Wednesday , January 19 2022
Breaking News
Home / ବିଶେଷ / ବିକାଶଠୁ ବହୁଦୂରେ ତିନୋଟି ଗାଁ: ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ: ପ୍ରଶାସନର ନିଘା ନାହିଁ

ବିକାଶଠୁ ବହୁଦୂରେ ତିନୋଟି ଗାଁ: ଅଭିଶପ୍ତ ଜୀବନ ବିତାଉଛନ୍ତି ଅଞ୍ଚଳବାସୀ: ପ୍ରଶାସନର ନିଘା ନାହିଁ

ବାଲିଗୁଡ଼ା, ୧୨/୧୨/୨୦୨୧, (ଓଡିଶା ସମାଚାର /ସଞ୍ଜୟ କୁମାର ପାଣିଗ୍ରାହୀ):ବଣ ପାହାଡ଼ ଘେରା କନ୍ଧମାଳ ଜିଲ୍ଲା । ପ୍ରକୃତି କୋଳରେ ବସବାସ କରନ୍ତି ଅଧିକାଂଶ ଅନୂସୁଚିତ ଜାତି ଓ ଜନଜାତି ବର୍ଗର ଲୋକେ । ପ୍ରଶାସନିକ ଅବହେଳା କାରଣରୁ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ନିରୀହ ଗ୍ରାମବାସୀ । ନା ଅଛି ରାସ୍ତା,ନାଅଛି ବିଜୁଳି ଆଲୁଅ ନା ଅଛି ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା । ଶିକ୍ଷା ଓ ସ୍ବାସ୍ଥ୍ୟ କଥା ନକହିବା ଭଲ । ଏଭଳି ଅଭିଶପ୍ତ ଜୀବନ ବିତାଉଛନ୍ତି ତିନୋଟି ଗ୍ରାମର ୨୦୦ରୁ ଉର୍ଦ୍ଧ୍ବ ପରିବାର । କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ  ଦାରିଙ୍ଗବାଡ଼ି ବ୍ଲକ୍ ଅନ୍ତର୍ଗତ ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତର ଗଡ଼ାପାକାଲି,ଦାଲାଗାଡୁ ଓ ପ୍ରିହେଡ଼ିପଙ୍କା ଗ୍ରାମ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅନ୍ତର୍ଗତ ଦାସିଙ୍ଗିବାଡ଼ି ଗ୍ରାମ ପଞ୍ଚାୟତର ଗଡ଼ାପାକାଲି ଗାଁ । ଏହି ଗାଁ କୁ ମୁଖ୍ୟ ରାସ୍ତାରୁ ପାଖାପାଖି ୧୫ କିଲୋମିଟର ଅଙ୍କାବଙ୍କା,ଖାଲଢିପ ପାହାଡ଼ିଆ ରାସ୍ତାରେ ଯିବାକୁ ପଡ଼େ । ଗାଁ ରେ ପାଖାପାଖି ୩୦ରୁ ୪୦ ପରିବାର ବସବାସ କରନ୍ତି । ସମସ୍ତେ ପ୍ରାୟତଃ ଖଟିଖିଆ ଶ୍ରେଣୀର ଲୋକେ । ଗଡ଼ାପାକାଲି ଗାଁ ରେ ଏକ ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନଓ୍ବାଡ଼ି କେନ୍ଦ୍ର ଅଛି,ହେଲେ ଶ୍ରେଣୀଗୃହ ଓ ଅଙ୍ଗନଓ୍ବାଡ଼ି ଗୃହ ଏଯାବତ୍ ନିର୍ମାଣ ହୋଇପାରିନାହିଁ । ଫଳରେ ଭଙ୍ଗା ଦଦରା କୁଆଡ଼ିଘରେ ଖରା ବର୍ଷା ଶୀତରେ ୨୮ଜଣ ପିଲା ଙ୍କ ଭବିଷ୍ୟତ ଗଢ଼ା ଚାଲିଛି ତିନିଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ବାରା । ବିଦ୍ୟାଳୟ ଗୃହ ଓ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ କରାଗଲେ ନିଜେ ସୁରକ୍ଷିତ ରହିବାସହ ଠିକ୍ ଭାବରେ ଶିକ୍ଷାଦାନ ହୋଇ ପାରନ୍ତା ବୋଲି କହିଛନ୍ତି ଶିକ୍ଷୟତ୍ରୀ ଓ ଅଭିଭାବକ l ରାସ୍ତା ଅଭାବରୁ ଗାଁ ର କୌଣଶି ବିକାଶ ହୋଇପାରୁନାହିଁ l ଏଥି ସହିତ ଗାଁ କୁ ବିଜୁଳି ଆଲୁଅ ସାତସପନ ହୋଇପଡ଼ିଥିବା ବେଳେ ବିଶୁଦ୍ଧ ପାନୀୟ ଜଳର ଅଭାବ ରହିଛି । ଫଳରେ ଲୋକେ ନଦୀ,ନାଳ ଚୁଆ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଥିବା ଯୋଗୁଁ ଗାଁ କୁ ପହଞ୍ଚି ପାରୁନାହିଁ ଆମ୍ବୁଲାନ୍ସ । ଗର୍ଭବତୀ ମହିଳାଙ୍କୁ ବୋହି ଡାକ୍ତରଖାନା ନେବାବେଳେ ଅନେକ ମହିଳା ରାସ୍ତା ଘାଟରେ ପ୍ରସବ କରୁଥିବା ବେଳେ ଅନେକ ରୋଗୀ ଡାକ୍ତରଖାନା ପହଞ୍ଚି ନପାରି ଅକାଳ ମୃତ୍ୟୁବରଣ କରିଥିବା ନଜିର ରହିଛି । ଗଡ଼ାପାକାଲି ଗାଁ ସମେତ ଦାଲାଗାଡୁ ଓ ପ୍ରାହେଡ଼ିପଙ୍କା ଗ୍ରାମର ୨୦୦ରୁ ଉର୍ଦ୍ଧ୍ବ ପରିବାର ଦୈନନ୍ଦିନ ଜୀବନରେ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି । ସେପଟେ ଏନେଇ ଦାରିଙ୍ଗବାଡ଼ି ବିଡ଼ିଓଙ୍କୁ ଯୋଗାଯୋଗ କରିବାରୁ ଆମେ ଏବିଷୟରେ ଅବଗତ ଅଛୁ । ଖୁବଶୀଘ୍ର ରାସ୍ତା ନିର୍ମାଣ ସହ ଅଞ୍ଚଳର ଅନ୍ୟାନ୍ୟ ସମସ୍ୟା ସୁଧାରିବା ପାଇଁ ପ୍ରଚେଷ୍ଟା ଜାରି ରଖିଛୁ ବୋଲି ଦାରିଙ୍ଗବାଡି ବିଡିଓ ଗଦାଧର ପାତ୍ର ପ୍ରତିକ୍ରିୟାରେ କହିଛନ୍ତି l ହେଲେ ପ୍ରଶାସନର ପ୍ରତିଶୃତି କେତେ କାର୍ଯ୍ୟକାରୀ ହେଉଛି ଏବଂ ଅଞ୍ଚଳବାସୀଙ୍କ ସମସ୍ୟା କେବେ ସୁଧୁରୁଛି ତାହା ଦେଖିବାକୁ ବାକି ରହିଲା । ଓଡିଶା ସମାଚାର

About admin

Check Also

ସମାଜକୁ ମାନବିକତାର ପରିଚୟ ଦେଲେ ଜଣେ ଚା ବ୍ୟବସାୟୀ

ଧର୍ମଶାଳା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ୭ ହଜାର ଟଙ୍କା ସହିତ କାଗଜପତ୍ର ଓ ମନିପର୍ସ ଫେରାଇ ଚର୍ଚ୍ଚାରେ ଜଣେ ଚା …

Leave a Reply

Your email address will not be published. Required fields are marked *