ଭୁବନେଶ୍ୱର,୨୭/୧୨/୨୦୨୧ (ଓଡ଼ିଶା ସମାଚାର)-ସତ୍ୟ ପ୍ରକାଶ ସେଠୀଙ୍କର ବହୁ ଚର୍ଚ୍ଚିତ ଉପନ୍ୟାସ ‘ବାଣୀବିହାରରେ ପ୍ରେମର ନବ ଦିଗନ୍ତ ‘ ଭୁବନେଶ୍ୱରର ମାଷ୍ଟର କ୍ୟାନଟିନ୍ ସ୍ଥିତ ହୋଟେଲ ଏକ୍ସଲେନ୍ସିରେ ଉନ୍ମୋଚନ ଉତ୍ସବ ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ବିଜେପି ମୁଖପାତ୍ର ତଥା ବାଣୀ ବିହାର ବିଶ୍ୱବିଦ୍ୟାଳୟର ପୂର୍ବତନ ସାଧାରଣ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ପଣ୍ଡା ଏହାକୁ ଶୁଭ ଉନ୍ମୋଚିତ କରିଥିଲେ । ଏଥିରେ ପ୍ରକାଶକ ଗାଳ୍ପିକ କିଶୋର ଚନ୍ଦ୍ର ରାଉତ ଉପସ୍ଥିତ ରହି ପ୍ରକାଶ କରିଥିଲେ ଯେ, ଉପନ୍ୟାସର ଅନ୍ତସ୍ୱର ହେଉଛି ପ୍ରେମ ଯାହାକୁ ଆଧାରଶୀଳା କରି ଉପନ୍ୟାସଟି ବେଶ୍ ଗତିଶୀଳ ହୋଇଛି । ସେହିପରି ଔପନ୍ୟାସିକ ସତ୍ୟ ପ୍ରକାଶ ସେଠୀ ଉପସ୍ଥିତ ରହି କହିଥିଲେ ଯେ, ଉପନ୍ୟାସର କେନ୍ଦ୍ର ବିନ୍ଦୁ ବାଣୀବିହାର ପାଲଟି ଥିବାରୁ ବାଣୀବିହାର ସହ ସମ୍ପର୍କ ରଖିଥିବା ପ୍ରତିଟି ମଣିଷ ଉପନ୍ୟାସର ଚରିତ୍ର ଘଟଣା ସହ ନିଜର ସମ୍ପୃକ୍ତି ଯୋଡି ନିଜକୁ ହିଁ ଦେଖିବେ । ତେଣୁ ଉପନ୍ୟାସଟି ଯୁବ ବର୍ଗ ଦ୍ୱାରା ଖୁବ୍ ଆଦୃତ ହେବ ବୋଲି ସେ ଆଶା ବ୍ୟକ୍ତ କରିଥିଲେ । ଏଥିରେ ବାଣୀବିହାରରେ ୮୯-୯୧ ବ୍ୟାଚ ପିଲା ମାନେ ଅଂଶ ଗ୍ରହଣ କରି ପୁସ୍ତକଟିର ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ସମାଚାର
