ଗରଦପୁର, ୨୫/୧୨/୨୦୨୧(ଓଡ଼ିଶା ସମାଚାର)- ପାଟକୁରା ପ୍ରଗତି ମଂଚ ଆନୁକୂଲ୍ୟରେ ଓ ଭୂମିକା ଚକ୍ଷୁ ହସପିଟାଲ ସହଯୋଗରେ ବନ୍ତଳା ଗ୍ରାମ ପଂଚାୟତ ଅଧିନସ୍ଥ ନିଶ୍ଚିନ୍ତା ଶାସନ ଗ୍ରାମରେ ଅବସ୍ଥିତ ପିକେ ଗୁରୁକୂଳ ଆଶ୍ରମ ବିଦ୍ୟାଳୟ ପରିସରରେ ଏକ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆୟୋଜିତ ଶିବିରକୁ ଜିଲାପରିଷଦ ସଦସ୍ୟ ସନ୍ତୋଷ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ । ବିଦ୍ୟାଳୟ ପ୍ରତିଷ୍ଠାତା ଦିବାକର ସାହୁ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ରାଉତ , ଦେବେନ୍ଦ୍ର ମଲ, ଚନ୍ଦନ ରାଉତରାୟ ପ୍ରମୁଖ ଯୋଗଦେଇ ଏହିଭଳି ମହତ କାମକୁ ଆୟୋଜନ କରିଥିବା ଅନୁଷ୍ଠାନକୁ ପ୍ରସଂଶା କରିଥିଲେ । ଶିବିରରେ ୧୦୨ ଜଣ ରୋଗୀ ସେମାନଙ୍କ ଚକ୍ଷୁ ପରୀକ୍ଷା କରିଥିବାବେଳେ ସେମାନଙ୍କ ମଧ୍ୟରୁ ୨୩ ଜଣ ମୋତିଆ ବିନ୍ଦୁ ଚିହ୍ନଟ ହୋଇ ଭୂମିକା ଚକ୍ଷୁ ହସପିଟାଲ ଦ୍ୱାରା ଅପରେସନ୍ ହୋଇ ମାଗଣା ଚଷମା ପାଇଥିଲେ । ଏହି ଶିବିରରେ ଭୂମିକା ଚକ୍ଷୁ ହସପିଟାଲ ର ଡ଼ାକ୍ତର ଓ ନର୍ସମାନେ ରୋଗୀମାନଙ୍କୁ ଚିହ୍ନଟ କରିଥିଲେ । ଶିବିରକୁ ଅଶୋକ ସାହୁ, ମିନତୀ ପଣ୍ଡା, ରବିନ୍ଦ୍ର ଦାସ ପ୍ରମୁଖ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର