Saturday , June 3 2023
Breaking News
Home / କୃଷି / ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଦଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

ଜୱାଦ କ୍ଷୟକ୍ଷତିର ଆକଳନ ପାଇଁ କେନ୍ଦ୍ରୀୟ ଦଳଙ୍କ ଦିନିକିଆ କେନ୍ଦ୍ରାପଡା ଗସ୍ତ

କେନ୍ଦ୍ରାପଡ଼ା, ୧୨/୧୨/୨୦୨୧(ଓଡ଼ିଶା ସମାଚାର)-ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ କେନ୍ଦ୍ରାପଡା ଜିଲ୍ଲାରେ ଧାନ ଫସଲ ଓ ପନିପରିବା ପ୍ରଭୃତି ରବି ଫସଲର ବ୍ୟାପକ କ୍ଷୟକ୍ଷତି ହୋଇଥିଲା । ଏହି କ୍ଷୟକ୍ଷତିର ଆକଳନ ପାଇଁ ୪ଜଣିଆ ଅନ୍ତଃ କେନ୍ଦ୍ରୀୟ ଦଳ କେନ୍ଦ୍ରାପଡା ଜିଲ୍ଲା ଗସ୍ତରେ ଆସି କେନ୍ଦ୍ରାପଡା ପ୍ରଦକ୍ଷଣ ଭବନରେ ପହଂଚିିବା ସମୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ କରିଥିଲେ । ଏହି ଅନ୍ତଃ କେନ୍ଦ୍ରୀୟ ଦଳରେ ବରିଷ୍ଠ କାର୍ଯ୍ୟନିର୍ବାହୀ ତଥା ଓ.ଆର.ସି. ଜାତୀୟ ମଧୁର ଜଳ ମତ୍ସ୍ୟ ବୋର୍ଡ ଡଃ. ମାନସ କୁମାର ସିହ୍ନା, ସଡକ ପରିବହନ ମନ୍ତ୍ରଣାଳୟର ସହକାରୀ ଯନ୍ତ୍ରୀ ଶାସ୍ୱତ କୁମାର ମହାପାତ୍ର, ମୃତିିକା ସଂରକ୍ଷଣ ନିର୍ଦେଶକ ହେମନ୍ତ କୁମାର ପଣ୍ଡା ଓ କୃଷି ବିଭାଗର ଯୁଗ୍ମ ନିର୍ଦେଶକ ବ୍ରଜ କିଶୋର ଲେଙ୍କା ଜିଲ୍ଲା ଗସ୍ତରେ ଆସିଥିଲେ । ଏହି କେନ୍ଦ୍ରୀୟ ଦଳ ପଟ୍ଟାମୁଣ୍ଡାଇ ତହସିଲ ଅନ୍ତର୍ଗତ ଚନ୍ଦନ ନଗର, ଆନନ୍ଦପୁର, ଚଢେୟା, ବିଲିକଣା, ବ୍ରହ୍ମପୁର, ଓଉପଡା, କଦଳିବନ୍ଧ, ବଡପାଳ, ରାଜନଗର ତହସିଲ ଅନ୍ତର୍ଗତ ବ୍ରାହ୍ମଣ ସାହୁ, ରାଜନଗର, ମଧୁପୁର, ଖଲିକଣା, ଜଗନ୍ନାଥପୁର ଶାସନ, ମାଗୁଖଣ୍ଡି, ବଡଓଲରା, ସାନ ଓଲରା, କୁରୁଂଟି, ଗଜରାଜପୁର, ମାର୍ଶାଘାଇ ତହସିଲ ଅନ୍ତର୍ଗତ ଶିଳିପୁର, ଅଙ୍ଗୁଳେଇ, ଡଅଁରମୁଣ୍ଡ ପ୍ରଭୃତି ଗ୍ରାମ ଗସ୍ତକରି କ୍ଷୟକ୍ଷତିର ଆକଳନ କରିଥିଲେ । ଏହି କେନ୍ଦ୍ରୀୟ ଦଳ ଡଅଁରମୁଣ୍ଡ ଗ୍ରାମରେ କ୍ଷତିଗ୍ରସ୍ତ କୋବି ଆଦି କ୍ଷୟକ୍ଷତି ହୋଇଥିବା ପନିପରିବା ଫସଲ ଜମି ଗୁଡିକୁ ବୁଲି ଦେଖିଥିଲେ । ଏହା ପରେ ଗରଦପୁର ବ୍ଲକ ରାସ୍ତାର ଉଭୟ ପାଶ୍ୱର୍ରେ ଜଳମଗ୍ନ ଥିବା ଧାନ ଫସଲକୁ ଦେଖିଥିଲେ । ଏହି ଗସ୍ତ ସମୟରେ କ୍ଷତିଗ୍ରସ୍ତ ଗ୍ରାମବାସୀମାନେ କେନ୍ଦ୍ରୀୟ ଦଳ ସମ୍ମୁଖରେ ସେମାନଙ୍କ ସୁନାର ଫସଲ କିପରି ଜଳମଗ୍ନ ହୋଇ ରହିଛି ଓ ସେଥିରୁ ସେମାନଙ୍କ ଗୁଜୁରାଣ କିପରି ମେଂଟିବ ସେ ବିଷୟରେ ବର୍ଣ୍ଣନା କରିଥିଲେ । କେନ୍ଦ୍ରୀୟ ଦଳ ଜନସାଧାରଣଙ୍କ କୋହଭରା ବାଣୀ ସହୃଦୟତାର ସହ ଶୁଣିଥିଲେ ଏବଂ ସେମାନଙ୍କ ସହ ଆଲୋଚନା କରିଥିଲେ । ଏହି ଗସ୍ତ ସମୟରେ ଅତିରିକ୍ତ ଜିଲ୍ଲାପାଳ ପିତାମ୍ବର ସାମଲ, ଦୁର୍ଗା ପ୍ରସାଦ ମହାରଣା, ଉପଜିଲ୍ଲାପାଳ ନିରଞ୍ଜନ ବେହେରା, ଜିଲ୍ଲା କୃଷି ଅଧିକାରୀ ଶିବ ପ୍ରସାଦ ମଲିକ, ଉଦ୍ୟାନକୃଷି ବିଭାଗ ସହକାରୀ ନିର୍ଦେଶକ କନ୍ଦ ଜେନା, ବିଭିନ୍ନ ତହସିଲର ତହସିଲଦାର, ରାଜସ୍ୱ ନିରୀକ୍ଷକ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.