ମଧୁସୂଦନଙ୍କ ସଂକ୍ରାନ୍ତରେ ତଥ୍ୟ ଦେବାପାଇଁ ମହାରାଷ୍ଟ୍ର ପୋଲିସ ମହାନିର୍ଦେଶକ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ । ସେବେଠାରୁ ମଧୁସୂଦନଙ୍କ ପତା ମିଳି ନ ଥିଲା । ମଧୁସୂଦନଙ୍କ ଝିଅ ଜ୍ୱାଇଁ ସେଠାରେ ରହି ଖୋଜାଖୋଜି କରୁଥିଲେ । ରବିବାର ଏକ ବଣରୁ ତାଙ୍କ ମୃତଦେହ ମିଳିଥିବା ଜଣାପଡିଛି । ଓଡ଼ିଶା ସମାଚାର

About admin

Check Also

ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅବ୍ୟବସ୍ଥା ମଧ୍ୟରେ କିଶନନଗର ତହସିଲରେ ଜନଶୁଣାଣୀ

କଟକ ସଦର, ୦୮/୦୮/୨୦୨୨(ଓଡ଼ିଶା ସମାଚାର /ଵିଷ୍ଣୁ ବେହେରା): କିଶନନଗର ତହସିଲରେ ଆଜି (ସୋମବାର ) ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ ଥିବା …

Leave a Reply

Your email address will not be published.