Saturday , November 26 2022
Breaking News
Home / ବିଶେଷ / ୧୯ ବର୍ଷ ସଜା କାଟି ନିର୍ଦ୍ଦୋଷରେ ଖଲାସ

୧୯ ବର୍ଷ ସଜା କାଟି ନିର୍ଦ୍ଦୋଷରେ ଖଲାସ

କରଞ୍ଜିଆ, ୧୬/୧୨/୨୦୨୧ (ଓଡ଼ିଶା ସମାଚାର)- ହତ୍ୟା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ୧୯ ବର୍ଷ ଜେଲ ଦଣ୍ଡ ସଜା କାଟି ନିର୍ଦ୍ଦୋଷରେ ଖଲାସ ହେବା ଘଟଣା ସାଧାରଣରେ ଚର୍ଚା ଧରିଛି। ଯୌବନରେ ହତ୍ୟା ଅଭିଯୋଗରେ ଜେଲ୍ ଯାଇଥିବା ଯୁବକ ୧୯ ବର୍ଷ କାଳ ଜେଲ ର ଅନ୍ଧାରୀ କୋଠରୀରେ ସମୟ କାଟିବା ପରେ ବାର୍ଦ୍ଧକ୍ୟରେ ନିର୍ଦ୍ଦୋଷରେ ଖଲାସ ହୋଇଛନ୍ତି। ପ୍ରମାଣ ଅଭାବରୁ ତାଙ୍କୁ ଜିଲ୍ଲା ଦୌରା ଜଜ୍ ନିର୍ଦ୍ଦୋଷରେ ଖଲାସ କରିଦେଇଛନ୍ତି। ଆଜି ଗୁରୁବାର ଜେଲରୁ ମୁକୁଳିବା ପରେ ସେ ବେଶ୍ ଖୁସି ହୋଇଛନ୍ତି । ମୟୁରଭଞ୍ଜ ଜିଲ୍ଲା ଯଶିପୁର ଥାନା ବଳରାମପୁର ଗାଁର ହାବିଲ ସିନ୍ଧୁ ଙ୍କ କ୍ଷେତ୍ରରେ ଏଭଳି ଘଟିଛି।

ଗତ ୨୦୦୩ ମସିହା ଜାନୁଆରୀ ୩ ତାରିଖରେ ପଡ଼ୋଶୀ ଘରର ଦୁଇ ପୁରୁଷଙ୍କ ସହ ଜଣେ ଦୁଇ ବର୍ଷ ଶିଶୁକୁ ହତ୍ୟା କରିଥିବା ନେଇ ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଥିଲା। ହାବିଲ ଗୁଣିଗାରେଡି ପାଇଁ ତିନି ଜଣଙ୍କୁ ହତ୍ୟା କରି ମୁଣ୍ଡ ଗଣ୍ଡି ଅଲଗା କରି ଫୋପାଡି ଦେବା ସହ ସେମାନଙ୍କ ଯୌନାଙ୍ଗକୁ କାଟି ଦେଇଥିବା ଅଭିଯୋଗ ହୋଇଥିଲା। ଏ ନେଇ ଯଶିପୁର ଥାନାରେ ଅଭିଯୋଗ ହେବା ପରେ ତାଙ୍କୁ ଗିରଫ କରାଯାଇଥିଲା। ୨୦୦୫ ମସିହାରେ ବାରିପଦା ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ବିଚାର କରି ହାବିଲକୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ଏ ନେଇ ହାବିଲ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେଇଥିଲେ। ଉଚ୍ଚ ନ୍ୟାୟାଳୟ ଏହି ଘଟଣାର ହସ୍ତକ୍ଷେପ କରି ଘଟଣାକୁ ପୁନର୍ବିଚାର କରିବା ପାଇଁ ମୟୂରଭଞ୍ଜ ଜିଲ୍ଲା ଜଜଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ହାବିଲକୁ ସରକାର ଜଣେ ଆମିକସ୍ କ୍ୟୁରୀ ତଥା ଅବୈତନିକ ଓକିଲକୁ ଯୋଗାଇ ଦେବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ।

ସେହି ଦିନ ଠାରୁ ସେ ବିଚାରାଧିନ କଏଦୀ ଭାବେ ଥିଲେ ।ମୟୂରଭଞ୍ଜ ଜିଲ୍ଲା ଦୌରା ଜଜ୍ କୋର୍ଟ ଶୁଣାଣି କରି ୧୧ଜଣ ସାକ୍ଷୀ, ୩୨ଟି ତଦନ୍ତ ରିପୋର୍ଟକୁ ଆଧାର କରି ଉପଯୁକ୍ତ ସାକ୍ଷୀ ପ୍ରମାଣ ଅଭାବରୁ ହାବିଲଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ଆଦେଶ ଦେଇଛନ୍ତି। ତେବେ ହାବିଲଙ୍କ ୧୯ ବର୍ଷ ଜେଲରେ କାଟିବା ନେଇ ଆଇନଜୀବୀ ତଦନ୍ତକାରୀ ଅଫିସରଙ୍କ କାର୍ୟ୍ୟ ଓ ରିପୋର୍ଟ ଉପରେ ଅଙ୍ଗୁଳି ଉଠାଇଛନ୍ତି । ହାବିଲ ଜେଲରୁ ମୁକୁଳିବା ନେଇ କେବେବି ଭାବିନଥିଲେ। ଏପରିକି ନିଜ ପରିବାର ଲୋକଙ୍କୁ ଟଙ୍କା ଖର୍ଚ୍ଚ କରି ଦେଖା କରିବାକୁ ଜେଲ୍ ନଆସିବା ପାଇଁ ମଧ୍ୟ ସେ କହିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.