ଭୁବନେଶ୍ୱର,୧୫/୧୨/୨୦୨୧(ଓଡ଼ିଶା ସମାଚାର)-ମାସିକ ୮୦୦୦ଟଙ୍କାରୁ ଊଦ୍ଧ୍ୱର୍ ପ୍ରୋତ୍ସାହନ ରାଶି ପ୍ରାପ୍ତି ଓ ସ୍ଥାୟୀ ନିଯୁକ୍ତି ସମେତ ୫ ଦଫା ଦାବି ପୂରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଗାଁସାଥୀ ସଂଘ ତରଫରୁ ଏକ ଗଣଧାରଣା କରାଯାଇଥିଲା । ସଂଘର ରାଜ୍ୟ ସଂଗଠକ ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ତଥା ସଭାପତି ସୌଭାଗ୍ୟ ମିଶ୍ର, ସଂଗଠକ କୁଳମଣି ମେଂଟା, ରବିନ୍ଦ୍ର ପ୍ରଧାନ, ଚରଣ ନାହାକ, ଉମେଶ ମୁଣ୍ଡା, ରାମସ୍ୱାମୀ ପିଡିକା, ବିବେକାନନ୍ଦ ଠାକୁର, ଆନ୍ତା ମୁର୍ମୁ, ସନ୍ନ୍ୟାସୀ ନାୟକ, କରୁଣା ବାଗ୍ ଓ ଅନ୍ୟ ୧୦୦ ରୁ ଊଦ୍ଧ୍ୱର୍ ରାଜ୍ୟ ଓ ଜିଲ୍ଲା ସଂଗଠକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସ୍ଥାନୀୟ ରାମ ମନ୍ଦିର ଠାରୁ ନବୀନ ନିବାସୀ ଯାଏ ସଂଘର ସଭ୍ୟ/ସଭ୍ୟାମାନେ ହାତରେ ବ୍ୟାନର ଓ ପ୍ଲାକାର୍ଡ ଧରି ଜନପଥ କଡରେ ଠିଆ ହୋଇ ଏକ ଅଭିନବ ଉପାୟରେ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ । ମନ୍ତ୍ରୀ ପଂଚାୟତିରାଜଙ୍କ ପ୍ରତିଶ୍ରୁତି ଅନୁଯାୟୀ ସେ ମାନନୀୟ ମୁଖ୍ୟମନ୍ତ୍ରୀଙ୍କୁ ଆମର ମାସିକ ୮୦୦୦ ଟଙ୍କାର ମାସିକ ପ୍ରୋତ୍ସାହନ ରାଶି ପ୍ରଦାନର ପ୍ରସ୍ତାବ ଦିଅନ୍ତୁ ଏବଂ ମୁଖ୍ୟମନ୍ତ୍ରୀ ତାଙ୍କର କାର୍ଯ୍ୟାଳୟରେ ଥିବା ପଦାଧିକାରୀଙ୍କ ଜରିଆରେ ସ୍ୱତନ୍ତ୍ର ପ୍ରଶାସନିକ ନିର୍ଦ୍ଧେଶନାମା ବଳରେ ଉକ୍ତ ଦାବିକୁ ପୂରଣ କରନ୍ତୁ ବୋଲି ସଂଘ ନିବେଦନ ଜଣାଇଛି । ଆମର ମାସିକ ପ୍ରୋତ୍ସାହନରାଶି ପ୍ରାପ୍ତିର ଦାବି ତୁରନ୍ତ ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଶ୍ରୀ ବିଶ୍ୱାଳ ଗଣମାଧ୍ୟମକୁ ଜଣାଇଛନ୍ତି । ଏହି କାର୍ଯ୍ୟକ୍ରମରେ ସମଗ୍ର ରାଜ୍ୟରୁ ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା ହଜାର ହଜାର ଗାଁସାଥୀ (ମେଟ୍) ମାନେ ଭାଗ ନେଇଥିଲେ । ଓଡ଼ିଶା ସମାଚାର