ଭୁବନେଶ୍ୱର , ୩୧/୧୨/୨୦୨୧ (ଓଡ଼ିଶା ସମାଚାର)- ଶିକ୍ଷକ ଓ ଅଧ୍ୟାପକଙ୍କ ପାଇଁ ଲାଗୁ ହେଲା ସପ୍ତମ ବେତନ କମିଶନ । ୨୦୧୮ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ । ଆସନ୍ତା ଜାନୁଆରୀ ୧ରୁ ସପ୍ତମ ବେତନ କମିଶନ ଅନୁଯାୟୀ ଦରମା ମିଳିବ । ଏହାଦ୍ବାରା ରାଜ୍ୟର ୨୬ ହଜାର ଶିକ୍ଷକ ଉପକୃତ ହେବେ । ଅପର ପ୍ରାଇମେରୀ ସ୍କୁଲ, ନୂଆ ଗ୍ରାଣ୍ଟ ଇନ୍ ଏଡ୍ ପାଇଥିବା ସ୍କୁଲ, ନୂଆ ସରକାରୀପ୍ରାପ୍ତ ହାଇସ୍କୁଲ, ମଦ୍ରାସା ସ୍କୁଲ ପାଇଁ ମଧ୍ୟ ଏହା ଲାଗୁ ହେବ । ଏହାଦ୍ବାରା ଶିକ୍ଷକ ଏବଂ ଅଣଶିକ୍ଷକ ସୁବିଧା ପାଇବେ ।
ସେହିପରି ବେସରକାରୀ କଲେଜ ଅଧ୍ୟାପକମାନେ ମଧ୍ୟ ସୁବିଧା ପାଇବେ । ଏଥିପାଇଁ ବାର୍ଷିକ ୧୨୬ କୋଟି ରାଜ୍ୟ ସରକାର ବହନ କରିବେ । ସ୍କୁଲ ଓ କଲେଜ ଗ୍ରାଣ୍ଟ ଇନ୍ ଏଡ୍ ବାବଦକୁ ବାର୍ଷିକ ୧୬୬ କୋଟି ଟଙ୍କା ଖର୍ଚ୍ଚ ହେବ । ଖୁବଶୀଘ୍ର ଖାଲିଥିବା ପଦବୀ ପୁରଣ ହେବ । ମୋଟ୍ ୧୫ ହଜାର ୬ ଶହ ୬୪ ଜଣ ଅଧ୍ୟାପକ ଓ କର୍ମଚାରୀ ସୁବିଧା ପାଇବେ ।
ଆଜି ରାଜ୍ୟ କ୍ୟାବିନେଟ ବୈଠକରେ ନଅ ଗୋଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ଲାଗିଛି। ୫ ମହାନଗର ନିଗମ ପାଇଁ ଜାଗା ମିଶନକୁ କ୍ୟାବିନେଟ ରେ ମଞ୍ଜୁରୀ ଦିଆଯିବା ସହ ଶିକ୍ଷକଙ୍କ ପାଇଁ ସପ୍ତମ ବେତନ କମିଶନ ଲାଗୁ ପାଇଁ ନିଷ୍ପତ୍ତି ନିଆଯାଇଛି।
୫ ମହାନଗରର ବସ୍ତି ବାସିନ୍ଦାଙ୍କୁ ଜାଗା ଯୋଗାଇବେ ସରକାର। ୯୩୮ଟି ବସ୍ତିର ୧ ଲକ୍ଷ ୯୦ ହଜାର ପରିବାର ଉପକୃତ ହେବେ। ବସ୍ତିର ୮ ଲକ୍ଷ ୫୮ ହଜାର ଲୋକେ ଉପକୃତ ହେବେ। ନିଷ୍ପତ୍ତି ନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।
