ଭୁବନେଶ୍ୱର , ୧୭/୧୨/୨୦୨୧ (ଓଡ଼ିଶା ସମାଚାର)- ରାଜ୍ୟର ସହରାଚଂଳ ମାନଙ୍କରେ ଲୋକମାନଙ୍କର ବାସଗୃହ ସମସ୍ୟା ଦୁର କରିବା ପାଇଁ ସୁଲଭ ମୂଲ୍ୟରେ ବାସଗୃହ ଯୋଗାଇ ଦେବା ନିମନ୍ତେ ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା ତରଫରୁ ଉଦ୍ୟମ ଜାରି ରହିଛି । ଭୁବନେଶ୍ୱରର ଏକ ପ୍ରମୁଖ ଅଂଚଳ ଡୁମୁଡୁମାଠାରେ Ac ୨-୧୦୦ dec ପରିମିତ ସରକାରୀ ଜମି ଉପରେ ଏକ ବହୁତଳ ବିଶିଷ୍ଟ ପ୍ରକଳ୍ପ “ସୁଭଦ୍ରା ଏନ୍କ୍ଲେଭ”ର ନିର୍ମାଣ କାର୍ଯ ଆରମ୍ଭ କରିବାକୁ ଯାଉଛନ୍ତି । ଏହି ୫ ମହଲା ବିଶିଷ୍ଟ ପ୍ରକଳ୍ପରେ ସମସ୍ତ ବର୍ଗର ଲୋକ ଯଥା EWS (ଆର୍ଥିକ ଦୁର୍ବଳଶ୍ରେଣୀ), LIG(ନିମ୍ନ ଆୟକାରୀ ବର୍ଗ) ଓ MIG (ମଧ୍ୟମ ଆୟକାରୀବର୍ଗ)ଙ୍କ ନିମନ୍ତେ ଗୃହନିର୍ମାଣ ସଂସ୍ଥା ମୋଟ୍ ୧୯୮ଟି ଫ୍ଲାଟ ନିର୍ମାଣ କରିବାକୁ ଯାଉଛନ୍ତି । ଖୁସିର କଥା ଗୃହ ନିର୍ମାଣ ସଂସ୍ଥା ଆଧୁନିକ ଭିତିଭୂମିର ସୁବିଧା ସହ ସୁଲଭ ମୂଲ୍ୟରେ ଏହି ଫ୍ଲାଟଗୁଡ଼ିକ ସ୍ୱଚ୍ଛ ପ୍ରକ୍ରିୟାରେ ବିକ୍ରୟ କରିବେ ।
କଟକ ବିଦ୍ୟାଧରପୁରଠାରେ ସଂସ୍ଥା ମୋଟ ୮କୋଟି ୧୪ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ସମାପ୍ତି କରିଥିବା Exclusive EWS ହାଉସିଂ ପ୍ରକଳ୍ପରେ ୧୯୬ଗୋଟି EWS ଫ୍ଲାଟର ଆଜି ଶୁଭ ଉଦ୍ଘାଟନ କରି ହିତାଧିକାରୀମାନଙ୍କୁ ବାସଗୃହ ହସ୍ତାନ୍ତର ପ୍ରକ୍ରିୟା ଆରମ୍ଭ କରାଯାଇଛି । ସହର ମଧ୍ୟରେ ଏକ ପ୍ରମୁଖ ସ୍ଥାନରେ ସମସ୍ତ ଭିତିଭୂମିର ସୁବିଧା ଥାଇ ଚାରିମହଲା ବିଶିଷ୍ଟ ଫ୍ଲାଟଗୁଡ଼ିକୁ, ଫ୍ଲାଟ ପିଛା ମାତ୍ର ୪ ଲକ୍ଷ ୧୬ ହଜାର ଟଙ୍କାରେ ହିତାଧିକାରୀମାନଙ୍କୁ ଯୋଗାଇ ଦେଉଛି । ଏହା ସ୍ୱାଗତଯୋଗ୍ୟ ।
ଆଜି ଅତ୍ୟନ୍ତ ଆନନ୍ଦର ବିଷୟ ଯେ ରାଜ୍ୟ ଗୃହ ନିର୍ମାଣ ବୋର୍ଡ ପରିସରରେ ରୋଜ୍ୟ ସରକାରଙ୍କର ସ୍ୱଚ୍ଛ ଶାସନର ପ୍ରମୁଖ ମାଧ୍ୟମ “ମୋ ସରକାର” କକ୍ଷ ମଧ୍ୟ କାର୍ଯ୍ୟକ୍ଷମ ହୋଇଅଛି । ଏହା ମାଧ୍ୟମରେ ରାଜ୍ୟ ଗୃହନିର୍ମାଣ ସଂସ୍ଥା ହୀତାଧିକାରୀଙ୍କ ନିକଟରେ ଅଧିକ ଉତରଦାୟୀ ହେବା ସହିତ ସେମାନଙ୍କ ସମସ୍ୟାର ତ୍ୱରିତ ସାମାଧାନ କରାଇ ପାରିବ ।
ଆଗାମୀ ଦିନରେ ଗୃହ ନିର୍ମାଣ ସଂସ୍ଥା ଖୁବ୍ ଶୀଘ୍ର ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରରେ ବାସଗୃହର ଅଭାବ ଦୂରୀକରଣ ପାଇଁ ବିଭିନ୍ନ ଗୃହ ନିର୍ମାଣ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ଯାଉଛି ବୋଲି ଉପରୋକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ମାନ୍ୟବର ପଞ୍ଚାୟତି ରାଜ ଓ ପାନୀୟ ଜଳ, ଆଇନ ,ଗୃହ ନିର୍ମାଣ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ଓଡ଼ିଶା ସମାଚାର