ମାଲକାନଗିରି, ୨୧/୧୨/୨୦୨୧ (ଓଡ଼ିଶା ସମାଚାର)- ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ୫ ଜଣ ସାମ୍ବାଦିକ ଖବର ପ୍ରସାରଣ କରିଥିଲେ । ଏଥିରେ କ୍ଷବ୍ଧ ହୋଇ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୁଦ୍ଧରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ହେଲେ ଆଦର୍ଶ ଥାନାର ପୋଲିସ ଘଟଣାର ସଠିକ ତଦନ୍ତ ନ କରି ରାତି ଅଧରେ ଆତଙ୍କବାଦୀଙ୍କୁ ଗିରଫ କରିବା ଭଳି ସମ୍ପୃକ୍ତ ପାଞ୍ଚ ଜଣ ସାମ୍ବାଦିକଙ୍କୁ ଘରୁ ଉଠାଇଆଣି ଅଦାଲତ ଚାଲାଣ କରିଛି । ଏହା କଣ ଆଦର୍ଶ ଥାନାର ଆଦର୍ଶ କାର୍ୟ୍ୟ ? ଏହା ଦ୍ୱାରା ଗଣମାଧ୍ୟମର କଂଠ ରୋଧ କରାଯାଇନି କି ? ସେହି ୫ ଜଣ ସାମ୍ବାଦିକଙ୍କୁ ଗିରଫ କଲେ କଣ ଆଉ କୋରକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଇବ ନାହିଁ ? ପୋଲିସ ବାବୁ ଭାବୁଛନ୍ତି ସେହି ୫ ଜଣ ସାମ୍ବାଦିକ ଙ୍କୁ ଗିରଫ କରିଦେଲେ ଏହାର ସମାଧାନ ହୋଇଯିବ , ବିରି ମାଡ଼ ଦେଖି କୋଳଥ ଚୋପା ଭଳି ସାମ୍ବାଦିକ ମାନେ ଡ଼ରିଯାଇ ଚପ୍ ହୋଇଯିବେ । ହେଲେ ସେଭଳି ଭାବିବା ଭୁଲ । ଖବର ସଂଗ୍ରହ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏଭଳି ରାତି ଅଧିଆ ପୋଲିସ ଫୋର୍ସ ଧରି ଘରୁ ଉଠାଇ ଆଣିବା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଉପରେ ଏକ ନଗ୍ନ ଆକ୍ରମଣ । ପୋଲିସ୍ ର ଏହି ଆଚରଣକୁ ନେଇ ରାଜ୍ୟ ଓ ପଡ଼ୋସୀ ରାଜ୍ୟ ର ସାମ୍ବାଦିକ ପ୍ରତିବାଦ କରିଛନ୍ତି । ଆଜି ଓଡିଶା, ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ର ସାମ୍ବାଦିକମାନେ ପୋଲିସ୍ ର ଏହି କାର୍ଯ୍ୟ ବିରୁଦ୍ଧରେ ପ୍ରତିବାଦ କରି ଏକ ବିଶାଳ ବିକ୍ଷୋଭ ଶୋଭାଯାତ୍ରା କରିଛନ୍ତି ।ରାଜ୍ୟ ସରକାରଙ୍କ ମିଡ଼ିଆ ଆଡ଼ଭାଇଜର ମାନସ କୁମାର ମଙ୍ଗରାଜ ଟେଲିଫୋନ୍ ରେ ଆନ୍ଦୋଳନରତ ସାମ୍ବାଦିକମାନଙ୍କ୍ ସହିତ କଥା ହୋଇ ଏ ସମ୍ପର୍କରେ ସରକାରଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି । ଆହୁରୀ ମଧ୍ୟ ଏହି ଘଟଣା କୁ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ସଦସ୍ୟ ପ୍ରସନ୍ନ୍ନ ମହାନ୍ତି ନିନ୍ଦା କରିବା ସହିତ ମୁଖ୍ୟମନ୍ତ୍ରୀ ଓ ପ୍ରେସ କାଉନସିଲ ଅଫ ଇଣ୍ଡିଆ ର ଦୃଷ୍ଟି ଆକର୍ଷଣ କରିଛନ୍ତି । ଓଡ଼ିଶା ସମାଚାର