ଭୁବନେଶ୍ୱର , ୧୯/୧୨/୨୦୨୧ (ଓଡ଼ିଶା ସମାଚାର)-ମାଇକ୍ରୋ ଫାଇନାନ୍ସ ଜରିଆରେ ଗରିବ ଲୋକଙ୍କ ଅସହାୟତାକୁ ଲାଭ ଉପାର୍ଜନର ଉର୍ବର କ୍ଷେତ୍ର ବନାଇ ଦିଆଯାଇଛି ଓ ମହିଳାମାନେ ଋଣ ଜାଲରେ ଛନ୍ଦି ହୋଇପଡ଼ିଛନ୍ତି ବୋଲି ମତବ୍ୟକ୍ତ କରିଛନ୍ତି କେରଳର ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ଥୋମାସ ଆଇଜାକ୍ ଓ ଟାଟା ଇନ୍ଷ୍ଟିଚୁ୍ୟଟ ଅଫ୍ ସୋସିଆଲ ସାଇନ୍ସର ପ୍ରଫେସର ଡ଼କ୍ଟର ଆର. ରାମକୁମାର ।
ବିଶିଷ୍ଟ ଶିକ୍ଷାବିତ୍ ଡ଼କ୍ଟର ଆଶା ଦାସଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱରସ୍ଥିତ ଇଡ଼କଲ ଅଡ଼ିଟୋରିୟମଠାରେ ଅଖିଳ ଭାରତ ଗଣତାନ୍ତ୍ରିକ ମହିଳା ସମିତି ଓ ଅନ୍ୟତମ ସହଯୋଗୀ ସଂସ୍ଥାମାନଙ୍କ ଆନୁକୂଲ୍ୟରେ ‘ସୁଶିଳା ଗୋପାଳନ ସ୍ମାରକୀ ବକ୍ତୃତା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମହିଳାମାନଙ୍କ ଋଣଗ୍ରସ୍ତତା ଉପରେ କରାଯାଇଥିବା ସର୍ବେକ୍ଷଣ ରିପୋର୍ଟକୁ ଏହି ଅନୁଷ୍ଠାନରେ ଉନ୍ମୋଚିତ କରିଥିଲେ ସଂଗଠନର ସର୍ବଭାରତୀୟ ସାଧାରଣ ସମ୍ପାଦିକା ଶ୍ରୀମତୀ ମାରିୟମ ଧାୱଲେ । ଦରବୃଦ୍ଧି, ବେକାରୀ, ରୋଜଗାର ହ୍ରାସ ଓ ଅନାହାର ତଥା ଅର୍ଦ୍ଧାହାର ସାଙ୍ଗକୁ ଋଣଗ୍ରସ୍ତତା କିପରି ମହିଳାମାନଙ୍କ ଜୀବନକୁ ଦୁର୍ବିସହ କରିପକାଇଛି ତାହା ସେ ତାଙ୍କ ବକ୍ତବ୍ୟରେ ତୋଳି ଧରିଥିଲେ ।
ପ୍ରାଥମିକ ସୂଚନା ପ୍ରଦାନ କରି ସଂଗଠନର ଜାତୀୟ ସମ୍ପାଦିକା ଶ୍ରୀମତୀ ତାପସୀ ପ୍ରହରାଜ ଓଡ଼ିଶାରେ ମାଇକ୍ରୋ ଫାଇନାନ୍ସର ଉତ୍ପୀଡ଼ନ ବିରୁଦ୍ଧରେ ହୋଇଥିବା ଆନ୍ଦୋଳନ ଯୋଗୁଁ ଏହି ଋଣ ଲଗାକାରୀ ସଂସ୍ଥାମାନଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟ ବିଧାନସଭାରେ ଗୃହୀତ ବିଲ୍ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ବର୍ଷ ବର୍ଷ ଧରି ପଡ଼ି ରହିଥିବାରୁ ତାର ତୀବ୍ର ନିନ୍ଦା କରିଥିଲେ । ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ମହିଳା ସଶକ୍ତିକରଣ ଯୋଜନା ଶେଷକୁ କିପରି ମାଇକ୍ରୋ ଫାଇନାନ୍ସର ଋଣ ଯନ୍ତାରେ ପଡ଼ିବା ସାର୍ ହୋଇଛି, ସେହି ଅଭିଜ୍ଞତା ବର୍ଣ୍ଣନା କରିଥିଲେ । ଶ୍ରୀମତୀ ସଂଯୁକ୍ତା ସେଠୀ, ସୀମା ନାୟକ ଓ ସୁମତି ନାୟକ, ଶ୍ରୀମତୀ ମିନତୀ ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।
