ଭୁବନେଶ୍ୱର , ୨୧/୧୨/୨୦୨୧ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅଂଚଳର ଢିଙ୍କିଆ ଗ୍ରାମ ପଂଚାୟତରେ ଜିନ୍ଦଲ ଷ୍ଟିଲ୍ ର ପ୍ରତିଷ୍ଠା ପାଇଁ ମାପଚୁପକୁ କେନ୍ଦ୍ର କରି ପୋଲିସ୍ ପକ୍ଷରୁ ଯେଉଁ ଲାଠି ଚାର୍ଜ କରାଯାଇଛି, ତାହାକୁ ସମାଜବାଦୀ ପାର୍ଟି ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିବୃତିରେ କହିଛନ୍ତି ଯେ, ପୋଲିସ୍ ଅତର୍କିତ ଭାବରେ ଢିଙ୍କିଆ ଗ୍ରାମ ଭିତରେ ପଶି ଜିନ୍ଦଲ ଇସ୍ପାତ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରମବାସୀଙ୍କୁ ଲାଠିଚାର୍ଜ କରିବା ଫଳରେ ୧୦ରୁ ୧୫ଜଣ ଆହତ ହୋଇଛନ୍ତି । ପୋଲିସ୍ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ଜବରଦସ୍ତ ଗ୍ରାମରୁ ଉଠାଇ ନେଇଛି । ଏହା ସାଧାରଣ ନାଗରିକଙ୍କ ମୌଳିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ଶ୍ରୀ ବେହେରା ଅଭିଯୋଗ କରିଛନ୍ତି । ତୁରନ୍ତ ଗିରଫ ହୋଇଥିବା ଦେବେନ୍ଦ୍ର ସ୍ୱାଇଁଙ୍କ ସମେତ ତାଙ୍କ ଦାଦା ଓ ତାଙ୍କ ଭଉଣୀଙ୍କୁ ଖଲାସ କରିବା, ପୋସ୍କୋ ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ହୋଇଥିବା ସମସ୍ତ ମକଦ୍ଧମା ପ୍ରତ୍ୟାହାର କରିବା ଏବଂ ଷ୍ଟିଲ୍ ପ୍ଲାନ୍ଟ ପାଇଁ ବିକଳ୍ପ ସ୍ଥାନ ନିରୂପଣ କରିବା ପାଇଁ ଶ୍ରୀ ବେହେରା ଦାବି କରିଛନ୍ତି । ତା ନହେଲେ ଆଗାମୀ ଦିନରେ ଲୋକଙ୍କ ଆନ୍ଦୋଳନ ତୀବ୍ର ହେବା ସେଙ୍ଗ ସେଙ୍ଗ ଏହି ପ୍ରକଳ୍ପକୁ ପାରାଦ୍ୱୀପ ଠାରୁ ରାଜଧାନୀ ପର୍ଯ୍ୟନ୍ତ ସବୁ ଜାଗାରେ ବିରୋଧ କରାଯିବ ବୋଲି ଶ୍ରୀ ବେହେରା ସତର୍କ କରାଇ ଦେଇଛନ୍ତି । ଓଡ଼ିଶା ସମାଚାର