ଓଡିଶା ବସ୍ତିବାସିନ୍ଦାଙ୍କ ପାଇଁ ଭୂମିଅଧିକାର ଅଧିନିୟମ, ୨୦୧୭ ” ମାଧ୍ୟମରେ ଯୋଗ୍ୟ ବିବେଚିତ ହୋଇଥିବା ବସ୍ତିବାସିନ୍ଦା ମାନଙ୍କୁ ଭୂମି ଭୋଗ ଦଖଲର ସୁରକ୍ଷା ପ୍ରଦାନ କରିବା ତଥା ବସ୍ତିବାସିନ୍ଦାଙ୍କୁ ବାସୋପଯୋଗୀ ବସତିରେ ପରିଣତ କରିବାର ଦ୍ଵୈତ ଉଦ୍ଦେଶ୍ୟ ନେଇ ପ୍ରଣୟନ କରଯାଇଥିଲା । ରାଜ୍ୟର ସମସ୍ତ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡିକ ଏହି ଆଇନ୍ ର ପରିସରଭୁକ୍ତ ହୋଇଥିଲେ । ନଗର ନିଗମ ମାନଙ୍କରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ପାଇଁ ମଧ୍ୟ ୨୦୧୭ ମସିହାରେ “ ଓଡିଶା ମହାନଗର ନିଗମ ଅଧିନିୟମ -୨୦୦୩ ”ରେ ଆବଶ୍ୟକୀୟ ସଂଶୋଧନ କରି ସମ୍ପତ୍ତିଗତ ଅଧିକାର ସୁରକ୍ଷିତ କରିବାପାଇଁ ଅନୁରୂପ ବ୍ୟବସ୍ଥା ପ୍ରଣୟନ କରଯାଇଥିଲା । କିନ୍ତୁ ଉପରୋକ୍ତ ସଂଶୋଧନ ପରେ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ବସ୍ତିବାସିନ୍ଦା ମାନଙ୍କୁ ସମ୍ପତ୍ତିଗତ ଅଧିକାର ପ୍ରଦାନ କରିବାରେ ବିଭିନ୍ନ କାରଣରୁ ବିଶେଷ ଅଗ୍ରଗତି ହୋଇପାରି ନାହିଁ । ଏଥିଯୋଗୁଁ ନଗରନିଗମ ଗୁଡିକରେ ବାସକରୁଥିବା ୨ ଲକ୍ଷରୁ ଉର୍ଦ୍ଧ୍ଵବସ୍ତିବାସିନ୍ଦା ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି ।
ସମ୍ପତ୍ତିଗତ ଅଧିକାର ଆଇନକୁ କାର୍ଯ୍ୟକାରୀ କରିବା ପାଇଁ ଉପୁଜିଥିବା ସମସ୍ୟା ଗୁଡିକୁ ଉପଲବ୍ଧିକରି ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦା ମାନଙ୍କ ପାଇଁ ମଧ୍ୟ ପୌରପାଳିକା ତଥା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବସବାସ କରୁଥିବା ବସ୍ତିବାସିନ୍ଦା ମାନଙ୍କ ଉପରେ ନ୍ୟସ୍ତ କରାଯାଇଥିବା ଭୂମି ଅଧିକାର ଆଇନ ଭଳି ଅନୁରୂପ ବ୍ୟବସ୍ଥା ଆଗତ କରିବା ନିମନ୍ତେ ଓଡିଶା ମହାନଗର ନିଗମ ଅଧିନିୟମ – ୨୦୦୩ କୁ ସଂଶୋଧନ କରିବାପାଇଁ ପ୍ରସ୍ତାବ ରଖାଯାଇଅଛି ।
