ମାହାଙ୍ଗା ,୨୨/୧୨/୨୦୨୧(ଓଡିଶା ସମାଚାର/ ଅଭୟ ଜେନା )- ବିଜୁବାବୁ ସବୁବେଳେ ସମାଜର ସବୁଠାରୁ ତଳ ସ୍ତରରେ ବସବାସ କରୁଥିବା ଲୋକଙ୍କ ବିକାଶ ପାଇଁ ଗୁରୁତ୍ୱ ଦେଉଥିଲେ । ତା’ଙ୍କ ସୁପୁତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମାଜର ସବୁ ବର୍ଗର ଜନତାଙ୍କ ହିତ ପାଇଁ କାର୍ୟ୍ୟ କରୁଥିବାରୁ ସାରା ଓଡ଼ିଶାବାସୀ ବିଜୁ ଜନତା ଦଳକୁ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ସହ ଶାସନ ଗାଦିରେ ବସାଇଛନ୍ତି । ଆଜି ଗୋକନ ଭଞ୍ଜ ମଣ୍ଡପ ଠାରେ ସ୍ଥାନୀୟ ଓସଂଗ, ବାରାହୀପୁର, ପଲ୍ଲୀସାହି, ଭଉଁରିଆ, ପୋଡାମରାଇ, ଏବଂ ଗୋକନ ଗ୍ରାମ ପଞ୍ଚାୟତର ହଜାର ହଜାର ମହିଳାଙ୍କୁ ନେଇ ମିଶନ ଶକ୍ତି ପକ୍ଷରୁ ଏକ ମହିଳା ସମାବେଶ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯାଇଥିଲା । ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ତଥା ଆଇନ ଓ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ଯୋଗଦେଇ କହିଲେ କେବଳ ସରକାରୀ ହସ୍ପିଟାଲ ରେ ନୁହେଁ ଏଣିକି ପ୍ରାଇଭେଟ ହସ୍ପିଟାଲରେ ମଧ୍ୟ ମାଗଣାରେ ଚିକିତ୍ସା ସୁବିଧା ମିଳିବ । ଗରୀବ ରୋଗୀଙ୍କୁ ଘରୋଇ ହସ୍ପିଟାଲରେ ବିଜୁ ହେଲଥ ସ୍ମାର୍ଟ କାର୍ଡ ଜରୀଆରେ ପୁରୁଷଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ପର୍ୟ୍ୟନ୍ତ ସରକାରୀ ଖର୍ଚରେ ଚିକତ୍ସା ସୁବିଧା ମିଳିବ । ସେ କହିଲେ ଏହି ଯୋଜନା ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ସାକାର ହେବାକୁ ଯାଉଛି । ସିଡିପିଓ ପ୍ରମୋଦିନି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ବ୍ଲକ ଚେୟାରମ୍ୟାନ ଶରତ ନାୟକ, ବିଜୁ ଜନତାଦଳ ବ୍ଲକ ସଭାପତି ରାଜକିଶୋର ଜେନା, ବ୍ଲକ ଭାଇସ ଚେୟାରମ୍ୟାନ ରସିଦା ବେଗମ, ବିଡ଼ିଓ ନିହାର ରଞ୍ଜନ ମଲ୍ଲିକ, ଜିଲାପରିଷଦ ସଭ୍ୟା ହରପ୍ରିୟା ପାଣି, ପୋଡାମରାଇ ସରପଞ୍ଚ ସସ୍ମିତା ସିଂ, ଭଉଁରିଆ ସରପଞ୍ଚ ଗଗନ ସେଠୀ, ଓସଂଗ ସରପଞ୍ଚ ଧୀରେନ୍ଦ୍ର ବିଶ୍ୱାଳ,ଗୋକନ ସରପଞ୍ଚ ପଦ୍ମନାଭ ସେଠୀ ପ୍ରମୁଖ ଯୋଗଦେଇ ସରକାରଙ୍କ ବିକାଶ ମୂଳକ କାର୍ୟ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଆଜି ଗୋକନ କଲ୍ୟାଣ ମଣ୍ଡପ, ଗୋକନ ପୋଷ୍ଟ ଅଫିସ, କୃଷକ ପରାମର୍ଶ କେନ୍ଦ୍ର, ଗୋକନ ତୋଟା ସାହି କାଡା ନାଳି, ନୃସିଂହ ଠାକୁରାଣୀ ଓ ବୁଢୀ ଜାଗୁଳାଇ କମ୍ୟୁନିଟି ସେଣ୍ଟର ପାଇଁ ନିର୍ମିତ ଗୃହକୁ ମନ୍ତ୍ରୀ ଶ୍ରୀ ଜେନା ଉଦଘାଟନ କରିଥିଲେ । ଓଡ଼ିଶା ସମାଚାର