ବ୍ୟାଙ୍କ ଜାତୀୟକରଣ ଦ୍ୱାରା ଗ୍ରାମାଂଚଳରେ ବ୍ୟାଙ୍କର ସମ୍ପ୍ରସାରଣ ସହ ସ୍ୱଳ୍ପ ସୁଧରେ କୃଷି ଋଣ ଯୋଗାଣ ଏବଂ ଋଣ ଯୋଗାଣ କ୍ଷେତ୍ରରେ କୃଷକ, କ୍ଷୁଦ୍ର ବ୍ୟବସାୟୀ, ମହିଳା, ଦଳିତ ଓ ଆଦିବାସୀ ପ୍ରମୁଖଙ୍କୁ ଅଗ୍ରାଧିକାର ଦେବାର ବ୍ୟବସ୍ଥା ବ୍ୟାଙ୍କ ଘରୋଇକରଣ ଦ୍ୱାରା ଧୂଳିସାତ୍ ହେବାକୁ ବସିଛି ବୋଲି ପ୍ରଫେସର ରାମ କୁମାର ଉଦବେଗ ପ୍ରକାଶ କରିଥିଲେ । ଏହାର ପରିଣାମସ୍ୱରୂପ ମାଇକ୍ରୋ ଫାଇନାନ୍ସ କମ୍ପାନୀର ଶୋଷଣ, ଲୁଣ୍ଠନ, ଉତ୍ପୀଡ଼ନ ଓ ନାରୀ ନିର୍ଯ୍ୟାତନା ଆହୁରି ବଢିବ ବୋଲି ସେ ଚେତେଇ ଦେଇଥିଲେ । ମାଇକ୍ରୋ ଫାଇନାନ୍ସ ଋଣର ସୁଧ ହାର ଉପରୁ କଟକଣା ଉଠାଇବାର ସରକାରୀ ନୀତି ଏହି ଦୁର୍ଦ୍ଧଶାକୁ ବହୁଗୁଣିତ କରିବ ବୋଲି ସେ ଦୃଢ ମତବ୍ୟକ୍ତ କରିଥିଲେ ।
୨୦୧୯-୨୦ ଆର୍ଥିକ ବର୍ଷରେ କର୍ମନିଯୁକ୍ତି ହ୍ରାସ ଓ ବଜାରରେ ଚାହିଦା ହ୍ରାସ କାରଣରୁ ଯେଉଁ ଅର୍ଥନୈତିକ ସଙ୍କଟ ଭାରତରେ ଦେଖା ଦେଇଥିଲା, କୋଭିଡ଼ ମହାମାରୀ ଯୋଗୁ ଏହି ଚାହିଦା ଆହୁରି ହ୍ରାସ ପାଇଛି ଓ ଅନ୍ୟ ପକ୍ଷରେ ଯୋଗାଣ ମଧ୍ୟ ହ୍ରାସ ପାଇଛି ବୋଲି ମତବ୍ୟକ୍ତ କରିଥିଲେ କେରଳର ପୂର୍ବତନ ଅର୍ଥମନ୍ତ୍ରୀ ଡକ୍ଟର ଥୋମାସ ଆଇଜାକ । ନିଯୁକ୍ତିହାରକୁ ଉଦ୍ଧ୍ୱର୍ଗାମୀ କରି ଲୋକଙ୍କ ଆୟବୃଦ୍ଧି ଜରିଆରେ ବଜାରରେ ଚାହିଦା ବୃଦ୍ଧି କରିବାର ପଥକୁ କେନ୍ଦ୍ର ସରକାର ପ୍ରତ୍ୟାଖାନ କରିଥିବାରୁ ସେ ଉଦବେଗ ପ୍ରକାଶ କରିଥିଲେ । ଏପରିକି ସଙ୍କଟର ମୁକାବିଲା ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ଓ ବି୍ରଟେନ ଏହି ପନ୍ଥା ଅନୁସରଣ କରୁଥିଲା ବେଳେ ଭାରତ ସରକାର ବ୍ୟୟ ସେଙ୍କାଚନ କରି ବିଦେଶୀ ପୁଞ୍ଜିକୁ ଆକୃଷ୍ଟ କରିବାର ପଥ ଧରିଛନ୍ତି । ନିଯୁକ୍ତି ଓ ଆୟ ହ୍ରାସ ଜନିତ ପରିସ୍ଥିତିରେ ଘରକରଣା ବିକିବା ଓ କରଜ କରିବା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନଥିବାରୁ ଋଣଗ୍ରସ୍ତତା ବଢୁଛି ଓ ମହିଳାମାନେ ତାର ଅଧିକ ଶିକାର ହେଉଛନ୍ତି ବୋଲି ଅର୍ଥନୀତି ବିଶାରଦ ଡକ୍ଟର ଆଇଜାକ ତଥ୍ୟ ଉପସ୍ଥାପନ ଜରିଆରେ ଏହି ସତ୍ୟକୁ ତୋଳି ଧରିଥିଲେ । ଲୋକଙ୍କ ଦୁର୍ଦ୍ଧଶା ବେଳେ ସରକାରମାନେ ଖର୍ଚ୍ଚ ନକରି ରାଜସ୍ୱ ବଳକା ସୃଷ୍ଟି କରିବା ଓ ସରକାରୀ ଯୋଜନାରେ ଖାଦ୍ୟଶସ୍ୟ ପଡ଼ି ରହି ନଷ୍ଟ ହେବା ଠାରୁ ଅଧିକ ଅମାନବିକ ଓ ଜନବିରୋଧୀ ହୋଇପାରେ ବୋଲି ସେ ପ୍ରଶ୍ନ କରିଥିଲେ । କେରଳ ସରକାର ଅନୁସରଣ କରିଥିବା ବିକଳ୍ପ ନୀତି ଯୋଗୁଁ ଏହି ସମସ୍ତ ବିଲକ୍ଷଣକୁ କିଛି ମାତ୍ରାରେ ରୋକାଯାଇ ପାରିଛି ବୋଲି ତଥ୍ୟ ଭିତିରେ ତାହା ସେ ସାବ୍ୟସ୍ତ କରିଥିଲେ । ଓଡ଼ିଶା ସମାଚାର