କେନ୍ଦ୍ରାପଡ଼ା, ୧୫/୧୨/୨୦୨୧(ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ନିକିରାଇ-ଇନ୍ଦୁପୁର ରାସ୍ତା ଏବେ ବିପର୍ଯ୍ୟସ୍ଥ ହୋଇପଡିଛି । ଫଳରେ ଯାନବାହାନ ଚଳାଚଳ ଓ ଲୋକମାନେ ଯିବା ଆସିବାରେ ବହୁ ସମସ୍ୟା ସୃଷ୍ଟି ହେଉଛି । ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି ଯେ, ଏହି ରାସ୍ତାରେ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗ ଗାଡି ଯିବା ଆସିବା କରିବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଛି । କାରଣ ରାସ୍ତା ସାରା ଖାଲଖମାରେ ଭର୍ତି ହୋଇଛି । ସେହି ରାସ୍ତା ଉପରେ କେନ୍ଦ୍ରାପଡ଼ା ବ୍ଲକର ଇନ୍ଦୁପୁର, ନିକିରାଇ, କୁତରଙ୍ଗ, ଢୋଲ, ଜମରା, ଧୂମାତ, ଚାରିଗାଁ, ଘାଗରା, ସାନମାଣିତିଆ ପ୍ରମୁଖ ୧୫ଟି ପଂଚାୟତର ଲୋକମାନେ ନିର୍ଭର କରନ୍ତି । ସେହିପରି ସ୍କୁଲ ଓ କଲେଜ ଯିବା ଆସିବା କରିବା ବେଳେ ପିଲାମାନେ ମଧ୍ୟ ହଇରାଣ ହରକତ ହେଉଛନ୍ତି । ଏହି ରାସ୍ତା ବର୍ଷକୁ ଏକାଧିକ ଥର ମରାମତି ହେଉଥିଲେ ମଧ୍ୟ କାମ ଠିକ ଭାବେ ହେଉ ନ ଥିବାରୁ ତାହା ମରାମତିର ଅଳ୍ପଦିନ ପରେ ଭାଙ୍ଗିରୁଜି ଯାଉଛି । ଏସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଚନ୍ଦନ କୁମାର ସାହୁ, ଆଲୋକ ରାଉତ, ରାଜେନ୍ଦ୍ର ମହାପାତ୍ରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର