ଆଠଗଡ଼/ ବାଙ୍କୀ /ଭୁବନେଶ୍ୱର , ୨୦/୧୨/୨୦୨୧ (ଓଡ଼ିଶା ସମାଚାର/ସୁଚେତା ଦେବତା)- ମହାନଦୀରେ ଯୋଡ଼ି ହେଲା ଆଉ ଏକ ସମ୍ପର୍କର ସେତୁ। ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ବଡ଼ମ୍ବା ଗୋପିନାଥପୁରକୁ ବାଙ୍କୀ-ବୈଦେଶ୍ୱର ସହିତ ସଂଯୋଗ ହୋଇଥିବା ଟି-ସେତୁ। ମହାନଦୀ ଉପରେ ରାଜ୍ୟର ସବୁଠୁ ଦୀର୍ଘତମ ‘ଟି ସେତୁ’ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକାର୍ପଣ କରିଛନ୍ତି। ୧୩୨ କୋଟି ୬୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ସେତୁ । ଗୋପିନାଥପୁର – ସିଂହନାଥ ପୀଠ- ବୈଦେଶ୍ୱରକୁ ଏହି ସେତୁ ସଂଯୋଗ କରୁଛି। ସେତୁ ଯୋଗୁଁ ୪୫ କିମି ଦୂରତ୍ୱ କମିବ। ଏହାସହ ଏଥିରେ ୫ ଲକ୍ଷ ଲୋକେ ଉପକୃତ ହେବେ।
ଏହି ସେତୁ ଦ୍ୱାରା ଭୁବନେଶ୍ୱର-ପୁରୀ-ଖୋର୍ଦ୍ଧା-ନୟାଗଡ଼-ବ୍ରହ୍ମପୁର ସହିତ ଢେଙ୍କାନାଳ, ଅନୁଗୁଳ ଓ ବୌଦ୍ଧ ଜିଲ୍ଲାକୁ ଯୋଗାଯୋଗ ସହଜ ହେବ। କଟକ ଜିଲ୍ଲା ବଡ଼ମ୍ବା ଗୋପୀନାଥପୁରରୁ ବାଙ୍କୀ- ବୈଦେଶ୍ୱର ସଂଯୋଗ କରୁଛି ଏହି ଟି-ସେତୁ। ମହାନଦୀ ମଧ୍ୟଭାଗରେ ତିଆରି ହୋଇଛି ଏହି ଟି-ସେତୁ। ଏହି ସେତୁଟିର ଲମ୍ବ ୩ କିଲୋମିଟର ୧୧୮ ମିଟର ହୋଇଥିବାବେଳେ ପୋଲର ମଧ୍ୟଭାଗରୁ ସିଂହନାଥ ଶୈବପୀଠକୁ ଯୋଡ଼ାଯାଇଥିବାରୁ ଏହାକୁ ଟି-ସେତୁ ବୋଲି କୁହାଯାଉଛି। ୩.୪ କିମି ଲମ୍ବ ବିଶିଷ୍ଟ ଏହି ସେତୁ ସମ୍ପୃକ୍ତ ଅଞ୍ଚଳରେ ପର୍ଯ୍ୟଟନର ବିକାଶ ସହ ଲୋକଙ୍କ ସାମାଜିକ-ଆର୍ଥିକ ଉନ୍ନତିର ପ୍ରମୁଖ ମାଧ୍ୟମ ସାଜିବ। ୨୦୧୪ ରେ ଏହି ସେତୁର ନିର୍ମାଣ ପାଇଁ ଶିଳାନ୍ୟାସ ହୋଇଥିବା ବେଳେ କିଛି ବୈଷୟିକ ତ୍ରୁଟି କାରଣରୁ ଏହାର କାର୍ୟ୍ୟ ବିଳମ୍ବ ହୋଇଥିଲା। ଏବେ ଏହାର ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ସେତୁର ଆକାର ଇଂରାଜୀ ‘ଟି’ ଅକ୍ଷର ସଦୃଶ । ଏହା ରାଜ୍ୟର ପ୍ରଥମ ‘ଟି’ ସେତୁ । ଏହା ସେ ଅଂଚଳବାସୀଙ୍କର ଦୀର୍ଘ ଦିନର ଦାବି ଥିଲା। ଆଜି ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ବହୁ ଆକାକ୍ଷିତ ସେତୁର ଉଦ୍ ଘାଟନ ସେ ଅଞ୍ଚଳର ଜନତାଙ୍କ ମଧ୍ୟ ରେ ବିପୁଳ ଉତ୍ସାହ ସୃଷ୍ଟି କରିଛି । ସେତୁ ଉଦ୍ ଘାଟନ ପରେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଜନସାଧାରଣ ଙ୍କୁ ଆପଣମାନେ ଖୁସି ତ ବୋଲି ପଚାରିଥିଲେ । ଏବଂ ଜନତା ଆନନ୍ଦ ପ୍ରକାଶ ସହ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।ଏହି କାର୍ୟ୍ୟକ୍ରମରେ ପୂର୍ତ୍ତମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ମଲ୍ଲିକ, ବଡମ୍ବା ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ର ଓ ବାଙ୍କୀ ବିଧାୟକ ଶ୍ରୀ ଦେବୀ ପ୍ରସନ୍ନ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର