ମାଲକାନଗିରି,୧୯/୧୨/୨୦୨୧(ଓଡ଼ିଶା ସମାଚାର)-ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କୋରକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ୫ ଜଣ ସାମ୍ବାଦିକ ଖବର ପ୍ରସାରଣ କରିଥିଲେ । ଏଥିରେ କ୍ଷବ୍ଧ ହୋଇ ଡାକ୍ତର ଓ ମେଡିକାଲ କର୍ମଚାରୀମାନେ ସମ୍ପୃକ୍ତ ସାମ୍ବାଦିକଙ୍କ ବିରୁଦ୍ଧରେ ମାଲକାନଗିରି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ହେଲେ ଆଦର୍ଶ ଥାନାର ପୋଲିସ ଘଟଣାର ସଠିକ ତଦନ୍ତ ନ କରି ରାତି ଅଧରେ ଆତଙ୍କବାଦୀଙ୍କୁ ଗିରଫ କରିବା ଭଳି ସମ୍ପୃକ୍ତ ପାଞ୍ଚ ଜଣ ସାମ୍ବାଦିକଙ୍କୁ ଘରୁ ଉଠାଇଆଣି ଅଦାଲତ ଚାଲାଣ କରିଛି । ଏହା କଣ ଆଦର୍ଶ ଥାନାର ଆଦର୍ଶ କାର୍ଯ୍ୟ ? ଏହା ଦ୍ୱାରା ଗଣମାଧ୍ୟମର କଂଠ ରୋଧ କରାଯାଇନି କି ? ସେହି ୫ ଜଣ ସାମ୍ବାଦିକଙ୍କୁ ଗିରଫ କଲେ କଣ ଆଉ କୋରକୋଣ୍ଡା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଅବ୍ୟବସ୍ଥା ସମ୍ପର୍କରେ ଖବର ପ୍ରକାଶ ପାଇବ ନାହିଁ ? ପୋଲିସ ବାବୁ ଭାବୁଛନ୍ତି ସେହି ୫ ଜଣ ସାମ୍ବାଦିକ ଙ୍କୁ ଗିରଫ କରିଦେଲେ ଏହାର ସମାଧାନ ହୋଇଯିବ , ବିରି ମାଡ଼ ଦେଖି କୋଳଥ ଚୋପା ଭଳି ସାମ୍ବାଦିକ ମାନେ ଡ଼ରିଯାଇ ଚପ୍ ହୋଇଯିବେ । ହେଲେ ସେଭଳି ଭାବିବା ଭୁଲ । ସମ୍ପୃକ୍ତ ୫ ଜଣ ସାମ୍ବାଦିକଙ୍କୁ ତୁରନ୍ତ ଖଲାସ କରି ତାଙ୍କ ବିରୁଦ୍ଧରେ ଥିବା ମାମଲା ପ୍ରତ୍ୟାହାର କରିବାକୁ ଜିଲାର ସାମ୍ବାଦିକ ମହଲରୁ ଦୃଢ଼ ଦାବି ହୋଇଛି । ଓଡ଼ିଶା ସମାଚାର