ମାହାଙ୍ଗା, ୧୩/୧୨/୨୦୨୧ (ଓଡିଶା ସମାଚାର /ଅଭୟ ଜେନା )-ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ରାଜ୍ୟ ସ୍ତରୀୟ ୨ ଦିନିଆ ଶରତ ମହୋତ୍ସବ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନ ଭଞ୍ଜ ମଣ୍ଡପ ଠାରେ ରବିବାରସନ୍ଧ୍ୟା ରେ ଉଦଘାଟିତ ହୋଇଯାଇଛି । ଓଡ଼ିଶାର କଳା, ସାହିତ୍ୟ,ସଂସ୍କୃତି ଓ ବୈଭବମୟ ପରମ୍ପରାକୁ ମାହାଙ୍ଗା ମାଟିର ଅବିସ୍ମରଣୀୟ ଅବଦାନ ଅତୁଳନୀୟ ବୋଲି ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ମତ ପୋଷଣ କରିଥିଲେ । ଆମ ରାଜ୍ୟର ଗାରିମାମୟ କଳା, ସାହିତ୍ୟ ଓ ସଂସ୍କୃତିକୁ ରୁଦ୍ଧିମନ୍ତ କରିବାରେ ଯେଉଁ ପ୍ରଥିତଯଶା ସାଧକ ମାନଙ୍କ ଅବଦାନ ରହିଛି, ସେମାନେ ଚିର ନମସ୍ୟ ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ମାହାଙ୍ଗାର ଯଶସ୍ବୀ ସୃଜନ ପୁରୁଷ ମାନଙ୍କ ମହିମା ମଣ୍ଡିତ, ସିଦ୍ଧି ଓ ସାଧନାର କାହାଣୀ,ସବୁ ବର୍ଗର ଜନତାଙ୍କୁ ଆକର୍ଷିତ କରିପାରିଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ମତବ୍ୟକ୍ତ କରିଥିଲେ ।
ଓଡିଶା ସଂଗୀତ ଏକାଡେମୀ ସଚିବ ପ୍ରବୋଧ ରଥ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ପଂଚାୟତସମିତି ଅଧ୍ୟକ୍ଷ ଶରତ ନାୟକ, ପୂର୍ବତନ ଅଧ୍ୟକ୍ଷ ରାଜକିଶୋର ଜେନା,କଟକ ସିସି ବ୍ୟାଙ୍କ ପୂର୍ବତନ ସଭାପତି ଅଶୋକ ଓଝା, ଜିଲ୍ଲାପରିଷଦ ସଭ୍ୟା ଅନ୍ନପୂର୍ଣ୍ଣା ବେହେରା, ମୋନାଲିସା ଦାଶ,ହୃଷିକେଶ ସ୍ୱାଇଁ, କେଶବ ବେହେରା, ସୁଚିତ୍ରା ସିଂ ପ୍ରମୁଖ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ଓଡିଶୀ ନୃତ୍ୟ, ସଂଗୀତ ଏବଂ ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ ହୋଇଥିଲା । ସଭା ଚାଲିଥିବା ସମୟରେ ଜନୈକ ଯୁବକ ହଠାତ ମନ୍ତ୍ରୀ ଙ୍କୁ ଲକ୍ଷ୍ୟ କରି ଷ୍ଟେଜ ଉପର କୁ ଚପଲ ଫିଙ୍ଗି ଥିଲେହେଁ ତାହା ବାଜିନଥିଲା । ସଙ୍ଗେ ସଙ୍ଗେ ପୋଲିସ କାର୍ୟାନୁଷ୍ଠାନ ନେଇଥିବା ଜଣାପଡିଛି । ଓଡ଼ିଶା ସମାଚାର