ଭୁବନେଶ୍ୱର , ୨୦/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଆହୁରି ସୁଦୃଢ଼ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ବିମାନବନ୍ଦରରେ ‘ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟ ସେବା’ର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରାରମ୍ଭିକ ଭାବେ ଆଦିବାସୀ ବହୁଳ ୪ଟି ଜିଲ୍ଲା ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା ଓ କଳାହାଣ୍ଡିର ଜନସାଧାରଣ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ପାଇବେ। ଜିଲ୍ଲାର ରୋଗୀଙ୍କ ପାଖରେ ହେଲିକପ୍ଟରରେ ପହଞ୍ଚିବେ ଡାକ୍ତରୀ ଟିମ୍ । ଆବଶ୍ୟକ ହେଲେ ରୋଗୀଙ୍କୁ ଏୟାରଲିଫ୍ଟ ମଧ୍ୟ କରାଯାଇପାରେ । ପରବର୍ତ୍ତୀ ସମୟରେ ଅନ୍ୟ ଜିଲ୍ଲାରେ ମଧ୍ୟ ଏହି ସୁବିଧା ଉପଲବ୍ଧ ହେବ । ମୁଖ୍ୟମନ୍ତ୍ରୀ ବାୟୁ ସ୍ବାସ୍ଥ୍ୟସେବା ଦ୍ବାରା ଉପାନ୍ତ ଅଞ୍ଚଳର ଲୋକେ ସହଜରେ ଚିକିତ୍ସା ସେବା ପାଇ ପାରିବେ । ସମୟ ବଞ୍ଚିବା ସହ ଯାତାୟାତ ଯନ୍ତ୍ରଣାରୁ ରୋଗୀଙ୍କୁ ମୁକ୍ତି ମିଳିବ । ଏହି ଯୋଜନା ଅଧୀନରେ ବିଭିନ୍ନ ଡାକ୍ତରଖାନାର ବିଶେଷଜ୍ଞମାନେ ୪ଟି ଜିଲ୍ଲାର ଚିକିତ୍ସାଳୟକୁ ବିମାନ ଯୋଗେ ଯାଇ ସେଠାରେ ହୃଦରୋଗୀ, ସ୍ନାୟୁରୋଗୀ, କିଡନୀ ଓ ମୂତ୍ରାଶୟ ରୋଗୀଙ୍କ ଭଳି ସୁପର୍ ସ୍ପେଶାଲିଟି ସେବା ଆବଶ୍ୟକ କରୁଥିବା ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇବେ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ। ଓଡ଼ିଶା ସମାଚାର