ଭଦ୍ରକ/ ଭୁବନେଶ୍ୱର , ୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ଭଦ୍ରକ ଜିଲ୍ଲାରୁ ପ୍ରଥମ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛି । ସାଉଦୀ ଆରବରୁ ଭଦ୍ରକର ପୁରୁଣାବଜାର ସ୍ଥିତ ୧୮ ନମ୍ବର ୱାର୍ଡର ମୁଲଣାସାହି ଅଞ୍ଚଳକୁ ଫେରିଥିବା ଜଣେ ଯୁବକ ଓମିକ୍ରନ୍ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ସନ୍ତୋଷ କୁମାର ପାତ୍ର ଙ୍କ ଠାରୁ ସୂଚନା ମିଳିଛି। ସାଉଦୀ ଆରବରୁ ଭଦ୍ରକର ନିଜ ଘରକୁ ଫେରିଥିବା ଏଇ ଯୁବକଙ୍କର ପ୍ରଥମେ ଭଦ୍ରକ ମେଡିକାଲରେ କୋଭିଡ୍ ଟେଷ୍ଟ କରାଯାଇଥିଲା। ତାଙ୍କର କୋଭିଡ ପଜିଟିଭ୍ ବାହାରିବା ପରେ ତାଙ୍କୁ ଗତ ୨୦ ତାରିଖଠାରୁ ଭଦ୍ରକ ମେଡିକାଲର କୋଭିଡ୍ ୱାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ସେ ଓମିକ୍ରନ୍ ଆକ୍ରାନ୍ତ ହୋଇଥାଇ ପାରନ୍ତି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସନ୍ଦେହ କରାଯାଇ ତାଙ୍କର ନମୁନା ପରୀକ୍ଷା ପାଇଁ ଭୁବନେଶ୍ବରର ( ଆଇଏଲଏ) ଇନଷ୍ଟିଚ୍ୟୁଟ୍ ଅଫ୍ ଲାଇଭ୍ ସାଇନସ୍ କୁ ପଠାଯାଇଥିଲା। ନମୁନା ପରୀକ୍ଷା ରିପୋର୍ଟ ଓମିକ୍ରନ ପଜିଟିଭ୍ ଆସିବା ପରେ ମୁଲଣାସାହିର ଏଇ ଅଞ୍ଚଳରେ ଏବେ ଲୋକେ ଭୟଭିତ ହୋଇପଡ଼ିଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଏପର୍ୟ୍ୟନ୍ତ ୧୫ ଜଣ ଓମିକ୍ରନ୍ ଚିହ୍ନଟ ହୋଇଛନ୍ତି।
ଗତ ୨୦ ତାରିଖଠାରୁ ଭଦ୍ରକ ପୌରପାଳିକା ପକ୍ଷରୁ ପୁରୁଣାବଜାରର ଏହି ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ସେହି ପରିବାରର ଘରକୁ ମଧ୍ୟ ଅବରୋଧ ଅଞ୍ଚଳ ଭାବେ ରଖାଯାଇଥିବା ବେଳେ ସ୍ଥାନୀୟ ଅଞ୍ଚଳକୁ ସାନିଟାଇଜ୍ କରାଯାଇଥିଲା। ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ତାଙ୍କ ପରିବାରର ଅନ୍ୟ ସଦସ୍ୟଙ୍କର ମଧ୍ୟ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଓମିକ୍ରନ୍ ଆକ୍ରାନ୍ତ ଯୁବକ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଭଲ ଥିବା ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ପ୍ରାତ୍ର କହିଥିବା ବେଳେ ଓମିକ୍ରନ୍ କୁ ନେଇ ଲୋକମାନେ ବେଶୀ ଆତଙ୍କିତ ନହେବା ପାଇଁ କହିଛନ୍ତି। ଓଡ଼ିଶା ସମାଚାର