ଏହି ପ୍ରସ୍ତାବ ମୁତାବକ ଯେଉଁଠି ସମ୍ଭବ ହେବ ସେହି ସ୍ଥାନରେ ସମ୍ପତ୍ତିଗତ ଅଧିକାର ତଥା ଯେଉଁଠି ସମ୍ପତ୍ତିଗତ ଅଧିକାର ଦେବାରେ କୌଣସି ଅସୁବିଧା ହେବ, ସେହି ସ୍ଥାନରେ ବସ୍ତିବାସିନ୍ଦା ମାନଙ୍କୁ ୪୫ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ଭୂମି ଅଧିକାର ପ୍ରଦାନ କରାଯାଇପାରିବ । ଯଦି ବସ୍ତିବାସିନ୍ଦା ଆର୍ଥିକ ଦୁର୍ବଳ ଶ୍ରେଣୀ ଅନ୍ତର୍ଭୁକ୍ତ ହୋଇଥିବେ , ତେବେ ୩୦ ବର୍ଗ ମିଟର ପର୍ଯ୍ୟନ୍ତ ଭୂମି ଉପରେ ମାଗଣା ଭୂମି ଅଧିକାର ପ୍ରଦାନ କରାଯିବ । ଏତଦ ବ୍ୟତୀତ କୌଣସି ଅର୍ଥ ନୈତିକ ଦୁର୍ବଳ ଶ୍ରେଣୀର ପରିବାର ଯଦି ୩୦ ବର୍ଗମିଟରରୁ କମ୍ ଭୂମି ଦଖଲ କରୁଥିବେ ଏବଂ ତାଙ୍କ ବାସଗୃହ କୁ ଲାଗି ସରକାରୀ ଖୋଲା ଜାଗା ଥିବ, ତେବେ ତାଙ୍କୁ ଯଥା ସମ୍ଭବ ୩୦ ବର୍ଗମିଟର ପର୍ଯ୍ୟନ୍ତ ଭୂମି ଯୋଗାଇଦେବା ପାଇଁ ଅଧ୍ୟାଦେଶରେ ବ୍ୟବସ୍ଥା କରିବା ପାଇଁ ପ୍ରସ୍ତାବ ରଖାଯାଇଛି ।
ମହାନଗର ନିଗମ ମାନଙ୍କରେ ବାସକରୁଥିବା ବସ୍ତିବାସିନ୍ଦାମାନଙ୍କ ପାଇଁ କେବଳ ଯେ ଭୂମିଅଧିକାର ସୁରକ୍ଷିତ କରାଇପାରିବ ତା ନୁହେଁ, ବରଂ ସେମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ନିର୍ମାଣ ସହାୟତା ମଧ୍ୟ ଯୋଗାଇ ଦିଆଯାଇପାରିବ । ଏତଦ ଦ୍ଵାରା ୫ ଟି ମହାନଗର ନିଗମ ଅଧିନରେ ୯୩୮ ଗୋଟି ବସ୍ତିରେ ବସବାସ କରୁଥିବା ପ୍ରାୟ ୧ ଲକ୍ଷ ୯୦ ହଜାର ପରିବାର ଅନ୍ତର୍ଗତ ୮ ଲକ୍ଷ ୫୮ ହଜାର ବସ୍ତିବାସିନ୍ଦା ଉପକୃତ ହୋଇପାରିବେ । ଏହି କାର୍ୟ୍ୟ ୬ ମାସ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରାଯିବ । ଉପରୋକ୍ତ ଅଧ୍ୟାଦେଶଟି ବସ୍ତିବାସିନ୍ଦା ମାନଙ୍କୁ ସେମାନେ ବସବାସ କରୁଥିବା ସହର ଉପରେ ସେମାନଙ୍କର ସମ୍ପୂର୍ଣ ଅଧିକାର ଅଛିବୋଲି ଭରସା ଯୋଗାଇବ ଏବଂ ଲୋକମାନଙ୍କର ମୂଲ୍ୟ , ଭୂମିର ମୂଲ୍ୟ ଠାରୁ ଅଧିକ ବୋଲି ସରକାରଙ୍କର ବିଶ୍ଵାସକୁ ପ୍ରତିପାଦିତ କରିବ । ଓଡ଼ିଶା ସମାଚାର
